ଜେଲରୁ ମୁକୁଳିଲେ ଆନନ୍ଦ ମୋହନ- ଏବେ ନିର୍ବାଚନ ଲଢ଼ିବେ କି ?
ନୂଆଦିଲ୍ଲୀ: ବିହାରର ବାହୁବଳୀ ନେତା ଆନନ୍ଦ ମୋହନ ସିଂହ ଜେଲରୁ ମୁକୁଳିବା ପରେ ବିହାର ରାଜନୀତି ସରଗରମ ହୋଇଛି । ନୀତୀଶ କୁମାର ସରକାର ଜେଲ ମାନୁଆଲରେ ପରିବର୍ତ୍ତନ କରିଥିବାରୁ ତାଙ୍କ ମୁକ୍ତି ସମ୍ଭବ ହୋଇପାରିଛି । ୨୯ ବର୍ଷ ପୂର୍ବେ ଗୋପାଳଗଞ୍ଜର ତତ୍କାଳୀନ ଡିଏମ୍ ଜି କ୍ରିଷ୍ଣାୟାଙ୍କ ହତ୍ୟା ମାମଲାରେ ଆନନ୍ଦ ମୋହନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ପାଖାପାଖି ୧୬ ବର୍ଷ ଜେଲରେ ରହିବା ପରେ ଏବେ ମୁକ୍ତ ହୋଇଛି ଏହି ଡନ୍ । ଏବେ ଆନନ୍ଦ ମୋହନ ରାଜନୀତିରେ ସକ୍ରିୟ ହେବେ ବୋଲି ଚର୍ଚ୍ଚା ହେଉଛି ।
ଆନନ୍ଦ ମୋହନ ଏବେ ପୁଣିଥରେ ରାଜନୀତିରେ ପାଦ ଦେବେ ବୋଲି ବିହାରରେ ଚର୍ଚ୍ଚା ଜୋର ଧରିଛି । କୋଶୀ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳର ଉଚ୍ଚ ଜାତି, ବିଶେଷ କରି ରାଜପୁତ ସମ୍ପ୍ରଦାୟ ଉପରେ ତାଙ୍କର ଦଖଲ ଥିବା ଅନୁମାନ କରାଯାଏ । ତାଙ୍କ ପତ୍ନୀ ଲଭଲି ଆନନ୍ଦ ସାଂସଦ ଅଛନ୍ତି । ଏବେ ସେ ପୁଅ ଚେତନଙ୍କୁ ରାଜନୀତିରେ ଲଞ୍ଚ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବାବେଳେ ଆନନ୍ଦ ମୋହନ ମଧ୍ୟ ନିର୍ବାଚନ ଲଢ଼ିପାରିବେ କି ? କିଛି ଖବରରେ ମଧ୍ୟ ଏଭଳି କଳ୍ପନାଜଳ୍ପନା କରାଯାଉଛି । କିନ୍ତୁ ଏ ସମ୍ପର୍କରେ ଆଇନ କ’ଣ କହୁଛି, ଆସନ୍ତୁ ଜାଣିବା ।
ଜୁଲାଇ ୧୦, ୨୦୧୩ରେ ଲିଲି ଥୋମାସ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି ଦଣ୍ଡାଦେଶ ସରିବା ପରେ ମଧ୍ୟ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ । ସେହି ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି ଯେ ଯଦି କୌଣସି ଜନ ପ୍ରତିନିଧି (ସାଂସଦ, ବିଧାୟକ କିମ୍ବା ଏମଏଲସି)ଙ୍କୁ କୌଣସି ଅପରାଧିକ ମାମଲାରେ ଦୁଇବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡାଦେଶ ଦିଆଯାଏ, ତେବେ ତାଙ୍କ ସଦସ୍ୟତା ତୁରନ୍ତ ଶେଷ ହୋଇଯିବ । ମୋଦି ଉପନାମ ସହ ଜଡ଼ିତ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ମଧ୍ୟ ସମାନ ଆଧାରରେ ରଦ୍ଦ କରାଯାଇଛି ।
ଲିଲି ଥୋମାସ ମାମଲାରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନର ଧାରା ୮(୪)କୁ ରଦ୍ଦ କରିଛନ୍ତି । ଏହା ପୂର୍ବରୁ ଦୋଷୀ ସାବ୍ୟସ୍ତ ଜନପ୍ରତିନିଧିଙ୍କ ସଦସ୍ୟତା ତୁରନ୍ତ ଶେଷ ହେଉନଥିଲା, ବରଂ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ସେମାନଙ୍କୁ ୩ ମାସ ସମୟ ଦିଆଯାଉଥିଲା । ଯେପର୍ଯ୍ୟନ୍ତ ତାଙ୍କ ଆବେଦନ ବିଚାରାଧୀନ ରହୁଥିଲା, ତାଙ୍କ ସଦସ୍ୟତା ହଟୁନଥିଲା।