‘ପଛଘୁଞ୍ଚା ଦିଅନାହିଁ, ମୁକାବିଲା କର’
ନୂଆଦିଲ୍ଲୀ (ଓଟି): କୋବିଡ୍-୧୯ ତଥା କରୋନାର ଭୟାବହ ସ୍ଥିତି ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଏହି ମହାମାରୀ ପାଇଁ ଦେଶରେ ମଧ୍ୟ ଅନେକ ନିଜର ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉନାହାନ୍ତି। ଏଭଳି ସ୍ଥିତିରେ ଲୋକସଭା ସଦସ୍ୟମାନେ ମଧ୍ୟ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ଦରକାର। ନିଜ ଜୀବନକୁ ବାଜି ଲଗାଇ ଯଦି ଡାକ୍ତର ଓ ନର୍ସମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି, ତେବେ ଲୋକସଭା ସଦସ୍ୟ ଏଥିରୁ ବାଦ ପଡ଼ିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଥିସହ ସଂସଦ ଭାଇରସର ମୁକାବିଲା କରିବା ଉଚିତ ବୋଲି ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ସେ ସ୍ପଷ୍ଟ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ମହାମାରୀ ପରିସ୍ଥିତିରେ ସଦସ୍ୟମାନେ ପଛଘୁଞ୍ଚା ନଦିଅନ୍ତୁ। ସମ୍ପ୍ରତି ଆମକୁ ବିଭିନ୍ନ ସେନାବାହିନୀଙ୍କ ବିଷୟରେ ଚିନ୍ତା କରିବା ଦରକାର। ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ସେହିପରି ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ସମ୍ପର୍କରେ ଭାବିବା ଉଚିତ। ପୁଲିସ୍ ଓ ଅନ୍ୟ କର୍ମଚାରୀମାନେ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିଜ ଦାୟିତ୍ଵ ନିର୍ବାହ କରୁଛନ୍ତି। ସମସ୍ତେ ଯଦି ଦାୟିତ୍ୱରୁ ଛୁଟି ନେଇଯିବା ତାହେଲେ ଦେଶର ପରିସ୍ଥିତି କଣ ହେବ ବୋଲି ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଦେଶର ସମସ୍ତ ଗଣମାଧ୍ୟମ ସଂସ୍ଥା ଓ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବଜେଟ୍ ଅଧିବେଶନ ମୁଲତବୀ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଥର୍ମାଲ ସ୍କ୍ରିନିଂ ପରେ ସଦସ୍ୟଙ୍କୁ ଗୃହ ଭିତରକୁ ଯିବାକୁ ଦିଆଯାଇଥିଲା।











