ନେତାଙ୍କ ଅନ୍ଧାରିବିଜେ ଉପରେ ନଜର
ଏପ୍ରିଲ୍ ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଭଳି ୬ଟି ଲୋକସଭା ସହିତ ତତ୍ ସଂଲଗ୍ନ ୪୨ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବାକୁ ଯାଉଛି । ହାତରେ ମାତ୍ର ଗୋଟିଏ ଦିନ ଓ ଗୋଟିଏ ରାତି ସମୟ ଥିବାରୁ ବିଭିନ୍ନ ରାଜନୈତିକଦଳ ପକ୍ଷରୁ ଅନ୍ଧାରିବିଜେ କାର୍ଯ୍ୟକ୍ରମ ଆଶଙ୍କାରେ ପ୍ରତିପକ୍ଷମାନେ ଏହାକୁ ପ୍ରତିହତ କରିବାଲାଗି ବି ପୂରା ଦମ୍ରେ ପ୍ରସ୍ତୁତ ।
ଏ ପରିପ୍ରେକ୍ଷୀରେ ଯେପରି କୌଣସି ସ୍ଥାନରେ ସେଭଳି କିଛି ଗୁରୁତର ଅଘଟଣ ନଘଟେ ତାହାକୁ ଆଖିଆଗରେ ରଖି ସମ୍ପୃକ୍ତ ର୍ନିବାଚନୀମଣ୍ଡଳୀରେ ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଭୁବନେଶ୍ୱରର ତିନିଟି ଆସନ ସମେତ ଖୋରଧା, ବେଗୁନିଆ, ଜଟଣୀ, ଜୟଦେବ, ନୟାଗଡ, ରଣପୁର, ଚିଲିକା, ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ, ଖଣ୍ଡପଡା ଏବଂ କଟକର ତିନିଟି ବିଧାନସଭା ଆସନରେ ମଧ୍ୟ ଏହି ପର୍ଯ୍ୟାୟରେ ଭୋଟ ହେବ ।
ଏତଦ୍ବ୍ୟତିତ ଆଠଗଡ, ବାଙ୍କି, ବଡମ୍ବା, ଅନୁଗୁଳ, ତାଳଚେର, ପାଲଲହଡା, ପରଜଙ୍ଗ, କାମାକ୍ଷାନଗର, ହିନ୍ଦୋଳ, ଢେଙ୍କାନାଳ, କରଞ୍ଜିଆ, ଚମ୍ପୁଆ, କେନ୍ଦୁଝର, ପାଟଣା, ଆନନ୍ଦପୁର, ଘଷିପୁରା, ତେଲକୋଇ, ଆଠମଲିକ, ଛେଣ୍ଡିପଦା, ଦେବଗଡ, ରେଢାଖୋଲ, ସମ୍ବଲପୁର, ରେଙ୍ଗାଲି ଓ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ବି ଏପ୍ରିଲ୍ ୨୩ରେ ଭୋଟ ହେବ ।
ଏପ୍ରିଲ୍ ୨୩ରେ ଯେଉଁ ପ୍ରାର୍ଥୀମାନଙ୍କ ରାଜନୈତିକ ଭାଗ୍ୟ ମତଦାତାମାନେ ନିର୍ଦ୍ଧାରିତ କରିବେ ସେମାନଙ୍କ ମଧ୍ୟରେ ଥିବା ରାଜ୍ୟର ଛଅଜଣ ମନ୍ତ୍ରୀ ହେଲେ ବଦ୍ରି ନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ପ୍ରଫୁଲ ମଲିକ, ମହେଶ୍ୱର ମହାନ୍ତି, ଅଶୋକ ଚନ୍ଦ୍ର ପଣ୍ଡା ଓ ଚନ୍ଦ୍ର ସାରଥୀ ବେହେରା । ଏହାଛଡା ସରକାରୀଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ମଧ୍ୟ ଏହି ନିର୍ବାଚନରେ ଲଢୁଛନ୍ତି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଦଳର ଅନେକ ହେଭିୱେଟ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ ହେବାକୁ ଯାଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ଡକ୍ଟର ଅରବିନ୍ଦ ଢାଲି, ସଞ୍ଜୟ କୁମାର ଦାଶବର୍ମା, ପ୍ରଦୀପ ମହାରଥୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ସାଂସଦ ଭର୍ତ୍ତୃହରି ମହତାବ ଓ ପିନାକୀ ମିଶ୍ର ଇତ୍ୟାଦି ।
ଏମାନଙ୍କ ଛଡା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମୀର ଦେ, ସୁରମା ପାଢୀ, ବିଜେପିର ବରିଷ୍ଠ ନେତା ସମ୍ବିତ ପାତ୍ର, ପୃଥୀରାଜ ହରିଚନ୍ଦନ ଆଦିଙ୍କ ନିର୍ବାଚନମଣ୍ଡଳୀରେ ବି ଏହି ପର୍ଯ୍ୟାୟରେ ଭୋଟ ହେଉଛି ।