ଫୋନି ପରେ: ୧୨ ସୁଦ୍ଧା ଭୁବନେଶ୍ଵରର ସବୁ ସ୍ଥାନରେ ବିଜୁଳି ମିଳିବା ସମ୍ଭାବନା

ଭୁବନେଶ୍ଵର, (ଓଟି):  ଭୁବନେଶ୍ଵରରେ ବିଜୁଳି  ସରବରାହ ବ୍ୟବସ୍ଥା ସୁରୁଖୁର କରିବାକୁ ଆହୁରି ତିନିଦିନ ସମୟ ଲାଗିବ। ଧାର୍ଯ୍ୟ ଲକ୍ଷ୍ୟଠାରୁ ଦ୍ରୁତ ଗତିରେ କାର୍ଯ୍ୟକୁ ଆଗକୁ ବଢ଼ାଉଥିବା ବିଜୁଳି ବିଭାଗ ୯ ତାରିଖ ସୁଦ୍ଧା ଧାର୍ଯ୍ୟ ସ୍ଥାନଗୁଡ଼ିକ ସହ ଅନ୍ୟ କିଛି ଅଞ୍ଚଳରେ ବିଜୁଳି ସଂଯୋଗ କରିପାରିଛି। ଏହି ଧାରା ଜାରି ରହିଲେ ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ଵରର ପ୍ରତିଟି ଅଞ୍ଚଳରେ ବିଜୁଳି ପହଞ୍ଚାଯାଇପାରିବ ବୋଲି ଆଶା କରିଛନ୍ତି ସରକାର।

ଭୁବନେଶ୍ୱର ସହରରେ ସେସୁ ଅଧୀନସ୍ଥ ତିନୋଟି ଡିଭିଜନର ୧୫୬ଟି ଫିଡର ମଧ୍ୟରୁ ଆଜି ସୁଦ୍ଧା ୬୫ଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥା ଏବଂ ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ସଂପୂର୍ଣ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ରାତି ସୁଦ୍ଧା ବିସିଡିଡି -୧ର ବାକି ରହିଥିବା ୬ଟି ଫିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅବିରତ ପ୍ରଚେଷ୍ଟା ଚାଲିଛି। ସେହିଭଳି ବିସିଡିଡି-୨ ଅନ୍ତର୍ଗତ ୬୯ଟି ୧୧କେଭି ଫିଡର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯ଟିକୁ ଚାର୍ଜ କରାଯାଇ ୩୩ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି ଏବଂ ଅତିରିକ୍ତ ୨୫ ହଜାର ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗୀକରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଏହି ଉପଭୋକ୍ତାଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ବସ୍ତିବାସିନ୍ଦା ମଧ୍ୟ ଅନ୍ତର୍ଭୁକ୍ତ । ସେହିଭଳି ଭୁବନେଶ୍ୱର ବିଦୁ୍ୟତ ଡିଭିଜନ୍‌ର ସହରାଞ୍ଚଳର ମୋଟ ୨୧ଟି ୧୧ କେଭି ଫିଡ଼ର ମଧ୍ୟରୁ ୧୫ଟି ଫିଡର୍‌ ଚାର୍ଜ କରାଯାଇଛି । ଅବଶିଷ୍ଟ ୬ଟି ଫିଡର୍‌କୁ ଆଜି ରାତି ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଚାଲିଛି। ଭୁବନେଶ୍ୱର ବିଦ୍ୟୁତ ଡିଭିଜନ ଅନ୍ତର୍ଭୁକ୍ତ ସହରାଞ୍ଚଳର ୭୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୧୬ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସେବା ଯୋଗାଇ ଦିଆଯାଇଛି । ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍‌ପିଟାଲ୍‌ଗୁଡ଼ିକୁ ବିଦ୍ୟୁତ ସଂଯୋଗୀକରଣ ସଫଳତାର ସହିତ ସଂପନ୍ନ ହୋଇଛି ।

 

Leave a Reply

Your email address will not be published.