ଶ୍ରୀମନ୍ଦିରରେ ହେବ ଅସ୍ଥାୟୀ ପୁଷ୍କରିଣୀ, ମଦନ -ମୋହନ ଚାପ ଖେଳିବେ
ଭୁବନେଶ୍ଵର (ଓଡ଼ିଶା ଟାଇମ୍): ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପଞ୍ଚ ମହାଦେବ କମିଟି ସହ ଚାଲିଥିବା ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପାରମ୍ପରିକ ଭାବେ ସମସ୍ତ ନୀତିରୀତି ସହ ମହାପ୍ରଭୁଙ୍କ ପର୍ବ ବିଧି ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ନରେନ୍ଦ୍ର ପୁଷ୍କରିଣୀରେ ଯାହାସବୁ ନୀତି ହେଉଥିଲା ସେସମସ୍ତ ନିୟମାନୁସାରେ ଶ୍ରୀମନ୍ଦିର ଭିତରେ ହେବ ବୋଲି ଜଣାପଡ଼ିଛି।
ପ୍ରକାଶଥାଉକି କରୋନା ମହାମାରୀ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଦେଶ ଲକ୍ଡାଉନ୍ରେ ରହିଛି ଏବଂ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ସରକାର ଆଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣରେ ହେଉଥିବା ଅନେକ କାର୍ଯ୍ୟକ୍ରମ ବନ୍ଦ ରହିଯାଇଛି। କିନ୍ତୁ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅକ୍ଷୟତୃତୀୟା ନୀତି, ରଥକାମ, ଚନ୍ଦନଯାତ୍ରା ଓ ଚାପ ସମେତ ରଥଯାତ୍ରା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏନେଇ ଶୁକ୍ରବାର ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବା ସହ ଗଜପତି ମହାରାଜା ଏବଂ ଶଙ୍କରାଚାର୍ଯ୍ୟଙ୍କ ମତାମତ ମଧ୍ୟ ନିଆଯାଇଥିଲା। ସମସ୍ତ ଆଲୋଚନା ପରେ ଶ୍ରୀମନ୍ଦିର ଭିତର ପରିସରରେ ମହାପ୍ରଭୁଙ୍କ ସମସ୍ତ ନୀତିରୀତି ଯଥାପୂର୍ବକ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ପିତ୍ତଳ ଜଳକୁଣ୍ଡ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ଭିତରେ ୨୧ଦିନ ଧରି ମହାପ୍ରଭୁଙ୍କ ଜଳକ୍ରୀଡ଼ା ହେବା ସହ ମାଣ୍ଡୁଓ ଭୋଗ କରାଯିବ।
ଆଜିର ବୈଠକ ପରେ ପଞ୍ଚ ମହାଦେବ କମିଟି ମୁଖ୍ୟ ରବି ନାରାୟଣ ପଣ୍ଡା ଉପରୋକ୍ତ ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ସତର୍କତା ଦୃଷ୍ଟିରୁ ଏହିପରି ପଦକ୍ଷେପ ସବୁ ନିଆଯାଇଥିବା କୁହାଯାଇଛି।