ନାଗରିକତ୍ୱ ସଂଶୋଧନ ଆଇନ: ବିଜେପିର ସଚେତନତା ଅଭିଯାନ ଆରମ୍ଭ
ଭୁବନେଶ୍ୱର, (ଓଟି): ନାଗରିତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜେପି ରାଜ୍ୟରେ ସଚେତନତା ଅଭିଯାନ ଆରମ୍ଭ କରିଛି। ଏ ସମ୍ପର୍କରେ ସୃଷ୍ଟି ହୋଇଥିବା ଭୁଲ୍ ବୁଝାମଣାକୁ ଦୂର କରିବା ତଥା ନିଜ ପକ୍ଷକୁ ସ୍ପଷ୍ଟ କରିବା ଲାଗି ଦଳ ପକ୍ଷରୁ ଏହାର ଜିଲ୍ଲା ସଭାପତିଙ୍କୁ ସାଚତନ କରାଯାଇଛି । ଲକ୍ଷ୍ୟ ରହିଛି ଏହି ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଜିଲ୍ଲାର ଅନ୍ୟ କର୍ମୀଙ୍କୁ ଆବଶ୍ୟକ ଜ୍ଞାନ ଦେଇ ଆଇନ ସପକ୍ଷରେ ମତ ସୃଷ୍ଟି କରିବେ । ଏଥିଲାଗି ଏକ ରାଜ୍ୟସ୍ତରୀୟ କର୍ମଶାଳା ଗୁରୁବାର ଆୟୋଜନ କରାଯାଇଥିଲା ।
ଦଳ ପକ୍ଷରୁ କୁହାଯାଇଛଇ ଯେ, କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ବିଶେଷ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳ ମାନେ ଦେଶରେ ନିଆଁ ଲଗାଇ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ନାଗରିକତା ସଂଶୋଧନ ଆଇନ ସଂପର୍କରେ ବ୍ୟାପକ ଜନଜାଗରଣ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣମାନଙ୍କୁ ସଚେତନ କରାଯିବ ।
ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରାଯିବ । ରାଜ୍ୟର ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହି ଆଇନ ସଂପର୍କରେ ବ୍ୟାପକ ଭାବେ ଜନସାଧାରଣମାନଙ୍କୁ ସଚେତନ କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ । ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ପାଖାପାଖି ୧ କୋଟି ପରିବାରକୁ ଯାଇ ଏହି ଆଇନ ସଂପର୍କରେ ବୁଝାଇବେ । ଏଥିସହ ବିଜେପି କାର୍ଯ୍ୟକର୍ତାମାନେ ସମସ୍ତ ପଂଚାୟତ ଏବଂ ୱାର୍ଡକୁ ଯାଇ ଜନସାଧାରଣଙ୍କୁ ଏହି ଆଇନ ବିଷୟରେ ପ୍ରତ୍ୟେକ୍ଷ ଭାବେ ଅବଗତ କରାଇବେ ।
ଏହି କର୍ମଶାଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ ଉଦଘାଟନ କରିଥିଲେ । ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ପୃଥୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଯତୀନ ମହାନ୍ତି, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପ୍ରମୁଖ ସମ୍ଭୋଧିତ କରିଥିଲେ । ଏହି କର୍ମଶାଳାରେ ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ ଏବଂ ବିଧାୟିକା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।