ଅଯୋଧ୍ୟା ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ : ଅଣବିବାଦୀୟ ଜମିକୁ ଭାରତ ସରକାରଙ୍କୁ ଫେରସ୍ତ କରାଯାଉ

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚନ ପୂର୍ବରୁ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରି ଅଯୋଧ୍ୟାରେ ବିବାଦୀୟ ସ୍ଥଳୀକୁ ଛାଡ଼ି ଅନ୍ୟ ଜାଗା ଅର୍ଥାତ୍ ଯାହା ବିବାଦୀୟ ନୁହେଁ ଅଥଚ ତା’ଉପରେ ସ୍ଥିତାବସ୍ଥା ଜାରି ରହିଛି, ତାହାକୁ ରାମ ଜନ୍ମଭୂମି ନ୍ୟାସ ବା ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ସରକାରଙ୍କ ଏହି ପଦକ୍ଷେପ ବହୁ ଗୁରୁତ୍ୱ ବହନ କରୁଛି। କାରଣ ନିର୍ବିବାଦୀୟ ଜାଗାରେ ମନ୍ଦିରର ବାହ୍ୟ ଅଂଶ ନିର୍ମାଣ କାମ ଆରମ୍ଭ କରାଯାଇପାରିବ। ରାମ ଜନ୍ମଭୂମି ନ୍ୟାସ ସଭାପତି ରାମ ବିଳାସ ବେଦାନ୍ତି କହିଛନ୍ତି ଯେ ସେମାନଙ୍କ ମାଲିକାନାରେ ଥିବା ଜମି ଉପରୁ ସ୍ଥିତାବସ୍ଥା ଉଠିଗଲା ମାତ୍ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

୧୯୯୨ ମସିହାରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। ତେବେ ତା’ ପୂର୍ବରୁ ଷୋଡ଼ଶ ଶତାବ୍ଦୀର ଏହି ମସଜିଦ ଯେଉଁ ସ୍ଥାନରେ ରହିଛି ସେଠାରେ ସୁପ୍ରିମ୍‌କୋର୍ଟ ସ୍ଥିତାବସ୍ଥା ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ବିବାଦୀୟ ସ୍ଥଳୀ ନିକଟରେ ଯେଉଁ ନିର୍ବିବାଦୀୟ ଜାଗା ରହିଛି, ସେଗୁଡ଼ିକୁ ଛାଡ଼ି ଦେବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି।

୦.୩୧୩ ଏକର ଜମି ବିବାଦିତ

ସରକାର ୨୫ ବର୍ଷ ତଳେ ସେଠାରେ ୬୭ ଏକର ଜାଗା ଅଧିଗ୍ରହଣ କରିଥିଲେ, ଯାହା ଉପରେ କୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ସେହି ୬୭ ଏକରରୁ ୨.୭ ଏକର ଜମି ହେଉଛି ବିବାଦୀୟ। ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମଜନ୍ମଭୂମି-ବାବରୀ ମସଜିଦ ଜମି ବିବାଦରେ ଆଖପାଖ ପାଖାପାଖି ୭୦ ଏକର ଜମି କରେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ଏଥିରୁ ୨.୭୭ଏକର ଜମିରେ ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ଯେଉଁ ଭୂମିରେ ବିବାଦ ରହିଛି ତାହା ସମୁଦାୟ ୦.୩୧୩ ଏକର । ସରକାରଙ୍କ କହିବା ଅନୁଯାୟୀ, ଏହି ଜମିକୁ ଛାଡି ବାକି ଜମି ଭାରତ ସରକାରଙ୍କୁ ଫେରସ୍ତ କରାଯାଉ ।

ଆଜି ପୁଣି ଶୁଣାଣୀ ବାତିଲ

ଅଯୋଧ୍ୟା ମାମଲାରେ ଆଜି ଶୁଣାଣୀ ହେବାର ଥିଲା। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଜଷ୍ଟିସ୍ ଏସ୍.ଏ ବୋବ୍‌ଡେ ଅନୁପସ୍ଥିତ ରହିବାରୁ ଏହାକୁ ବାତିଲ କରି ଦିଆଯାଇଛି। ତେବେ ସରକାର ଆଜି ଏପରି ଏକ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ କରିଛନ୍ତି।

ସୁପ୍ରିମ୍‌କୋର୍ଟ ସମ୍ମାନ କରୁ

ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ ଆଉ ବିଳମ୍ବ ନ କରି ମନ୍ଦିର-ମସଜିଦ ବିବାଦର ଶୁଣାଣି କୋର୍ଟରେ ହେବା ଦରକାର। ୭୦ ବର୍ଷ ହେଲାଣି ଏହି ମାମଲା କୋର୍ଟରେ ପଡ଼ିରହିଛି। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ମନ୍ଦିର ତୋଳିବା ସପକ୍ଷରେ ରାୟ ଦେଇଥିଲେ। ତେବେ ତାହା ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ଝୁଲି ରହିଛି। ଆମେ ସୁପ୍ରିମ୍‌କୋର୍ଟ ସମ୍ମାନ କରୁ ଓ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଆମର ବିଶ୍ୱାସ ରହିଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାରେ କିଛି ଆପତ୍ତି ନାହିଁ : ହାଜି ମେହବୁବ୍‌

ରାମ ଜନ୍ମଭୂମି-ବାବରୀ ମସଜିଦ୍‌ ଭୂମି ବିବାଦ ମାମଲାରେ ମୁସଲମାନ୍‌ମାନଙ୍କର ମୁଖ୍ୟ ପକ୍ଷର ହାଜି ମେହବୁବ୍‌ ଏକ ବଡ଼ ବୟାନ୍‌ ଦେଇଛନ୍ତି। ସେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ,ତେବେ ରାମ ମନ୍ଦିରର ସମାଧନ ନ୍ୟାୟାଳୟ ବାହାରେ ଏକ ଘଣ୍ଟା ଭିତରେ ହୋଇଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ବାରମ୍ବାର ଏହି ମାମଲାର ଶୁଣାଣୀ ଘୁଞ୍ଚିବା ଫଳରେ ନିରାଶଜନକ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ହାଜି ମେହବୁବ୍‌ କହିଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ଏହି ବିବାଦର ସମାଧାନର ପ୍ରକୃଷ୍ଟ ଫର୍ମୁଲା ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେଉ,ଏଥିରେ କୌଣସି ଆପତ୍ତି ନାହିଁ, କିନ୍ତୁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥତା କରିବାକୁ ପଡ଼ିବ। ସେ ଅଭିଯୋଗ କରିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ ଓ କେତେକ ମୁସଲମାନ ସଂଗଠନ ଚାହାଁନ୍ତି ନାହିଁ ଯେ ଏହି ବିବାଦର ସମାଧାନ ହେଉ।

Leave a Reply

Your email address will not be published. Required fields are marked *