ପୁଣି ଚକ୍ରବ୍ୟୁହରେ ବିଜୟ

ବିଗତ ଦୁଇ ଦଶନ୍ଧି ଧରି ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ରାଜନୈତିକ ନେତା ହେଉଛନ୍ତି ପାଟକୁରାର ବିଜୟ ମହାପାତ୍ର। ଜୀବନରେ ରାଜନୀତିର ଆରମ୍ଭରୁ ଯେଭଳି ଭାବେ ଚକ୍ରବ୍ୟୁହ ମଧ୍ୟରେ ପ୍ରବେଶ କରି ସଫଳତା ପାଇଥିଲେ ସେହିପରି ରାଜନୀତି ଜୀବନରେ ଶେଷ ପର୍ଯ୍ୟାୟରେ ବିଜୟ ମହାପତ୍ର ଚକ୍ରବ୍ୟୁହ ମଧ୍ୟରେ ପ୍ରବେଶ କରିବାକୁ ଯାଉଛନ୍ତି।

ଆରମ୍ଭରୁ ରଣକ୍ଷେତ୍ର ଥିଲା ପାଟକୁରା ଓ ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ସେହି ପାଟକୁରା। ୧୯୯୦ ମସିହାରେ ଦେଶ ଓ ରାଜ୍ୟରେ ସାଧାରଣ ନିର୍ବାଚନରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ପାଟକୁରା ବିଧାନସଭା ତଥା କେନ୍ଦ୍ରାପଡା ଲୋକସଭା ପାଇଁ ଜନତାଦଳରୁ ପ୍ରାର୍ଥୀ ହୋଇ ଜୟଯୁକ୍ତ ହେଇଥିଲେ। ତେଣୁ ପାଟକୁରା ବିଧାନସଭା ଆସନରୁ ବିଜୁବାବୁ ଇସ୍ତଫା ଦେବା ପରେ ପାଟକୁରାରେ ଉପନିର୍ବାଚନ ହୋଇଥିଲା। ସେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଚାଲିଥାଏ। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ଗ୍ରାମପଞ୍ଚାୟତରେ ରାଜ୍ୟର ଜଣେ ଲେଖାଏଁ ବିଧାୟକ ରହି ନିର୍ବାଚନ ପରିଚାଳନା କରିଥିଲେ।

ପରିଶେଷରେ ବିଜୟ ମହାପାତ୍ର କଂଗ୍ରେସର ଏହି ଚକ୍ରବ୍ୟୁହକୁ ଭେଦ କରି ବିଜୟୀ ହେଇଥିଲେ। ତା’ପରେ ଲଗାତାର ଭାବେ ଚାରି ଚାରି ଥର ପାଟକୁରା ବିଧାୟକ ଭାବେ ନିର୍ବାଚିତ ହୋଇଚାଲିଲେ। କଂଗ୍ରେସ ସରକାରରେ ଥିବା ବେଳେ ୩ଥର ଓ ଜନତା ଦଳ ସରକାରରେ ଥରେ ନିର୍ବାଚିତ ହେଇଥିଲେ।

କିନ୍ତୁ ୨୦୦୦ ମସିହା ପରେ ତାଙ୍କ ରାଜନୈତିକ ଜୀବନରେ କଳାବାଦଲ ଛାଇ ହୋଇଯାଇଥିଲା। ବିଜୁ ବାବୁଙ୍କ ମୃତ୍ୟୁ ପରେ ୧୯୯୮ରେ ସକ୍ରୀୟ ଅଂଶଗ୍ରହଣ କରି ଯେଉଁ ବିଜୁ ଜନତା ଦଳ ଗଠନ କରିଥିଲେ ସେହି ଦଳରୁ ହିଁ ତାଙ୍କୁ ବିଶ୍ୱାସଘାତକତା କରାଯାଇ ୨୦୦୦ ମସିହା ନିର୍ବାଚନରେ ନାମାଙ୍କନପତ୍ର ଦାଖଲ କରିବା ପରେ ମଧ୍ୟ ତାଙ୍କୁ ଦଳରୁ ବିତାଡିତ କରାଯାଇଥିଲା। ଏପରିକି ବିଜୟ କିପରି କେବେ ବି ବିଧାନସଭାକୁ ନ ଆସିପାରିବେ ସେଥିପାଇଁ ବିଗତ ନିର୍ବାଚନମାନଙ୍କରେ ବିଜେଡି ପକ୍ଷରୁ କୌଶଳ ଅବଲମ୍ୱନ କରାଯାଇ ୩ଟି ସାଧାରଣ ନିର୍ବାଚନରେ ହରାଇ ଦିଆଯାଇଥିଲା।

ଚଳିତ ନିର୍ବାଚନରେ ବିଜୟ ବିଜେପି ପକ୍ଷରୁ ପ୍ରାର୍ଥୀ ହେବା ପରେ ବିଜୁ ଜନତା ଦଳ ମଧ୍ୟରେ ବେଶ ଛନକା ପଶିଥିଲା। ତେଣୁ ମୃତ୍ୟୁ ଶଯ୍ୟାରେ ସଂଗ୍ରାମ କରୁଥିବା ୮୨ ବର୍ଷିୟ ବିଧାୟକଙ୍କୁ ବିଜଦ ପ୍ରାର୍ଥୀ କରାଇ ପାଟକୁରାରେ ଉପନିର୍ବାଚନ ଉପରେ ନଜର ରଖିଥିଲା। ସତକୁ ସତ ବି ପ୍ରାର୍ଥୀ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଏପ୍ରିଲ ୨୦ ତାରିଖରେ ମୁତ୍ୟୁ ହେଇଥିଲା। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ପାଟକୁରା ବିଧାନସଭା ପାଇଁ ଏପ୍ରିଲ ୨୯ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖାଗଲା।

ବିଜେଡିରୁ ପାଟକୁରାରେ ପ୍ରାର୍ଥୀ ହେବା ପାଇଁ ବହୁ ଯୁବନେତା ଦଳର ସୁପ୍ରିମୋଙ୍କୁ ଆବେଦନ କରିଥିଲେ ମଧ୍ୟ ଅନୁକମ୍ପା ଭୋଟ ହାତେଇବା ପାଇଁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ସହଧର୍ମିଣୀ ସାବିତ୍ରୀ ଅଗୱାଲାଙ୍କୁ ପ୍ରାର୍ଥୀ କରାଗଲା। ଶେଷରେ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ମେ’ ୨୩ ତାରିଖରେ ଫଳାଫଳ ଘୋଷଣା ପୂର୍ବରୁ ମେ’ ୧୯ତାରିଖରେ ପାଟକୁରା ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ।

ଯୋଗକୁ ମେ’ ୩ ତାରିଖରେ ହେବାକୁ ଥିବା ଫୋନି ବାତ୍ୟାକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଆପତ୍ତି ଉଠାଇ ପାଟକୁରା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଅନୁରୋଧ କଲେ ଏବଂ ଏହା କମିଶନର ଗ୍ରହଣ କରି ଆହୁରି ୬୦ ଦିନ ପାଇଁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ନିର୍ବାଚନ ଆସନରୁ ଜିତିଥିବାରୁ ଯେକୌଣସି ଗୋଟିଏ ବିଧାନସଭା ଆସନରୁ ଇସ୍ତଫା ଦେବେ ଓ ସେଠାରେ ଉପନିର୍ବାଚନ ସହିତ ହୁଏତ ପାଟକୁରା ନିର୍ବାଚନ ହେବ ବୋଲି ଆଲେଚନା ହେଉଛି।

ଏବେ ପାଟକୁରା ନିର୍ବାଚନ ହେଲେ ସରକାରୀ କଳ ଓ ବଜେଡି ଟିମ ଗାଁ ଗାଁ ଓ ପଞ୍ଚାୟତଗୁଡିକରେ କ୍ୟାମ୍ପ କରି ରହି ଏକ ଚକ୍ରବ୍ୟୁହ ସୃଷ୍ଟି କରିବେ ବୋଲି ଯୋଜନା ଚାଲିଛି। ସହଜେ ତ ଗତ ମାସ ୨୯ ତାରିଖ ନିର୍ବାଚନ ଫଳାଫଳରେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ପାଟକୁରା ନିର୍ବାଚନମଣ୍ଡଳୀରୁ ମାତ୍ର ୬ ହଜାର ୩ଶହ ୨୩ ଖଣ୍ଡ ଭୋଟ ଅଧିକା ପାଇଛନ୍ତି। ଏଣୁ ଗତ ଏପ୍ରିଲ ୨୯ ତାରିଖ ହେଉ ବା ମେ’ ୧୯ ତାରିଖ ହେଉ ଯେବେ ବି ପାଟକୁରା ବିଧାନସଭା ନିର୍ବାଚନ ଯଦି ହେଇଥାଆନ୍ତା ତେବେ ବିଜୟ ମହାପାତ୍ରଙ୍କ ବିଜୟ ସମ୍ଭାବନା ନିଶ୍ଚିତ ଥିଲା।

ପାଟକୁରା ନିର୍ବାଚନ ଘୁଞ୍ଚାଇବାର ରଣ କୌଶଳ ବିଜେଡି ପାଇଁ କାମ ଦେଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଏହା ମଧ୍ୟରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଅଗ୍ରୱାଲା ସରକାରୀ ରିଲିଫ ବଣ୍ଟନ କରିବା ସହିତ ନିଜ ତରଫରୁ ବିଜେଡି ଲୋକମାନଙ୍କୁ ଶଙ୍ଖ ଚିହ୍ନ ଥାଇ ପାଲ ବଣ୍ଟନ କରିଥିବା ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ହେଇଥିଲା। ସେଥିପାଇଁ ପାଟକୁରା ନିର୍ବାଚନ ଘୁଞ୍ଚାଇବାରେ ବିଜେଡିର ରଣକୌଶଳ ସଫଳ ହେଉଛି ବୋଲି ଆଲୋଚନା ହେଉଛି।

ବିଜେଡି ଯେତେ ପ୍ରକାର ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇଲେ ମଧ୍ୟ ପାଟକୁରାବାସୀ ଏଥର ମତେ ଜିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ମୁଁ ନିଶ୍ଚିତ ଜୟଯୁକ୍ତ ହେବି ଏବଂ ଏହା ଧର୍ମର ଜୟ ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି। ଏଣୁ ରାଜନୈତିକ ଜୀବନରେ ପ୍ରଥମ ପାହାଚରେ କଂଗ୍ରେସର ଚକ୍ରବ୍ୟୁହରୁ ବାହାରି ଆସିଥିବା ବିଜୟ ଏଥର ନିଜର ହାତଗଢା ବିଜେଡି ଦଳର ଚକ୍ରବ୍ୟୁହରୁ କିଭଳି ବାହାରି ଆସିବେ ତାହା ସମୟ କହିବ।

Leave a Reply

Your email address will not be published.