ମୋଦୀଙ୍କ ନବୀନ ପ୍ରୀତି : ରାଜ୍ୟ ବିଜେପି ଅଡ଼ୁଆରେ

ଭାରତୀୟ ଜନତାପାର୍ଟି ରବିବାର ଦିନ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଦଳର ଜୟ ଓ ପରାଜୟର ସମୀକ୍ଷା କରିଛି। ଓଡ଼ିଶାରେ ୧୨୦ ବିଧାନସଭା ଆସନ ଜିତିବା ପାଇଁ ବିଜେପି ନେତାମାନେ ବାରମ୍ୱାର ଆସ୍ପର୍ଦ୍ଧା କରୁଥିଲେ। କିନ୍ତୁ ଏହି ଲକ୍ଷ୍ୟ ପୂରଣରେ ଶୋଚନୀୟ ଭାବେ ବିଜେପି ନେତାମାନେ ବିଫଳ ହୋଇଛି। ୧୨୦ ବଦଳରେ ୨୩ ଟି ଆସନ ବିଜେପି ଜିତିବାରେ ସମର୍ଥ ହୋଇଛି।

କିନ୍ତୁ ଲୋକସଭା ନିର୍ବାଚନରେ ସାମାନ୍ୟ ସଫଳତା ଦଳୀୟ ନେତାଙ୍କୁ ଖୁବ ଆଶ୍ୱସ୍ତ କରିଛି। ୨୧ଟିରୁ ୮ଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ଖୁବ ଅଳ୍ପଭୋଟ ବ୍ୟବଧାନରେ ୩ଟି ଆସନରେ ପରାଜିତ ହୋଇଛି। ତେବେ ୧୨୦ ନହେଲା ନାହିଁ କାହିଁକି ୫୦ରୁ ଅଧିକ ଆସନ ଜିଣିପାରିଲା ନାହିଁ, ସେନେଇ ଅନେକ ବିଜେପି ନେତା ଖୁବ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି।

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ମର୍ଯ୍ୟାଦା ମିଳିଛି। ଭୋଟ ପ୍ରତିଶତ ମଧ୍ୟ ଯଥେଷ୍ଟ ବଢିଛି। ବିଧାନସଭାରେ ଦଳକୁ ୩୨% ଏବଂ ଲୋକସଭାରେ ୩୮% ଭୋଟ ମିଳିଥିବା ବେଳେ ସଂଖ୍ୟାକୁ ଯେଉଁ ଆଶା ଦଳର ନେତାମାନେ କରିଥିଲେ, ତାହା ପୂରଣ ହୋଇନାହିଁ। ପ୍ରତ୍ୟେକ ପରାଜୟର କେବଳ ଗୋଟିଏ କାରଣ ନଥାଏ। ଅନେକ କାରଣ ଭିନ୍ନଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପରାଜୟର କାରଣ ହୋଇଛି।

ତେବେ ସବୁଠୁ ବଡ଼ କାରଣ ହେଲେ ବିଜେପି ହାଇକମାଣ୍ଡ। ରବିବାରର ସମୀକ୍ଷା ବୈଠକରେ ଅନେକ ନେତା ଅନେକ କାରଣ ଦର୍ଶାଇଛନ୍ତି। ବେଶ କେତେକ ଆସନରେ ଦଳୀୟ ପ୍ରାର୍ଥୀମାନେ ଦଳ ଭିତରୁ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ଦ୍ୱାରା ଅନ୍ତର୍ଘାତି କାର୍ଯ୍ୟ ଦ୍ୱାରା ପରାଜିତ ହୋଇଛନ୍ତି। ବିଶେଷତଃ ଦଳର ପୁରୁଖା ନେତାମାନେ ନୂଆ ନେତାଙ୍କ ବିରୋଧରେ ଭତିରି ଷଡଯନ୍ତ୍ର କରି ବିଜୁ ଜନତା ଦଳକୁ ସାହାଯ୍ୟ କରିଛନ୍ତି। ଏହା ହୋଇନଥିଲେ ଅନ୍ତତଃ ପକ୍ଷେ ଆହୁରି ୧୦ଟି ଆସନ ବିଜେପି ହାତକୁ ଯାଇଥାନ୍ତା।

ଦ୍ୱିତୀୟ କାରଣଟି ହେଲା ଦୁର୍ବଳ ପ୍ରାର୍ଥୀ ଚୟନ। ସଂଘ ପରିବାର ସହ କିଛି ନେତାଙ୍କ ସମ୍ପର୍କ ଥିବାରୁ ସେମାନେ ବାରମ୍ୱାର ହାରୁଥିଲେ ସୁଦ୍ଧା, ସେମାନଙ୍କୁ ପୁଣି ପ୍ରାର୍ଥୀ କରାଯାଇଥିଲା। କେତେକ ସ୍ଥାନରେ ରାଜ୍ୟ ନେତୃତ୍ୱ ନିଜର ବିରୋଧିଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସଠିକ ପ୍ରାର୍ଥୀ ଚୟନ କରିନଥିଲେ। ଯଥେଷ୍ଟ ଆଗରୁ ନିର୍ବାଚନ ପ୍ରସ୍ତୁତି ସତ୍ତ୍ୱେ ବିଜେଡି ଏବଂ କଂଗ୍ରେସରୁ ପ୍ରାର୍ଥୀ ଆସିବେ ବୋଲି ଧରିନେଇ ଦଳ ଚୁପ ବସି ରହିବା କାରଣରୁ ବେଶ କେତେକ ଆସନରେ ବିଜେପି ବିପର୍ଯ୍ୟୟର ସମ୍ମୁଖିନ ହେଲା। ଏହାକୁ ଏଡାଇ ଦିଆଯାଇଥିଲେ ଆହୁରି ୧୨ରୁ ୧୫ଟି ଆସନ ବିଜେପି ପାଇଥାନ୍ତା।

ଏହାଛଡ଼ା ବିଜୁ ଜନତା ଦଳର ସୂକ୍ଷ୍ମ ନିର୍ବାଚନ ପରିଚାଳନାକୁ ଟକ୍କର ଦେଇପାରିଲା ନାହିଁ ବିଜେପି। କିନ୍ତୁ ସବୁଠୁ ବଡ଼ କାରଣ ଭାବେ ବିବେଚନା କରାଯାଉଛି ହାଇକମାଣ୍ଡଙ୍କ ମତିଗତିକୁ। ନବୀନ ସରକାରଙ୍କ ପ୍ରତି ନରମ ଏବଂ ଦରଦି ମନୋଭାବ ପୋଷଣ କାରଣରୁ ଯେଉଁ ସନ୍ଦେହ ସାଧାରଣ ଭୋଟରଙ୍କ ମନରେ ସୃଷ୍ଟି ହେଲା ତାହା ବିଜେପିକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଇଲା।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ସରକାରଙ୍କୁ ଘେରିବା ପରିବର୍ର୍େତ୍ତ ସାଲିସର ସଂକେତ ଦେଇଥିଲେ। ଫଳରେ ନିର୍ବାଚନ ବେଳେ ଆଉ ଯେତେ ଆକ୍ରମଣ ଭଙ୍ଗିରେ ନବୀନ ସରକାରଙ୍କୁ ସମାଲୋଚନା କଲେ ବି ଲୋକେ ତାହାକୁ ଗ୍ରହଣ କଲେ ନାହିଁ। ଏହି କାରଣରୁ ଲୋକସଭା ପାଇଁ ମୋଦୀଙ୍କୁ ଏବଂ ବିଧାନସଭା ସକାଶେ ନବୀନଙ୍କୁ ଲୋକେ ଅଧିକ ପସନ୍ଦ କଲେ।

ବିଜେଡି ପ୍ରତି ଯେପର୍ଯ୍ୟନ୍ତ ମୋଦୀ ସରକାରଙ୍କର ମତିଗତିରେ ପରିବର୍ତ୍ତନ ହେବ ନାହିଁ, ସେପର୍ଯ୍ୟନ୍ତ ୧୨୦ ଏକ ସ୍ୱପ୍ନ ହୋଇ ରହିଯିବ। ପଶ୍ଚିମବଙ୍ଗରେ ଏଥର ବିଜେପିର ଭୋଟ ହାର ୪୦ ଟପିବାର ବଡ଼ କାରଣ ହେଉଛି ଲୋକଙ୍କ ଭିତରେ ଏକ ଧାରଣା ସୃଷ୍ଟି ହେଲା ଯେ, ମମତାଙ୍କ ତୃଣମୂଳ କଂଗ୍ରେସକୁ କେବଳ ବିଜେପି ହିଁ ଟକ୍କର ଦେଇପାରିବ। ଏବେ ୨୦୨୧ ନିର୍ବାଚନ ଲାଗି ବିଜେପି ପଶ୍ଚିମବଙ୍ଗରେ ୨୫୦ଟି ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। ଲୋକସଭାରେ ୨୩ଟି ଆସନ ଜିଣିବାକୁ ଟାର୍ଗେଟ କରି ଦଳ ଜିତିଛି ୧୮ଟି ଆସନ।

ବିଜୁ ଜନତା ଦଳକୁ ଉପବାଚସ୍ପତି ପଦବୀ ଦେବା ପାଇଁ ବିଜେପିର ପ୍ରସ୍ତାବ ରାଜ୍ୟରେ ଦଳୀୟ କର୍ମୀଙ୍କୁ ଖୁବ ନିରାଶ କରିଦେଲାଣି। ଏହାଦ୍ୱାରା ବିଜେଡିକୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ସହଯୋଗୀ ଦଳ ଭାବେ ବିବେଚନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ରାଜ୍ୟ ନେତାମାନେ ଆତ୍ମଚିନ୍ତନ ବା ଆନ୍ତମନ୍ଥନ ଯେତେ କଲେ ବି ଲୋକଙ୍କ ଧାରଣା ବଦଳିପାରିବ ନାହିଁ। ସବୁ ଚାବି ଅଛି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ ପାଖରେ।

Leave a Reply

Your email address will not be published. Required fields are marked *