କାଳ ସାଜୁଛି ବିଦ୍ୟୁତ ତାର, ୨୪ ଘଣ୍ଟାରେ ୩ ଦୁର୍ଘଟଣା

ଭୁବନେଶ୍ଵର(ଓଟି): ଶୁଭଲଗ୍ନ ପାଇଁ ସରିଥିଲା ସଜବାଜ। ଖୁବ୍‌ ଶୀଘ୍ର ବାଜିଥାନ୍ତା ଶାହାନାଇ। ହେଲେ ଅଧାରାସ୍ତାରୁ ଉଠିଲା କୋକେଇ। ବରପକ୍ଷ ଘରେ-ଗାଁରେ ବିକଳ କାନ୍ଦଣା। ଚାହୁଁ ଚାହୁଁ ଚାଲିଗଲା ୧୦ଟି ଜୀବନ। କାଳ ସାଜିଲା ରାସ୍ତାରେ ଓହଳି ଥିବା ୧୧ କେଭିର ବିଦ୍ୟୁତ୍ ତାର। ଏକାଠି ୮ଜଣଙ୍କ ଜୁଇ ଲାଗିବା ଭଳି ଅଭାବନୀୟ ଘଟଣା ସାରା ରାଜ୍ୟବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟରେ ଘଟିଥିବା ଏହି ଦୁର୍ଘଟଣା ବଡ଼ କରୁଣ ପରିସ୍ଥିତି ସୃଷ୍ଟି କରିଛି। ତେବେ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ବାରମ୍ବାର କାଳ ସାଜୁଛି ବିଦ୍ୟୁତ୍‌ ତାର। ଅଭିଯୋଗ ହେଉଛି- ବିଭାଗୀୟ ଅବହେଳା କାରଣରୁ ରାସ୍ତାରେ ତଥା ସର୍ବସାଧାରଣ ସ୍ଥାନଗୁଡ଼ିକରେ ଓହଳି ରହିଥିବା ତାର ଗୁଡ଼ିକ ନେଉଛି ପ୍ରାଣ। ଏହି ଅଭିଯୋଗ କେତେ ସତ ତାହାର ପ୍ରକୃତ ଉଦାହାରଣ ହେଉଛି ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଘଟିଥିବା ଦୁର୍ଘଟଣା। ସବୁ ଦୁର୍ଘଟଣାର କାରଣ ବିଦ୍ୟୁତ୍‌ ତାର।

ଦୁର୍ଘଟଣା-୧: ବ୍ରହ୍ମପୁର

ଚାହୁଁଚାହୁଁ ଦୁଃଖ ଖେଳିଗଲା । କରୁଣ ଚିତ୍କାର ଆଉ କାନ୍ଦଣାରେ ଫାଟିପଡ଼ିଲା ଘଟଣାସ୍ଥଳରୁ ମେଡିକାଲ। ଏମକେସିଜିରୁ ଏସସିବି ଦୌଡ଼ିଲା ଗାଡ଼ି- ଆହତମାନଙ୍କୁ ନେଇ। ତେବେ ନିର୍ବନ୍ଧ କାର୍ଯ୍ୟ ପାଇଁ ବାହାରିଥିବା ବସ୍‌ଟି ଯାତ୍ରା କରିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଆଶାର ଯାତ୍ରାରେ ନିଆଁ ଲାଗି ଅକାଳରେ ଜଳିଗଲା ୧୦ ପ୍ରାଣ। ଆଉ ଆହତମାନେ ଜୀବନ ସହ ଚଳାଇଛନ୍ତି ସଂଘର୍ଷ। ଚାଲିଛି ଚିକିତ୍ସା। ଅଭିଯୋଗ ଅନୁସାରେ ୧୧କେଭିର ବିଦ୍ୟୁତ୍ ତାର ଓହଳିଥିବା ସମ୍ପର୍କରେ ଅଞ୍ଚଳବାସୀ ବହୁବାର ଜଣାଇଥିଲେ ମଧ୍ୟ ଶୁଣିନଥିଲା ବିଦ୍ୟୁତ ବିଭାଗ। ବାବୁମାନଙ୍କ ଉଦାସୀନତାର କାରଣରୁ ହିଁ ଘଟିଲା ଦୁର୍ଘଟଣା ବୋଲି ଅଞ୍ଚଳବାସୀ କହୁଛନ୍ତି। ଏହା ପରେ ସମ୍ପୃକ୍ତ ବିଭାଗର ଚେତା ପଶିଛି। ଦୁର୍ଘଟଣାର କାରଣ ଖୋଜିବାକୁ ସାଉଥକୋ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ଦୁର୍ଘଟଣା-୨: ବାଲେଶ୍ଵର

ଗୋଟିଏପଟେ ବ୍ରହ୍ମପୁର ନିକଟରେ ୧୧ କେଭି ତାର ସଂସ୍ପର୍ଶରେ ବସ୍ ଆସିବା ଫଳରେ ବଡ଼ ଦୁର୍ଘଟଣା ଘଟିଥିବାବେଳେ ଅନ୍ୟପଟେ ବାଲେଶ୍ଵର ଜିଲ୍ଲାରେ ଠିକ୍‌ ସମାନ ଦୁର୍ଘଟଣା ଘଟିଥିଲା। ବାଲିଆପାଳରେ ଏକ ପିକ୍‌ନିକ୍ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କିନ୍ତୁ ସୌଭାଗ୍ୟବଶତଃ ଅଳ୍ପକେ ୭୦ ଯାତ୍ରୀ ରକ୍ଷା ପାଇଯାଇଥିଲେ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋମଟି ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଥିଲା। ବାରିପଦାରୁ ଡଗରା ବେଳାଭୂମିକୁ ପିକ୍‌ନିକ୍ ପାଇଁ ଆସୁଥିବା ବସ୍‌ରେ ୭୦ରୁ ଅଧିକ ଜଣ ଥିଲେ। ବସ୍‌ଟି ଗୋମଟି ଛକରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ବିଦ୍ୟୁତ୍ ଆଘାତରେ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ବାଲିପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସୌଭାଗ୍ୟକୁ ଅନ୍ୟମାନେ ବର୍ତ୍ତି ଯାଇଥିଲେ ।

ଦୁର୍ଘଟଣା-୩: ବାଲେଶ୍ଵର

ରବିବାର ସକାଳେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଆଉ ତାପରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଟ୍ରାଜେଡିକୁ ୨୪ ଘଣ୍ଟା ନପୂରଣୁ ଆଜି ବାଲେଶ୍ଵର ଜିଲ୍ଲାରେ ପୁଣି ଘଟିଛି ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ଏବଂ ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଆଜି ସକାଳେ ଘଟିଥିଲା ଦୁର୍ଘଟଣା। ଏକ ବାଇକ୍‌ରେ ଦାଦା-ପୁତୁରା ଯାଉଥିବାବେଳେ ସେମାନଙ୍କ ଉପରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ଫଳରେ ବାଇକ୍‌ଟି ଜଳି ପାଉଁଶ ହୋଇଯାଇଥିଲା। ସୌଭାଗ୍ୟବଶତଃ ଦାଦା-ପୁତୁରା ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ କିନ୍ତୁ ଉଭୟ ଆହତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *