ଚୀନରେ ‘ଫାୟାର୍ ଗଡ୍ ମାଉଣ୍ଟେନ୍’
ନୂଆଦିଲ୍ଲୀ(ଓଟି): କରୋନା ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଭାବେ ରଖି ଚିକିତ୍ସା ସେବା ଯୋଗାଇଦେବା ଲାଗି ଚୀନ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଥିବାବେଳେ ମାତ୍ର ୧୦ ଦିନ ଭିତରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରିଛନ୍ତି। କୌଣସି ଦେଶ ଏତେ କମ୍ ସମୟ ମଧ୍ୟରେ ଏପରି ହସ୍ପିଟାଲ ନିର୍ମାଣ କରିବା ପ୍ରଥମ ବୋଲି କୁହାଯାଉଛି। ଏହି ହସ୍ପିଟାଲର ନାମ “ଫାୟାର ଗଡ୍ ମାଉଣ୍ଟେନ’ ରଖାଯାଇଛି। ଉହାନର ହୋଉଶେନଶାନରେ ନିର୍ମିତ ଏହି ହସ୍ପିଟାଲରେ ଆଜିଠାରୁ ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି। ପିପୁଲ୍ସ ଲିବରେସନ ଆର୍ମିର ୧୪୦୦ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରୁଥିବା ଉକ୍ତ ହସ୍ପିଟାଲ ପରିଚାଳନା ଦାୟିତ୍ଵ ଚୀନ ସେନା ରହିଛି। ୨୦୦୨-୦୩ରେ ଚୀନରେ ବ୍ୟାପିଥିବା ଏସ୍ଏଆର୍ଏସ୍ (ସାର୍ସ) ଭାଇରସର ମୁକାବିଲା ପାଇଁ ସରକାର ଯେଉଁଭଳି ଡିଜାଇନରେ ହସ୍ପିଟାଲ ନିର୍ମାଣ କରିଥିଲେ ଏହି ନୂଆ ହସ୍ପିଟାଲର ଡିଜାଇନ ମଧ୍ୟ ସେହିଭଳି। ଏହାର ନିର୍ମାଣ ଲାଗି ସରକାର ଦେଶରେ ଥିବା ସବୁ ଇଞ୍ଜିନିୟରଙ୍କୁ କାର୍ଯ୍ୟରେ ଲଗାଇଥିଲେ। ଏଠାରେ ଚିକିତ୍ସା ସମୟରେ ଯେଉଁ ଔଷଧ, ମେଡିକାଲ ଉପକରଣ, ମାସ୍କ ଆଦି ଦରକାର ପଡ଼ିବ ସେସବୁ ସିଧାସଳଖ ଫ୍ୟାକ୍ଟ୍ରିରୁ ମଗାଯିବ। ସବୁଠାରୁ ବଡ଼ କଥା ହେଉଛି ହସ୍ପିଟାଲରେ କାମ କରିବାକୁ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୬୦% ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ୨୦୦୨-୦୩ରେ ସାର୍ସ ଭାଇରସରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବାରେ ସହାୟତା କରିଥିଲେ। ଅନୁରୂପ ଭାବେ ଆଉଏକ ହସ୍ପିଟାଲ ମଧ୍ୟ ନିର୍ମାଣ ହୋଇଛି। ଏହାର ନାମ ରହିଛି “ଥଣ୍ଡର ଗଡ୍ ମାଉଣ୍ଟେନ’। ଏଠାରେ ୧୬୦୦ ଜଣଙ୍କୁ ଚିକିତ୍ସା କରାଯାଇପାରିବ।