କାନାଡାର ଫଷ୍ଟ୍ ଲେଡିଙ୍କୁ ‘କରୋନା’
ନୂଆଦିଲ୍ଲୀ (ଓଟି): କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କାନାଡାର ପ୍ରଥମ ଲେଡି ସୋଫି କିଛିଦିନ ହେଲା ଅସୁସ୍ଥ ରହିଥିଲେ ଓ ତାଙ୍କୁ ଜ୍ୱର ଲାଗି ରହୁଥିଲା। ସେ ବ୍ରିଟେନର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଫେରିବା ପରେ ଏଭଳି ଅସୁସ୍ଥ ଅନୁଭବ କରିଥିଲେ ବୋଲି କୁହାଯାଉଛି।
ସୋଫିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ଙ୍କୁ ମଧ୍ୟ ୧୪ ଦିନ ଲାଗି ଡାକ୍ତରଙ୍କ ନିରୀକ୍ଷଣ ରଖାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ସେଭଳି କୌଣସି ଲକ୍ଷଣ ନଥିବାରୁ କିଛି ପରୀକ୍ଷା କରାଯିବ ନାହିଁ। ସେହିପରି ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ପ୍ରକାରର ବିପଦ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ କାନାଡାରେ କରୋନା ଜଣଙ୍କ ପ୍ରାଣ ନେଇଥିବାବେଳେ ୧୫୮ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।