ଚୀନ ସୁଦୁ ମିଛ କହୁଚି, ଡାହା ମିଛ କହୁଚି
ଲକ୍ଷ୍ମୀଧର ନାୟକ
ବିହାର ରେଜିମେଣ୍ଟର ବୀର ସୈନିକମାନେ ତ ଏବେ ଚୀନ ସୀମାରେ ମୁତୟନ ଅଛନ୍ତି ବୋଲି ନିଉଜରୁ ଜଣାପଡ଼ୁଛି । ଦେଶପାଇଁ ୨୦ ଜଣ ସୈନିକ ପ୍ରାଣବଳି ଦେଇଛନ୍ତି । ଚୀନର କେହି ସୈନିକ ମରି ନାହାନ୍ତି ବୋଲି ଚୀନ ପକ୍ଷରୁ ଯାହା କୁହାଯାଉଛି, ମୁଁ ସେ କଥାକୁ ଆଦୌ ବିଶ୍ୱାସ କରି ପାରୁନି ।
ସୁଦୁ ରଡ଼୍ରେ ବାଡ଼ାବାଡ଼ି ହେଲେ, ମୁଥ ମରା ମରି ହେଲେ, ସେଥିରେ ସେ ଚୀନ୍ ସୈନ୍ୟ ଇମିତି ବାହାଣିଆ ଯେ ସେମାନେ ଆମର ୨୦ ଜଣ ସୈନିକଙ୍କୁ ପିଟି ପିଟି ମାରିଦେଲେ । ଆଉ ଆମ ସୈନିକ ସେମାନଙ୍କର ଜଣକୁ ବି ମାରି ପାରିଲେ ନି, ତାଙ୍କୁ ସବୁ ଛାଡ଼ି ଦେଲେ, ପୁଣି ବିହାରୀ ସୈନିକ ।
ମୁଁ ଭାବୁଚି ଚୀନ୍ ସୁଦୁ ମିଛ କହୁଚି, ଡାହା ମିଛ କହୁଚି । ୧୯୬୨ରେ ରେଜାଙ୍ଗ୍ ଲା ସେକ୍ଟରରେ ଚୀନ ସହ ଯୁଦ୍ଧ ହେଲା । ସୀମାରେ ସେଠି କୁମାୟୁନ ରେଜିମେଣ୍ଟର ସୈନିକ ଥିଲେ, ( କୁମାୟୁନ ରେଜିମେଣ୍ଟରେ ମୁଖ୍ୟତଃ ହରିୟାନାର ସୈନିକ ମାନଙ୍କୁ ନିଯୁକ୍ତି ମିଳିଥାଏ) । ତାଙ୍କ ପାଖରେ ଆଜିକା ପରି ଅସ୍ତ୍ର ଶସ୍ତ୍ର ତ ନଥିଲା ନଥିଲା, ବରଫରେ ଚାଲିଲାଭଳି ଭଲ ବୁଟ୍ ହଳେ କି ଭଲ ସୁଇଟର ଖଣ୍ଡେ ବି ନଥିଲା । ଏସବୁ ସ୍ଥିତିକୁ ଦେଖି ତତ୍କାଳୀନ ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମେ ସେଦିନ ଆର୍ମି ହେଡ଼୍କ୍ୱାର୍ଟରରୁ ଲଦାଖର ରେଜାଙ୍ଗ ଲା ସେକ୍ଟରକୁ ନିର୍ଦେଶ ଗଲା ଯେ ତମେ ସେ ପୋଷ୍ଟ ଛାଡ଼ି ଦେଇ ଫେରି ଆସ ।
ସେ ସୈନିକ ଦଳରେ ବୋଧେ ୧୨୦ ଖଣ୍ଡ ସୈନିକ ଥିଲେ । ତାଙ୍କର କମାଣ୍ଡର ଥିଲେ ମେଜର ସୈତାନ ସିଂ ଭାଟ୍ଟୀ । ସେ ସୈନିକମାନେ କହିଲେ କୌଣସି ହାଲତରେ ଆମେ ପଛକୁ ଫେରିବୁ ନାହିଁ, ଫେରିବ ତ ଆମ ଶବ ଫେରିପାରେ ଅଥବା ନ ଫେରିପାରେ । ଏପଟେ ଆର୍ମି ହେଡ଼୍କ୍ୱାର୍ଟରରୁ ସେମାନଙ୍କ ପାଖକୁ ଆଉ କୌଣସି ସାହାଯ୍ୟ ପଠାଗଲା ନାହିଁ, ସେମାନେ ଫେରି ଆସିଥିବେ ଭାବି ନା ମିଲିଟାରୀ ଫୋର୍ସ ବ୍ୟାକଅପ୍, ନା ଆର୍ମ ଆଣ୍ଡ ଆମୁନିସନ୍ ବ୍ୟାକ ଅପ୍ ନା ଗୁଳି ଗୋଳା ବନ୍ଧୁକ ନା ରେସନ । ତାଙ୍କ ପାଖରେ ଯାହା ଥିଲା ସେତିକିରେ ସେମାନେ ଲଢ଼ିଲେ, ଶେଷ ଗୁଳି ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ଇଞ୍ଚେ ବି ପଛକୁ ହଟିଲେ ନାହିଁ ।
ଏମାନେ ୧୨୦କୁ ସେମାନେ ହଜାର ହଜାର । ସେଦିନ ସେ ଯୁଦ୍ଧରେ କୁମାୟୁନ ରେଜିମେଣ୍ଟର ୧୧୩ ସରିକି ସୈନିକ ସହୀଦ ହୋଇଥିଲେ ସତ କିନ୍ତୁ ସେମାନେ ଚୀନର ୧୧୦୦ ରୁ ଅଧିକ ସୈନିକଙ୍କୁ ନିହତ କରିଥିଲେ ଏବଂ ସେ ସ୍ଥାନରୁ ଇଞ୍ଚେ ବି ପଛକୁ ହଟି ନଥିଲେ । ନ ହେଲେ ଲଦାଖର ରଜାଙ୍ଗ ଲା ଅଞ୍ଚଳଟି ମଧ୍ୟ ଆଜି ଚୀନ କବଜାରେ ଥାଆନ୍ତା ।
ଗୁଳିଗୋଳା ସରିଗଲା ପରେ ଆମ କୁମାୟୁନ ରେଜିମେଣ୍ଟର ବୀର ସୈନିକମାନେ ଦୋ ନଳି ବନ୍ଧୁକ ବନେଟ୍ ରେ ପିଟି ପିଟି, ମୁଥ ମାରି ମାରି, କାଖ ତଳେ ତାଙ୍କ ବେକକୁ ଚିପି, ତାଙ୍କରି ବନ୍ଧୁକ ତାଙ୍କଠୁ ଛଡ଼େଇ ସେଥିରେ ଚୀନ ସୈନିକ ମାନଙ୍କୁ ମାରି ମାରି ଚୀନ ସୈନିକମାନଙ୍କ ମଧ୍ୟରେ ହା ହା କାର ସୃଷ୍ଟି କରି ଦେଇଥିଲେ । ସେଠାରେ ସେଇ ସେକ୍ଟରରେ ନିୟୋଜିତ ଚୀନ ସୈନ୍ୟମାନେ ସେଦିନ ବାଧ୍ୟ ହୋଇ ସେ ଅଞ୍ଚଳ ଛାଡ଼ି ପଛ ଘୁଞ୍ଚା ଦେଇ ପଳାଇ ଥିଲେ ।
ଫଳରେ ସେ ଭୁଖଣ୍ଡଟି ଆଜି ମଧ୍ୟ ଭାରତର ଅଂଶ ବିଶେଷ ହୋଇ ରହି ପାରିଛି । ( ଅବଶ୍ୟ ଭାରତର ଅନ୍ୟାନ୍ୟ ସେକ୍ଟରରେ ଚୀନ ସୈନ୍ୟମାନେ ଭୟଙ୍କର ଯୁଦ୍ଧ କରି ସେତେବେଳକୁ ଭାରତର ବହୁ ଅଞ୍ଚଳ ନିଜ ଅକ୍ତିଆରକୁ ନେଇ ଯାଇଥିଲେ, ଆଜି ବି ସେ ସବୁ ଅଞ୍ଚଳ ଚୀନ ଅକ୍ତିଆରରେ ଅଛି ) । ସେହି ସମୟରେ ଯେତେବେଳେ ଭାରତର ଅପେକ୍ଷାକୃତ ଦୁର୍ବଳ ପ୍ରତିରୋଧକୁ ପରାହତ କରି ଚୀନ ସୈନିକମାନେ ଭାରତ ସୀମାକୁ ମାଡ଼ି ଚାଲିଥିଲେ, ସେତେବେଳେ କଣ ହେଲା କେଜାଣି ହଠାତ୍ ଚୀନ୍ ନିଜ ତରଫରୁ ଯୁଦ୍ଧ ବିରତି ଘୋଷଣା କଲା ।
ଏ କଥା ବିଶ୍ୱ ଯୁଦ୍ଧ ଇତିହାସରେ ଆଜିବି ଏକ ରହସ୍ୟମୟ ଅଧ୍ୟାୟ ହୋଇ ରହିଛି ।
ଯୁଦ୍ଧ ବନ୍ଦ ହୋଇଗଲା । ମେଜର ସୈତାନ ସିଂ ଙ୍କ ସମେତ କୁମାୟୁନ ରେଜିମେଣ୍ଟର ୧୧୩ ସରିକି ହରିୟାନାର ଅହୀର ବୀର ଦେଶ ମାତୃକା ପାଇଁ ନିଜର ପ୍ରାଣ ବଳିଦାନ ଦେଇ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆମ ଭାରତ ମାଟିର ଏକ ପବିତ୍ର ଭୁଖଣ୍ଡକୁ ସେଦିନ ରକ୍ଷା କଲେ ।
ସେ ଯୁଦ୍ଧରେ ଯେଉଁ ଛ ସାତ ଜଣ ସୈନିକ ବଞ୍ଚି ଯାଇଥିଲେ ସେମାନେ ଗୁରୁତର କ୍ଷତ ବିକ୍ଷତ ହୋଇ ସଂଜ୍ଞାହୀନ ଥିଲେ, ସେହି ସଂଜ୍ଞାହୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସେଦିନ ଯୁଦ୍ଧରୁ ପଛଘୁଞ୍ଚା ଦେଇଥିବା ଚୀନ ସୈନିକମାନେ ନିଜ ଶିବିରକୁ ଘୋଷାଡ଼ି ନେଇ ଯାଇଥିଲେ । ସେଠାରେ ତା ପରଦିନ ସେମାନଙ୍କର ସଂଜ୍ଞା ଫେରିଥିଲା, ସେତେବେଳକୁ ଚୀନ ଯୁଦ୍ଧ ବିରତି ଘୋଷଣା କରି ସାରିଥିଲା ।
ଚୀନ ସୈନିକମାନଙ୍କର ଯୁଦ୍ଧ ନିଶା ଉତୁରି ଯାଇଥିଲା, ସେମାନଙ୍କର ଆଉ ଭାରତୀୟ ସୀମା ଆଡ଼େ ସେତେଟା ନିଘା ନଥିଲା, ସମସ୍ତେ ଯୁଦ୍ଧ କ୍ଳାନ୍ତି ମେଣ୍ଟାଉଥିଲେ । ଚେତା ଫେରିଲା ପରେ ସେ ତିନିଜଣ ସୈନିକ ମଉକା ଦେଖି ଚୀନ ଶିବିରରୁ ଖସି ପଳାଇ ଆସିଲେ । ସେମାନେ ଭାରତୀୟ ସୀମାରେ ପ୍ରବେଶକରି ଦେଖିଲେ ତାଙ୍କ ସାଥୀମାନଙ୍କର ବୀରତ୍ୱର ଲଢ଼େଇର ନିଦର୍ଶନ କେହି ଜଣେ ବି ପଛ ଘୁଞ୍ଚା ଦେଇ ନାହାନ୍ତି, ବିଯୁକ୍ତ ୪୫ ଡିଗ୍ରି ତାପମାତ୍ରାରେ ।
ଖାଦ୍ୟାଭାବ, ବସ୍ତ୍ରାଭାବ ଜନିତ ପରିସ୍ଥିତିରେ କେହି କେହି ସୈନିକ ଫାୟାର କରିବାକୁ ବନ୍ଧୁକର ଟ୍ରିଗର ଉପରେ ହାତ ରଖିଛନ୍ତି ଅଥଚ ଶତ୍ରୁର ଗୁଳିରେ କ୍ଷତ ବିକ୍ଷତ ଶରୀର ପ୍ରବଳ ଶୀତର ପ୍ରକୋପକୁ ସହି ପାରିନି, ସେହି ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି । କେହି ସୈନିକ ହ୍ୟାଣ୍ଡ ଗ୍ରେନେଡ଼୍ ଫିଙ୍ଗିବାକୁ ଦାନ୍ତରେ କାମୁଡ଼ି ଗ୍ରେନେଡ଼୍ରୁ ପିନ୍ ବାହାର କରୁଥିବା ଅବସ୍ଥାରେ ଭୋକ ଉପବାସ ଓ ଉପଯୁକ୍ତ ଶୀତବସ୍ତ୍ର ବିହୀନ ଶରୀର ପ୍ରବଳ ତୁଷାରପାତକୁ ସହ୍ୟ କରିପାରିନି, ତାଙ୍କର ସେହି ହାତ ସେଇଠି ଅଛି, ଗ୍ରେନେଡ଼୍ ସେମିତି ମୁହଁରେ ଲାଗିଛି ଅଥଚ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି ।
କେହି ଜଣେ ବି ସହୀଦ ଭାରତଆଡ଼କୁ ମୁହଁକରି ପ୍ରାଣତ୍ୟାଗ କରିନାହାନ୍ତି, ଗୁଳି ଖାଇଛନ୍ତି ତ ସାମନା ପଟୁ ଛାତିରେ ଗୁଳି ଖାଇଛନ୍ତି, ପିଠିରେ ନୁହେଁ । ପୁଣି ଏମାନେ ୧୧୩କୁ ଚୀନର ୧୧୦୦ ରୁ ଉର୍ଧ୍ୱ ସୈନିକଙ୍କୁ ସହୀଦ କରିଛନ୍ତି ।
ନିଜ ସାଥୀ ମାନଙ୍କର ବିରଳ ଦେଶପ୍ରେମ ଦେଖି ଚୀନ ଶିବିରରୁ ଖସିଆସିଥିବା ଅତି ଗୁରୁତର କ୍ଷତ ବିକ୍ଷତ ସୈନିକଙ୍କ ଦେହରେ ହଠାତ୍ ଶତ ସିଂହର ଶକ୍ତି ସଞ୍ଚରୀ ଗଲା । ସେମାନେ ଫେରି ଆର୍ମି ହେଡ଼୍କ୍ୱାର୍ଟରକୁ ଯାଇ ଆମ ଯବାନମାନଙ୍କର ଏ ଅଭୁତପୂର୍ବ ବୀରତ୍ୱର ଗାଥା ବଖାଣିଛନ୍ତି ।
ହେଲେ ହାୟ! କେହି ବଡ଼ ହାକିମ ଏ ଯବାନମାନଙ୍କ କଥାକୁ ବିଶ୍ୱାସ କରିନାହାନ୍ତି କି ଗୁରୁତ୍ୱ ଦେଇ ନାହାନ୍ତି । ବରଂ ମିଛ କହୁଥିବାରୁ ବିଚରା ତଳ ପାହ୍ୟାର ଏ ବୀର ଯବାନଙ୍କୁ କଥା ମିଛ ହୋଇଥିଲେ କୋର୍ଟମାର୍ଶାଲ ଦଣ୍ଡ ଦିଆଯିବାର ନାଲିଆଖି ମଧ୍ୟ ଦେଖାଇଛନ୍ତି । ଲଢ଼ୁଆ ବୀର, ଯିଏ ଭାରତମାତା ପାଇଁ ସୀମାରେ ତାର ଛାତିରୁ ରକ୍ତ ନିଗାଡ଼ି ଦେଇଛି, ସିଏ କଣ ସହଜେ ଛାଡ଼ିବ କି ?
ଏ ଯବାନମାନେ ବାରମ୍ୱାର ବହୁ ହାକିମଙ୍କୁ ଏକଥା କହିଛନ୍ତି, ଥରେ ମାତ୍ର ସେ ଅଞ୍ଚଳ ବୁଲି ଦେଖି ଆସିବାକୁ ବାରମ୍ୱାର ଅନୁରୋଧ କରିଛନ୍ତି, କେହି କର୍ଣ୍ଣପାତ କରି ନାହାନ୍ତି ।
ଏମିତି ଦେଢ଼ ମାସ ବିତିଯାଇଛି । କଥାଟା ଅଗ୍ନି ସ୍ଫୁଲିଙ୍ଗପରି ଧୀରେ ଧୀରେ ସୈନିକମାନଙ୍କ ମଧ୍ୟରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଶେଷରେ ବଡ଼ ହାକିମମାନେ ସେଠାକୁ ଯିବାକୁ ରାଜି ହୋଇଛନ୍ତି । ସେଠାରେ ପହଞ୍ଚି କେତେ ଯେ ଭାବବିହ୍ୱଳ ହୋଇଛନ୍ତି, ଆମ ସୈନିକ ମାନଙ୍କର ପରାକ୍ରମ ଓ ଦେଶପ୍ରେମ ଦେଖି । କେତେ ଯେ ଆନନ୍ଦ ଆତ୍ମହରା ହୋଇଛନ୍ତି ତାହା ଅକଳନୀୟ ।
ଏଠାରେ ଆଉ ଗୋଟିଏ କଥା କହିଦିଏ, ଯୁଦ୍ଧ ବିରାମ ପରେ କୌତୁହଳ ବଶତଃ କେବେ ଥରେ ଚୀନ ସେନା ସେ ଅଞ୍ଚଳରେ ପାଟ୍ରୋଲିଂ କଲାବେଳେ ସେଠାକୁ ଆସିଛି । ସେମାନେ ଭାରତୀୟ ସୈନିକମାନଙ୍କର ଏ ଦେଶପ୍ରେମ ଓ ବୀରତ୍ୱରେ ଅଭିଭୁତ ହୋଇ ନିଜର ମଥାନତ କରିଛନ୍ତି । ସମ୍ମାନସ୍ୱରୂପ ବନ୍ଧୁକକୁ ଓଲଟାଇ ତାର ମୁନକୁ ମାଟିରେ ପୋତି ତା ଉପରେ ତାଙ୍କର ଟୋପି ରଖି ଦେଇ ଯାଇଛନ୍ତି ।
କାରଣ ସେମାନେ ବି ସୈନିକ ନା ଆଉଜଣେ ସୈନିକର ବଳିଦାନ ଗାଥାକୁ ତାଙ୍କଠାରୁ ଆଉ କିଏ ବା ଅଧିକ ହୃଦୟଙ୍ଗମ କରିପାରନ୍ତା।
ଏକଥା ଭାରତୀୟ ସେନାର ସର୍ବୋଚ୍ଚ ପଦାଧିକୀରୀମାନେ ମଧ୍ୟ ଦେଖିଛନ୍ତି । ଏ ସବୁ ସ୍ୱଚକ୍ଷୁରେ ଦେଖିଲା ପରେ କିଏ ବା ଭାବ ବିହ୍ୱଳ ନହେବ ଯେ । ଫଳରେ ଏ କୁମାୟୁନ ରେଜିମେଣ୍ଟର ଅହୀର ସେନାଙ୍କ ଉପରେ ମେଡ଼ାଲର ବର୍ଷା ବର୍ଷିଛି, ପରମବୀର ଚକ୍ର ଠୁ ଆରମ୍ଭ କରି କେତେ ଯେ ମେଡ଼ାଲ କିଏ ଗଣୁଚି । ବିଶ୍ୱଯୁଦ୍ଧ ଇତିହାସରେ ଏହା ଆଜି ପର୍ଯ୍ୟନ୍ତ ସର୍ବକାଳୀନ ସର୍ବୋତ୍କୃଷ୍ଟ ଦେଶପ୍ରେମର ମାନ୍ୟତା ପାଇଛି ।
ଲଦାଖର ରଜାଙ୍ଗ୍ ଲା ଯୁଦ୍ଧ ସ୍ମାରକୀ ସ୍ଥଳ ଏବେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର ପାଲଟିଛି । କେବଳ ଭାରତୀୟ କାହିଁକି ସମଗ୍ର ବିଶ୍ୱର ନାଗରିକ ସେ ପବିତ୍ର ସ୍ମାରକୀ ସ୍ଥଳକୁ ଜୀବନରେ କେବେ ନା କେବେ ଥରେ ସ୍ପର୍ଶ କରି ସେ ମାଟିକୁ ସେ ବୀର ଯବାନମାନଙ୍କର ବଳୀଦାନକୁ ଥରେ ନମନ କରିବାକୁ ଚାହୁଁଛନ୍ତି । ମୁଁ ତ ଏକଥା ଅନୁଭବ କରିଛି, ଆପଣମାନେ ଥରେ ସେ ସ୍ଥାନରେ ନିଜର ମଥା ଛୁଆଁଇ କିଛି ଅନୁଭବ ସାଉଣ୍ଟି ଆସନ୍ତୁ ନା ।
ହଁ ମୁଁ କଣ କହୁଥିଲି, କଥାଟା କୁଆଡ଼େ ଲମ୍ୱିଗଲା । ହଁ ମୁଁ କହୁଥିଲି ବିହାର ରେଜିମେଣ୍ଟ ଯବାନ । ଚୀନ ସେନାର କାହାକୁ ନମାରି କେବଳ ନିଜେ ମରି ଘରକୁ ଫେରିବ, ଏକଥା ମୋର ବିଶ୍ୱାସଯୋଗ୍ୟ କଥା ହେଉନି । ଆପଣମାନେ ତେଣିକି ଯାହା ଭାବନ୍ତୁ କି ଯୋଉ ଦେଶର ଖବର କାଗଜ ଯାହା କହୁ ପଛେ ।
ହଁ ଏଟା ଯଦି ଗୁଜୁରାଟି ରେଜିମେଣ୍ଟ ହେଇଥାଆନ୍ତା ତାହେଲେ ମତେ ବୁଝେଇ ଦେଲେ ହୁଏତ ମୋର ମନ ବୁଝି ଯାଆନ୍ତା କି କଣ । ହୁଏତ ଭ୍ରମରେ ପଡ଼ି ଭାବି ଦିଅନ୍ତି ଯେ ଗୁଜୁରାଟ ବେପାର ବଣିଜର ପେଣ୍ଠସ୍ଥଳ, ତେଣୁ ଗୁଜୁରାଟୀ ରେଜିମେଣ୍ଟର ଯୁଦ୍ଧ ଅପେକ୍ଷା ବେପାର ଅଧିକ ପ୍ରିୟ ହେଇଥିଲେ ହେଇଥିବ ।
ଦେଖୁ ନାହାନ୍ତି କରୋନା ଭଳି ଗୋଟେ ରାଷ୍ଟ୍ରୀୟ ବିପତ୍ତିବେଳେ ବି ଗୁଜରାଟୀ ବେପାରୀ ଗୋଷ୍ଠୀ ଦି ପାଞ୍ଚ ହଜାର ଶ୍ରମିକଙ୍କୁ ସାଇତିଲେ ନି, ଯେଉଁମାନେ ପୁଣି ତାଙ୍କ ପାଇଁ ବର୍ଷ ବର୍ଷ ଧରି ନିଜର ରକ୍ତକୁ ଝାଳ କରି ତାଙ୍କ ତିଜୋରୀ ଭର୍ତ୍ତି କରିଛନ୍ତି । ତେଣୁ ଗୁଜରାଟୀ ରେଜିମେଣ୍ଟ ହେଇଥିଲେ ସେମାନେ ସୀମାରେ କିଛି ଗୋଟେ ନହେବା ବେପାର ବି ଭିଆଣ କରି ଦେଇଥିବେ ବୋଲି ହୁଏତ ବିଶ୍ୱାସ କରି ହେଇ ଥାଆନ୍ତା ।
କିନ୍ତୁ ବିହାର ରେଜିମେଣ୍ଟ ସମ୍ପର୍କରେ ଏପରି ଭାବିବାକୁ ମତେ ଆଉ ଦି ତିନିଥର ଚେଷ୍ଠା କରିବାକୁ ପଡ଼ିବ । ଏମିତି ସିଧା ସିଧା କିଛି କହି ହେବ ନି । ଆଚ୍ଛା ଦି ଟା କଥା ମୁଁ ଜାଣିନି, ସେଥିପାଇଁ ପଚାରୁଚି । କିଛି ଖରାପ ନଭାବି କହିବେ କି, କୌଣସି ଖରାପ ମନ୍ତବ୍ୟ ନ ଦେବାକୁ ବିଶେଷ ଅନୁରୋଧ, କେବଳ କଥାଟି କହିବେ ଆଚ୍ଛା ସତ କହିବେ ।
ଆମ ସେନାବାହିନୀରେ ଗୁଜୁରାଟୀ ରେଜିମେଣ୍ଟ ନାମରେ କିଛି ରେଜିମେଣ୍ଟ ଅଛି କି ? ସୈନ୍ୟ ବିଭାଗରେ ନିଶ୍ଚୟ ବହୁତ ଗୁଜୁରାଟୀ ସୈନିକ ଥିବେ । ସେମାନେ ଏବେ ସବୁ କେଉଁ ବର୍ଡରରେ ନିୟୋଜିତ ହୋଇଛନ୍ତି । କେଜାଣି ମୋର ଗୁଜୁରାଟୀ ସୈନିକମାନଙ୍କ କଥା ଏଇଥିପାଇଁ ମନେପଡ଼ିଗଲା ଯେ ମୁଁ ଏକଥା ଲେଖିଲାବେଳେ ଆମ ଗାଁ ର ଦୁଇଟି ପିଲା , ମୋର ଜଣେ ପୁତୁରା ଓ ଆଉ ଜଣେ ନାତି, ଏବେ ଦେଶର ବର୍ଡରରେ କେଉଁଠି ନା କେଉଁଠି ଛିଡ଼ା ହେଇଥିବେ ।
ସେଥିପାଇଁ ତ ମୁଁ ସୁରକ୍ଷିତ ଅବସ୍ଥାରେ ଏଠି ବସି ଦୁଇଧାଡ଼ି ଲେଖିପାରୁଛି, ମୋର ଭଣଜାର ପୁଅ ନାତି ଟି ତ ଏବେ ଦୁଇ ମାସ ହେଲା ଲଦାଖରେ ପୋଷ୍ଟିଂ ହୋଇଛି । ସେମାନଙ୍କ ପାଇଁ ମୁଁ ଚିନ୍ତିତ, ଈଶ୍ୱର ସେମାନଙ୍କର କଲ୍ୟାଣ କରନ୍ତୁ ।
ଦ୍ୱିତୀୟତଃ, ଚୀନ ତ ଆମ ସାଙ୍ଗରେ ୧୯୬୨ରୁ ଆଜିଯାଏ ବର୍ଷ ବର୍ଷ ଧରି ଶତ୍ରୁତା କରି ଚାଲିଛି । ଆମକୁ ବାରମ୍ୱାର ଯୁଦ୍ଧରେ ପରାଭବ ଦେଉଛି । ହେଲେ ମୋଦିଜୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତିନି ତିନି ଥର ଚୀନ ଯାଇଥିଲେ କାହିଁକି ?
କଣ ଚୀନର ସୈନ୍ୟ ବଳ ଆକଳନ କରିବାକୁ ଯାଇଥିଲେ କି ?
ଜୟ ଯବାନ୍
ଜୟ କିଷାନ୍
ସେମାନଙ୍କ ତ୍ୟାଗକୁ କୋଟି କୋଟି ନମନ
ଫୋନ ନଂ – ୯୯୩୭୨ ୫୨୯୫୫