ଇତିହାସ ରଚିଲା କଟକ ବଡ଼ ମେଡିକାଲ
କଟକ(ଓଟି): କଟକ ବଡ଼ ମେଡିକାଲ (ଏସସିବି) ଇତିହାସ ରଚିଛି। ବିରଳ ଅସ୍ତ୍ରୋପଚାର ତଥା ସ୍ଵତନ୍ତ୍ର ଭାବେ ଅଙ୍ଗ ପ୍ରତ୍ୟାରୋପଣ କ୍ଷେତ୍ରରେ ଏଭଳି ରେକର୍ଡ ସୃଷ୍ଟି ହୋଇଛି। ବ୍ରେନ୍ ଡେଡ୍ ହୋଇସାରିଥିବା ଜଣେ ଅର୍ଗାନ ଡୋନର ବା ଅଙ୍ଗଦାତାଙ୍କ ପରିବାର ଲୋକଙ୍କ ମହାନତା ମଧ୍ୟ ସାଧାରଣରେ ପ୍ରଶଂସା ହେଉଛି। ଖାଲି ସେତିକି ନୁହେଁ ଏହା ଦ୍ଵାରା ଦୂରାରୋଗ ବ୍ୟାଧି ଆକ୍ରାନ୍ତ ଜଣଙ୍କ ଜୀବନରେ ନୂଆ ଆଲୋକ ମିଳିଛି।
ଘଟଣାକ୍ରମରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ରାଣୀ ପାତ୍ର ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସୋମବାର ରାତିରେ ଡାକ୍ତରମାନେ ଶୁଣାଇଲେ ନୈରାଶ୍ୟ ବାଣୀ। ପ୍ରିୟଙ୍କାଙ୍କ ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ହୋଇଯାଇଛି ବୋଲି ପ୍ରକାଶ କଲେ। ଫଳରେ ସମ୍ପୃକ୍ତ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଏଭଳି ଦୁଃଖ ଆଉ ଗଭୀର ମର୍ମାହତର ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ପରିବାର ଲୋକେ ମହାନତା ଦେଖାଇଲେ। ଯାହାକି ସାମାଜିକ ଦାୟିତ୍ଵବୋଧତାର ନିଆରା ନିଦର୍ଶନ ପାଲଟିଛି। ଝିଅର ମୃତ୍ୟୁ ସୂଚନାରେ ବ୍ୟାକୁଳିତ ପରିବାର ଲୋକେ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ।
ଏ ସମ୍ପର୍କରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ଅବଗତ କରାଯିବା ପରେ ଆରମ୍ଭ ହୋଇଥିଲା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଆବଶ୍ୟକ ରହିଥିବା ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ସ୍ଥାପନ କରିବାକୁ ଏସସିବିକୁ ଆଦେଶ ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗ। ସେହି ଅନୁସାରେ ରାତିରେ କଟକ ବଡ ମେଡିକାଲର ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ କିଡନୀ ବାହାର କରିଥିଲେ। ସେହିପରି ଏସ୍ସିବିରେ ଚିକିତ୍ସିତ ହେଉଥିବା ଓ କିଡନୀ ଆବଶ୍ୟକ କରୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ତେବେ ଏଥିପାଇଁ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ଜଣାପଡ଼ିଛି। ଆଉ ରାଜ୍ୟରେ ଏଭଳି ଘଟଣା ପ୍ରଥମ ହୋଇଥିବାବେଳେ କଟକ ବଡ଼ ମେଡିକାଲ ଇତିହାସ ସୃଷ୍ଟି କରିଛି।
ଜାଣିବା ଜରୁରୀ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୀବିତ ଅବସ୍ଥାରେ ଜଣେ ରକ୍ତଦାନ କରିପାରିବେ। ସେହିପରି ବଞ୍ଚିଥିବାବେଳେ ଜଣେ ବ୍ୟକ୍ତି ନିଜର ଗୋଟିଏ କିଡନୀ ଦାନ କରିପାରିବେ। କିନ୍ତୁ ମୃତ୍ୟୁ ପରେ ଶରୀରର ଯେକୌଣସି ସୁସ୍ଥ ଅଙ୍ଗ ଦାନ କରାଯାଇପାରେ; ଏପରିକି ସମ୍ପୂର୍ଣ୍ଣ ମୃତଶରୀର ମଧ୍ୟ ମେଡିକାଲକୁ ଦାନ କରାଯାଉଛି। ଅନ୍ୟପକ୍ଷରେ ଆମ ରାଜ୍ୟରେ ମୃତ୍ୟୁ ପରବର୍ତ୍ତୀ ଚକ୍ଷୁଦାନ ହିଁ ଅଧିକ ଭାବେ ପରିବାର ଲୋକଙ୍କ ସମ୍ମତିରେ ହୋଇପାରୁଛି। ଫଳରେ କାହିଁକେତେ ଲୋକ ଦୁନିଆର ଆଲୋକ ଦେଖିପାରୁଛନ୍ତି। ସାଧାରଣତଃ ମୃତ୍ୟୁର ୮ ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁଦାନ କରାଯାଇପାରିବ। କେତେକ ବିଶେଷ ରୋଗାକ୍ରାନ୍ତଙ୍କୁ ବାଦ୍ ଦେଲେ ଯେକୌଣସି ବୟସ ବର୍ଗର ମୃତକଙ୍କଠାରୁ ଚକ୍ଷୁ ସଂଗ୍ରହ କରିବା ପାଇଁ ରାଜ୍ୟର ବିଭିନ୍ନ ମେଡିକାଲରେ ବିଶେଷଜ୍ଞ ରହିଛନ୍ତି। ସେହିପରି ବ୍ରେନ୍ ଡେଡ୍ ହେବାର ୬-୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଙ୍ଗ ବାହାର କରାଯାଇ ଆଶୁ ପ୍ରକ୍ରିୟାରେ ଆବଶ୍ୟକ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତିରୋପଣ କରାଯାଇପାରି। ପ୍ରକାଶ ଯେ, ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଇଥାଏ। ଆମ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ପ୍ରତ୍ୟାରୋପଣ ପୂର୍ବରୁ ହୋଇସାରିଥିବାବେଳେ ଓଡ଼ିଶାରେ ଏହା ପ୍ରଥମ ଘଟଣା। ପ୍ରିୟଙ୍କା ଓ ତାଙ୍କ ପରିବାରଙ୍କ ଭଳି ଅନ୍ୟମାନେ ଏଦିଗରେ ସଚେତନତା ହେଲେ ଏବଂ ସାଧାରଣରେ ମାନସିକତାରେ ପରିବର୍ତ୍ତନ ଆସିଲେ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।