ବୁର୍ଲା ବ୍ରିଜ୍ ନିକଟରେ ଓଲଟିଲା ‘ବୁଲବୁଲ୍’
ସମ୍ବଲପୁର(ଓଟି): ମେଡିକାଲ ଛାତ୍ରଛତ୍ରୀଙ୍କୁ ନେଇ ଯାଉଥିଲା ବୁଲବୁଲ। ତେବେ ବୁର୍ଲା ନିକଟରେ ଓଲଟି ପଡ଼ିଲା। ଏଭଳି ଏକ ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି। କିନ୍ତୁ ଏକ ଭୟଙ୍କର ମୃତ୍ୟୁ ମୁଖରୁ ୪୦ ଜଣ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ ବୁଲ୍ବୁଲ୍ ବସ(ଓଡି ୦୩ ଏଫ ୮୬୫୫)ରେ କୋରାପୁଟ ମେଡ଼ିକାଲ୍ କଲେଜର ୨୫ ଜଣ ଛାତ୍ରଛାତ୍ରୀ ବୁର୍ଲା ମେଡ଼ିକାଲ କଲେଜକୁ ଆସୁଥିଲେ। ତେବେ କୋରାପୁଟ-ଜୟପୁରରୁ ସମ୍ବଲପୁର ଯାଉଥିବା ବସକୁ କୋଲକାତାରୁ ରାଞ୍ଚି ଯାଉଥିବା ଟ୍ରକ୍ (ଡବ୍ଲ୍ୟୁବି ୩୩ ସି ୨୨୨୭) ବୁର୍ଲା ଓଭର ବ୍ରିଜ ନିକଟରେ ପଛପଟୁ ଧକ୍କା ଦେଇଥିଲା | ଫଳରେ ବସ ଡ୍ରାଇଭର ରାଜେଶ ରେଡ୍ଡୀ ଓ କଣ୍ଡକ୍ଟର ଗଣେଶ ରଥ ଗୁରୁତର ଆହତ ହୋଇଥିଲେ। ସେହିପରି ୨ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ। ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଥିଲା। ସୂଚନାଯୋଗ୍ୟ ଯେ ବସ ସମ୍ବଲପୁର ଯିବାର ଥିଲାବେଳେ କେବଳ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ବୁର୍ଲା ଅଭିମୁଖେ ମୋଡ଼ ନେଇଥିଲା। ପୁଲିସ ଓ ଅଗ୍ନିଶମ ସେବା କର୍ମଚାରୀ ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ।