ପ୍ରିୟଙ୍କାଙ୍କ ସାମ୍ନାରେ ଚ୍ୟାଲେଞ୍ଜ କ’ଣ ଜାଣନ୍ତୁ …
ଉତ୍ତର ପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଯୁକ୍ତ କରାଯିବା ପରେ ଦଳର କର୍ମକର୍ତ୍ତାଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖାଦେଇଛି। ୟୁପିରେ ଏସ୍ପି-ବିଏସ୍ପି ମେଣ୍ଟ ପରେ ଏକପାଖିଆ ହୋଇ ପଡ଼ିଥିବା କଂଗ୍ରେସ ପୁଣି ସୁଦୃଢ଼ ସ୍ଥିତି ଆଡ଼କୁ ଗତି କରୁଛି ବୋଲି କୁହାଯାଉଛି। ଦଳ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଅଣ୍ଟା ସଳଖିଛି। ତେବେ ଯଦିଓ ପ୍ରିୟଙ୍କାଙ୍କ ଲୋକପ୍ରିୟତା ଉତ୍ତର ପ୍ରଦେଶରେ କିଛି କମ୍ ନାହିଁ, ତଥାପି ତାଙ୍କୁ ଦୁଇଟି ବିରାଟ ଚ୍ୟାଲେଞ୍ଜ୍ର ସାମ୍ନା କରିବାକୁ ପଡ଼ିବ। ପ୍ରିୟଙ୍କା ଯେଉଁ ଆସନରେ ଲଢ଼ିବେ ବୋଲି କୁହାଯାଉଛି, ତାହା ଅତ୍ୟନ୍ତ ହାଇପ୍ରୋଫାଇଲ୍ ରହିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ସାଂସଦ ଅଛନ୍ତି।
କଂଗ୍ରେସ ପାଇଁ ଉତ୍ତର ପ୍ରଦେଶରେ ବିଗତ କିଛି ବର୍ଷ ମଧ୍ୟରେ ଅନେକ କିଛି ବଦଳିଯାଇଛି। ୧୯୮୪ରେ ଯେଉଁ କଂଗ୍ରେସ ୮୫ ଆସନରୁ ୮୩ଟିରେ ବିଜୟ ଲାଭ କରିଥିଲା, ୨୦୧୪ରେ ମାତ୍ର ଦୁଇଟି ଆସନରେ ସନ୍ତୁଷ୍ଟ ରହିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଠି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲିରେ ବିଜୟୀ ହୋଇଥିଲେ। ତେଣୁ ବର୍ତ୍ତମାନ ପରିସ୍ଥିତି କଂଗ୍ରେସ ସପକ୍ଷରେ ନାହିଁ। ଇତିମଧ୍ୟରେ ଏସ୍ପି ଓ ବିଏସ୍ପି ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଆର୍ଏଲ୍ଡି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ) ଏମାନଙ୍କ ସହ ସାମିଲ ହୋଇଛି। ଫଳରେ କଂଗ୍ରେସ ପାଇଁ ଅଡୁଆ ବଢ଼ିଛି।

ଏହାବ୍ୟତୀତ ପୂର୍ବ ଉତ୍ତର ପ୍ରଦେଶରେ ବିଜେପିର ଅନେକ ଟାଣୁଆ ନେତା ରହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (ଗୋରଖପୁର), ମନୋଜ ସିହ୍ନା (ଗାଜିପୁର), ମହେନ୍ଦ୍ର ନାଥ ପାଣ୍ଡେ (ଚନ୍ଦୌଲି), ରାଜନାଥ ସିଂହ (ଚନ୍ଦୌଲି), କେଶବ ପ୍ରସାଦ ମୌର୍ଯ୍ୟ (ପ୍ରୟାଗରାଜ) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ବାରାଣସୀ)ଙ୍କୁ ଏଠାରେ ଦେଖିବାକୁ ମିଳିବ। ବିଜେପିର ଏଭଳି ଟାଣୁଆ ନେତାମାନଙ୍କୁ ସାମ୍ନା କରିବା ପାଇଁ ଏସ୍ପି-ବିଏସ୍ପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। େତଣୁ ଏଥର ବିଜେପି ଏବଂ ଏସ୍ପି-ବିଏସ୍ପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଏଭଳି ସ୍ଥଳେ, ପ୍ରିୟଙ୍କା ଗାନ୍ଧୀଙ୍କ ସାମ୍ନାରେ ଦୁଇଟି ବଡ଼ ଚାଲେଞ୍ଜ୍ ଉପୁଜିଛି। ତେଣୁ କେଉଁ ରଣନୀତି ନେଇ ସେ ଲୋକସଭା ନିର୍ବାଚନରେ ବିଜେପି ଓ ଏସ୍ପି-ବିଏସ୍ପି ମେଣ୍ଟକୁ ସାମ୍ନା କରିବେ, ତାହା ଦେଖିବାକୁ ବାକି ରହିଲା।