ଆସୁଛନ୍ତି ଅମିତ ଶାହ
ଭୁବନେଶ୍ୱର(ଓଟି): ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପରେ ତାହା କୌଣସି କାରଣରୁ ବାତିଲ ହୋଇଯାଇଥିଲା। କିନ୍ତୁ ଆସନ୍ତା ୨୮ରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଣି ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଦୁଇଦିନିଆ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ସିଏଏକୁ ସମର୍ଥନ ଜଣାଇ ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସଭାରେ ଶ୍ରୀ ଶାହ ଉଦ୍ବୋଧନ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।
ଉଲ୍ଲେଖଯୋଗ୍ୟଯେ କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଶ୍ରୀ ଶାହଙ୍କ ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ। ନାଗରିକ ସଂଶୋଧନ ଆଇନ୍ (ସିଏଏ) ସମର୍ଥନରେ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ବିଜେପି ପକ୍ଷରୁ ବିଶାଳ ଜନସଭା ହେବାକୁ ଯାଉଛି ଏବଂ ଏଥିରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଯୋଜନା କରାଯାଉଛି। ଏହି ସମାବେଶରେ ଗୃହମନ୍ତ୍ରୀ ଶ୍ରୀ ଶାହ ଯୋଗଦେବେ। ସେହିପରି ୨୯ରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ନାଗରିକ ସଂଶୋଧନ ଆଇନ୍ ବା ସିଏଏ ଲୋକସଭାରେ ପାସ୍ ହେବା ପରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନସଭା କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଜେପିର ନେତୃବୃନ୍ଦ ଉକ୍ତ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ସହ ପଦଯାତ୍ରା ଓ ଅନ୍ୟାନ୍ୟା କାର୍ଯ୍ୟକ୍ରମ କରିଆସୁଛନ୍ତି।