ବୁଲ୍ବୁଲ୍ର ପ୍ରଭାବ: ଉପକୂଳରେ ବଢ଼ୁଛି ବର୍ଷା ଓ ପବନ
ଭୁବନେଶ୍ଵର, (ଓଟି): ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ସାମୁଦ୍ରିକ ଝଡ଼ବାତ୍ୟା ବୁଲ୍ବୁଲ୍ର ପ୍ରଭାବ ଜାରି ରହିଛି। ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ଏହାଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଲୋକମାନେ ଆଶଙ୍କିତ ହୋଇଛନ୍ତି। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର ଏବଂ ପୁରୀ ଜିଲ୍ଲାରେ ବୁଲ୍ବୁଲ୍ ପ୍ରଭାବ ଜାରି ରଖିଛି। ଏହି ଅଞ୍ଚଳଗୁଡ଼ିକରେ ଆସନ୍ତା ୧୨ ଘଣ୍ଟା ଯାଏ ପବନ ଓ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଇଛି।
ଭଦ୍ରକର ଚାନ୍ଦବାଲିରେ ଗଲା ୨୪ ଘଣ୍ଟା ଭିତରେ ସର୍ବାଧିକ ୧୫୯ ମିମି ବର୍ଷା ରେକର୍ଡ଼ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଉପକୂଳ ଅଞ୍ଚଳରେ ପବନର ବେଗ ସର୍ବାଧିକ ୫୫ରୁ ୬୫ କିଲୋମିଟର ରହିଥିବା କୁହାଯାଇଛି। ଖାଲି ସ୍ଥାନମାନଙ୍କରେ ଏହି ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ପାଖାପାଖି ଗତି କରୁଥିବା ଜଣାପଡ଼ିଛି। ବର୍ଷା ଓ ପବନର ବେଗ ଆସନ୍ତା ୧୨ ଘଣ୍ଟା ଯାଏ ଏହିପରି ରହିବ ବୋଲି ଆଶଙ୍କା କରାଯାଉଛି। ସମୁଦ୍ର ଅଶାନ୍ତ ଥିବାରୁ ଧୀବର ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ପୁରୀ ସହରରେ ପର୍ଯ୍ୟଟକଙ୍କ ଲାଗି ସମୁଦ୍ର ବାରଣ କରାଯାଇଛି।
ମୁଖ୍ୟ ଶଶସନ ସଚିବ ଅସିତ ତ୍ରିପାଠୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ଏବେ ଧାନ ଅମଳ ଋତୁ ହୋଇଥିବାରୁ ବର୍ଷା ହେତୁ ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ବିପଦ ଟଳିଲା ପରେ ପରିସ୍ଥିତିର ଆକଳନ କରାଯିବ।