ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ମୁହାଁ ନେତା

ରାଜ୍ୟର ଯେଉଁସବୁ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି ସେଠାକାର ପ୍ରମୁଖ ନେତାମାନେ ଅନ୍ୟ ଅଞ୍ଚଳରେ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହେବାରେ ଲାଗିଛନ୍ତି। ବିଶେଷକରି ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରୁ ବଛା ବଛା କେତେକ ସ୍ଥାନରେ ଏହି ନେତାମାନେ ଡେରା ପକାଇ ନିଜ ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି କାମ କରିବେ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ବଳଭଦ୍ର ମାଝି ଏବଂ କଂଗ୍ରେସର ହେଭିୱେଟ ନେତା ଭକ୍ତ ଚରଣ ଦାସ, ପ୍ରଦୀପ ମାଝି, ତାରା ପ୍ରସାଦ ବାହିନିପତି ଏବଂ ବିଜେଡିର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ରମେଶ ମାଝି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଆଦି ପ୍ରାର୍ଥୀ ହୋଇଥିବା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଭୋଟ ସରିଛି।

କେବଳ ଏହି ନେତା କିମ୍ବା ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ନୁହନ୍ତି ସେମାନଙ୍କୁ ସହଯୋଗ କରିବାପାଇଁ ଦଳର ସଂଗଠନ, ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ଆଦି ମଧ୍ୟ ଦିନରାତି ଏକ କରି କାମ କରୁଥିଲେ। ଏବେ ଏମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାପାଇଁ ସମ୍ପୃକ୍ତ ଦଳ ଲାଗି ପଡିଛନ୍ତି।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଅଞ୍ଚଳରେ ସଭା ସମିତି କରି ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ଧୂଆଁଧାର ପ୍ରଚାର ଚଳାଇଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାକୀ ସମଗ୍ର ରାଜ୍ୟ ଗସ୍ତକରି ଏମାନଙ୍କୁ ମୁକାବିଲା କରୁଛନ୍ତି। ଏମିତିକି ପଡୋଶୀ ଝାଡଖଣ୍ଡ, ଛତିଶଗଡ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବି ଓଡିଶା ଗସ୍ତରେ ଆସି ନିଜ ନିଜର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଉଛନ୍ତି।

ରାହୁଳ ଗାନ୍ଧୀ ଅଳ୍ପ କେତୋଟି ସଭା ଓଡିଶାରେ କରିଥିବାବେଳେ ଆଗାମୀ ଦିନରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ନିର୍ବାଚନରେ ଦୁଇ ଦୁଇଟି ସ୍ଥାନରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଅନ୍ୟ ର୍ନିବାଚନମଣ୍ଡଳୀ ଗସ୍ତକରି ନିଜ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିଚାଳନାକ୍ଷେତ୍ରରେ ବିଭିନ୍ନ ଦଳର ଯେଉଁ ‘ପଲିଟିକାଲ ମ୍ୟାନେଜର’ ମାନେ ଅଭିଜ୍ଞତା ହାସଲ କରିଛନ୍ତି ସେମାନେ ତାହାକୁ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନମଣ୍ଡଳୀ ଗୁଡିକରେ ପ୍ରୟୋଗ କରିବେ। ଫଳରେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ ଯେଉଁ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି ସେଠାରେ ପ୍ରଚାର ବାତାବରଣ ଦିନକୁ ଦିନ ସରଗରମ ହେବାରେ ଲାଗିଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ ଆସିକା, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ ଓ ବରଗଡ ଲୋକସଭା ଆସନ ସହିତ ଏଗୁଡିକରେ ଅର୍ନ୍ତଭୁକ୍ତ ଥିବା ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ।

Leave a Reply

Your email address will not be published.