#କୋଭିଡ୍-୧୯: ଆତଙ୍କର ଆଦ୍ୟସ୍ଥଳରୁ ଉଠିଲା #ଲକ୍ଡାଉନ୍
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ବିଶ୍ଵ ଥରହର। ସବୁଠି ତ୍ରାହି ତ୍ରାହି ଡାକ। ବଢୁଛନ୍ତି ସଂକ୍ରମିତ ସଂଖ୍ୟା। ସେହିପରି ଗଲଣି ହଜାର ହଜାର ପ୍ରାଣ। ତେବେ ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନର ଉହାନ୍ ସ୍ଥଳରେ ସମ୍ପ୍ରତି ତୁଳନାତ୍ମକ ଭାବେ ଆତଙ୍କ କମି ଯାଇଛି। କାରଣ ଉକ୍ତ ପ୍ରମୁଖ ସହରରୁ ଚୀନ୍ ସରକାର ଲକ୍ଡାଉନ୍ ଉଠାଇ ଦେଇଛନ୍ତି। ଫଳରେ ୧୧ ସପ୍ତାହ ପରେ ଗୃହବନ୍ଦୀରୁ ମୁକ୍ତାକାଶକୁ ଫେରିଛନ୍ତି ଉହାନବାସୀ। ଅନ୍ୟପକ୍ଷରେ ବିଶ୍ଵବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୫୦ହଜାର ଟିପିଯାଇଛି ଏବଂ ୮୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୩ ଲକ୍ଷ ୨ ହଜାର ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଉହାନରୁ ଲକଡାଉନ ହଟିବା ପରେ ସହରବାସୀ ବାଣଫୁଟାଇ ନାଚଗୀତରେ ନୂଆଜୀବନକୁ ସ୍ଵାଗତ କରିଛନ୍ତି। ଲକଡାଉନ୍ ଉଠିବା ପରେ ସେଠାରେ ବୁଧବାର ସକାଳୁ ରେଳ, ବସ ଓ ବିମାନ ସେବା ଆଦି ଆରମ୍ଭ ହୋଇଛି। ଏପରିକି ୟାଙ୍ଗଜେ ନଦୀର ଦୁଇପାର୍ଶ୍ଵରେ ଲୋକେ ଖୁସି ମନାଇଛନ୍ତି। ଗତବର୍ଷ ଡିସେମ୍ବର ଶେଷ ପର୍ଯ୍ୟାୟରେ ଉହାନରେ କରୋନା ଭାଇରସ ବ୍ୟାପିଥିଲା ଓ ଜାନୁଆରୀ ୨୩ରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମହାମାରୀ ଆକ୍ରାନ୍ତରେ ଚୀନ୍ରେ ୩୩୦୦ରୁ ଅଧିକ ଜଣ ପ୍ରାଣ ହରାଇଥିବାବେଳେ ୮୨ ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। କିନ୍ତୁ ଗତ ଏକ ସପ୍ତାହେ ହେବ ଉହାନରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଲକଡାଉନ୍କୁ ହଟାଇବାକୁ ଚୀନ ସରକାର ନିଷ୍ପତ୍ତି ନେଇଥିଲେ।
ଅନ୍ୟପକ୍ଷରେ ସାରା ବିଶ୍ଵରେ ଆମେରିକାରେ କରୋନା ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଯାଇଛି ଓ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଭଳି ସ୍ଥିତିରେ ଚୀନ୍କୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅଧିକ ସମର୍ଥନ ଦେଉଥିବା ଅଭିଯୋଗ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୋଷ ପ୍ରକଟ କରିଛନ୍ତି। ସେହିପରି ଆତଙ୍କର ବଳୟ ମଧ୍ୟରେ ସ୍ପେନ୍ ଦ୍ଵିତୀୟରେ ରହିଛି। ପ୍ରାୟ ୧ ଲକ୍ଷ ୪୨ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୪ ହଜାର ୪୫ ଜଣ ପ୍ରାଣ ହରାଇଛନ୍ତି। ଇଟାଲୀରେ ମଧ୍ୟ ୧ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ସବୁଠାରୁ ଅଧିକ ୧୭ ହଜାର ୧୨୭ ଜଣ ପ୍ରାଣ ହରାଇଛନ୍ତି। ଜର୍ମାନୀ, ବ୍ରିଟେନରେ ମଧ୍ୟ ସାଂଘାତିକ କରୋନା କରୁଣ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବ୍ରାଜିଲ୍ର ଆମାଜନ ଅବବାହିକା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ଆଦିମ ଅଧିବାସୀ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଗୁରୁତ୍ଵପୂର୍ଣ୍ଣ ସୂଚନା
‘ବିସିଜି’ ଟିକାକରଣ ହୋଇଥିବା ଦେଶଗୁଡ଼ିକରେ କରୋନା ଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୬ଗୁଣ କମ୍ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି କ୍ରମରେ ଭାରତରେ ବିସିଜି ଟିକାକରଣକୁ ସବୁବେଳେ ପ୍ରଧାନ୍ୟ ଦିଆଯାଉଥିବାରୁ ଦେଶ ପାଇଁ ଆଶ୍ଵସ୍ତକର ବିଷୟ ବୋଲି ବିଭିନ୍ନ ମହଲରେ କୁହାଯାଉଛି।