କଂଗ୍ରେସ ନେତାଙ୍କୁ ଏକାଠି କରିପାରିବେ କି ରାହୁଲ?

ଆଗାମୀ ୨୫ ତାରିଖରେ ଉପକୂଳ ଓଡ଼ିଶାରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଗସ୍ତରେ ଆସି କର୍ମୀ ଏବଂ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ ଶିବିର। ଏଆଇସିସିର ମଙ୍ଗ ଧରିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବାରୁ ଭୁବନେଶ୍ୱର ତମାଣ୍ଡୋରେ ହେବାକୁ ଥିବା ଜନସମାବେଶକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ନେତା। ଏହାସହ ରାହୁଲ ପ୍ରଥମ ଥର ପାଇଁ ଉପକୂଳ ଓଡ଼ିଶାରେ ବଡ଼ ଧରଣର ସମାବେଶ କରି ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ତେବେ ରାହୁଲ ଏହି ସମାବେଶରେ କ’ଣ କହି କଂଗ୍ରେସକୁ ଓଡ଼ିଶା ଭୋଟରଙ୍କ ନିକଟତର କରିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର। କିନ୍ତୁ ବହୁଧା ଗୋଷ୍ଠୀରେ ବିଭକ୍ତ କଂଗ୍ରେସ ନେତାଙ୍କୁ କ’ଣ ରାହୁଲ ଗାନ୍ଧି ଆଗାମୀ ନିର୍ବାଚନ ପାଇଁ ଏକାଠି କରିପାରିବେ କି ବୋଲି ପ୍ରଶ୍ନ ଉଠୁଛି।

ଓଡ଼ିଶାରେ ଯଦି କଂଗ୍ରେସର ଅବସ୍ଥା ଶୋଚନୀୟ ତାହାଲେ ଏଥିପାଇଁ ଗୋଷ୍ଠୀ କନ୍ଦଳ ଏବଂ ନେତା ନେତାଙ୍କ ଭିତରେ ସମନ୍ୱୟ ଅଭାବକୁ ଦାୟୀ କରାଯିବ। ୧୮ ବର୍ଷ ହେଲା ଏହି ଗୋଟିଏ କାରଣ ପାଇଁ କଂଗ୍ରେସ ବିଜେଡିକୁ କଡ଼ା ମୁକାବିଲା କରିପାରୁନି। ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପିସିସି ସଭାପତିରେ ପରିବର୍ତ୍ତନ କରିଛନ୍ତି ରାହୁଲ। ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ମୁଖିଆ କରିଛନ୍ତି। ହେଲେ ଦଳରୁ କନ୍ଦଳ ଦୂର ହୋଇପାରୁନି। ଶ୍ରୀକାନ୍ତ ଜେନା, କୃଷ୍ଣ ଚନ୍ଦ୍ର ଶଗରିଆଙ୍କ ଭଳି ନେତା ବିଭିନ୍ନ କାରଣ ପାଇଁ ଦଳରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି। ଆଉ କିଛି ନେତା ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିବା ମୁଡ୍‌ରେ ଅଛନ୍ତି। ଏଣୁ ଏସବୁ ଉପରେ ରାହୁଲଙ୍କୁ ଧ୍ୟାନ ଦେବାକୁ ପଡ଼ିବ।


ଓଡ଼ିଶା କଂଗ୍ରେସର ଘର ସଜାଡ଼ି ରାହୁଲଙ୍କୁ ୨୦୧୯ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି। ରାହୁଲଙ୍କ ସଫଳ ଗୋଟି ଚାଳନାରେ କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ସରକାର ଗଠନ କରିଛି। ଏହାକୁ ନେଇ ରାହୁଲ ବାହିନୀ ଉତ୍ସାହିତ ହୋଇଯାଇଛନ୍ତି। ଏହି ତିନି ରାଜ୍ୟରେ କଂଗ୍ରେସ ଯେଉଁ ରଣନୀତି ପ୍ରସ୍ତୁତ କରି ଶାସନକୁ ଆସିଲା ଏବେ ସେହି ରଣନୀତି ଓଡ଼ିଶାରେ ପ୍ରୟୋଗ କରିବା ପାଇଁ ଅଙ୍କ କଷା ଚାଲିଛି। ହେଲେ ଓଡ଼ିଶା ଭୋଟର ରାହୁଲଙ୍କ ଫର୍ମୁଲାକୁ କେତେଦୂର ଗ୍ରହଣ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Leave a Reply

Your email address will not be published. Required fields are marked *