ବସ୍ରେ ଲାଗିଲା ୧୧ କେଭି ତାର, ୧୦ ମୃତ
ବ୍ରହ୍ମପୁର (ଓଟି): ଶୁଭକାର୍ଯ୍ୟରେ ଯାଉଥିଲେ। ସମସ୍ତଙ୍କ ମନରେ ହସଖୁସି ଭରି ରହିଥିଲା। ତେବେ ହଠାତ୍ କାଳ ମାଡ଼ିବସିଲା। ନିମିଷକରେ ସବୁ ଖୁସି ଲିଭିଗଲା। ଏଥିସହ ଲିଭିଗଲା ୧୦ଟି ଜୀବନ ପ୍ରଦୀପ। ଘଟଣାସ୍ଥଳରୁ ଶୁଭିଲା କରୁଣ ଚିତ୍କାର। ଏଭଳି ଦୁର୍ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ବସ୍ରେ ୧୧ କେଭି ତାର ଲାଗି ୮ଜଣ ପ୍ରାଣ ହରାଇଥିବାବେଳେ ୨୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ଓ ପ୍ରଶାସନ ତନାଘନା ଚଳାଇଛି।
ସମ୍ପୂର୍ଣ୍ଣ ସୂଚନା ଅନୁସାରେ, ଦାଙ୍କୁଲୁପାଡୁ ଗାଁର ବରପକ୍ଷର ୪୩ ଜଣ ଏକ ବସ୍ରେ ନିର୍ବନ୍ଧ ପାଇଁ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାଉଥିଲେ। ତେବେ ମେଲପତୁରୁ ଗାଁ ନିକଟରେ ଓହଳିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ବସ୍ ଆସିଯାଇଥିଲା। ଫଳରେ ଦୁର୍ଘଟଣା ଘଟି ନିଆଁ ଲାଗିଯାଇଥିଲା। ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍ ସରବରାହ ବନ୍ଦ କରିବା ସହ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ତେବେ ଅଗ୍ନିଶମ କର୍ମଚାରୀ ବସ୍ ଭିତରୁ ୮ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର କରିଥିବାବେଳେ ସମସ୍ତ ଆହତଙ୍କୁ ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଇଥିଲେ। ସେ ଭିତରେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ବିଦ୍ୟୁତ ତାର ଦୀର୍ଘ ଦିନ ହେଲା ଓହଳି ଥିବା ସମ୍ପର୍କରେ ଗାଁ ଲୋକେ ସମ୍ପୃକ୍ତ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାକୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଥିବାବେଳେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।











