02022020 ଲକି ନଂ; କିନ୍ତୁ ବିବାହ ନୋହିଲା
ନୂଆଦିଲ୍ଲୀ(ଓଟି): ମାରାତ୍ମକ ଭୂତାଣୁ କରୋନା ଆତଙ୍କରେ ବିଶ୍ଵ ଚିନ୍ତିତ। ଦେଶ ପରେ ଦେଶକୁ ସଂକ୍ରମିତ ହେଉଛି ଭାଇରସ୍। ଏହାର ଉତ୍ପତ୍ତି ସ୍ଥଳ ଚୀନରେ ସାଂଘାତିକ ସ୍ଥିତି ଉପୁଜିଛି। ଏଭଳି ଆତଙ୍କ କାଳରେ ଶୁଭକାର୍ଯ୍ୟ ତଥା ମାଙ୍ଗଳିକ କାର୍ଯ୍ୟ ଲାଗି କିଏ ଅବା ଗୁରୁତ୍ଵର ସହ ଚିନ୍ତା କରିବ! କିନ୍ତୁ ରବିବାର ଚୀନରେ ଅନେକ ଯୋଡ଼ି ଯୋଜନା କରିଥିଲେ ବିବାହ ବନ୍ଧନ ପାଇଁ। ଚାଲିଥିଲା ଖୁବ୍ ଉଦ୍ୟମ। କିନ୍ତୁ ଏଥିରେ ରୋକ ଲଗାଇଲେ ସରକାର। ବାସ୍ତବରେ ଦେଖିବାକୁ ଗଲେ କରୋନା ଭାଇରସ୍ ହିଁ ବିବାହ କରାଇ ଦେଲାନି ବୋଲି କୁହାଯାଉଛି। ଫଳରେ ୦୨୦୨୨୦୨୦(ଇଂରାଜୀ ତାରିଖ)କୁ ଲକି ନଂ ମନେକରୁଥିବା ଅନେକଙ୍କୁ ନିରାଶ ହେବାକୁ ପଡ଼ିଛି। କାରଣ ଭାଇରସ ଆତଙ୍କ ଲାଗିରହିଥିବାରୁ ଏହାକୁ ରୋକିବା ପରିପ୍ରେକ୍ଷୀରେ ସରକାର ମାଙ୍ଗଳିକ କାର୍ଯ୍ୟ ଉପରେ ସତର୍କତା ଦୃଷ୍ଟିକୋଣରୁ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଛନ୍ତି। ତେଣୁ ବ୍ୟାନ୍ ହୋଇଛି ଲକିନଂ ସୂଚକ ତାରିଖରେ ଅନେକ ବିବାହ।
କରୋନା ଆକ୍ରାନ୍ତ ଓ ମୃତକ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଏହାକୁ ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ ବୋଲି ମଧ୍ୟ ଘୋଷଣା କରାଯାଇଛି। ଭାରତ ସମେତ ୨୪ ଦେଶରେ ଉକ୍ତ ଭାଇରସ୍ ବ୍ୟାପି ସାରିଲାଣି। ଏଭଳି ସଂକଟଜନକ ସ୍ଥିତିରେ ଚୀନ ସରକାର ମାଙ୍ଗଳିକ କାର୍ଯ୍ୟକୁ କିଛିଦିନ ଲାଗି ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ଅନ୍ତିମ ସଂସ୍କାର କାର୍ଯ୍ୟରେ ମଧ୍ୟ କମ୍ ଲୋକ ଉପସ୍ଥିତ ରହିବାକୁ ଚୀନ ସରକାର ଜନତାଙ୍କୁ ଅନୁରୋଧ କରିଛନ୍ତି।











