ବଜେଟ୍: ୨୦୧୯-୨୦: ଓଡ଼ିଶା ହରାଇବ ୨୬ହଜାର ୩୪୨ କୋଟି

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ୨୦୧୯-୨୦ ଆର୍ଥିକ ବଜେଟ୍‌ ରାଜ୍ୟର ଆଶାକୁ ପୂରଣ କରିପାରି ନାହିଁ। ଚତୁର୍ଦଶ ଅର୍ଥ କମିଶନଙ୍କ ସୁପାରିଶ୍‌ ଅନୁସାରେ ରାଜ୍ୟ ସରକାର ୨୦୧୫-୨୦ ଭିତରେ ୧ଲକ୍ଷ ୪ ହଜାର ୭୪ କୋଟି ଟଙ୍କା ରାଜସ୍ଵ ଅଂଶ ବା ଅନୁଦାନ ପାଇବାକୁ ଯୋଗ୍ୟ ଥିଲେ ମଧ୍‌ୟ କେନ୍ଦ୍ର ସରକାର ଏହି ବଜେଟ୍‌କୁ ମିଶାଇ ୧ଲକ୍ଷ ୫୭ ହଜାର ୮୦୦ କୋଟି ଟଙ୍କା ଅଂଶ ବା ଅନୁଦାନ ପ୍ରଦାନ କରିଛନ୍ତି ବା ବ୍ୟବସ୍ଥା କରିଛନ୍ତି। ଅର୍ଥାତ୍‌ ରାଜ୍ୟ ନିଜ ହକ୍‌ରୁ ୨୬ ହଜାର ୩୪୨ କୋଟି ଟଙ୍କା ବଞ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସନ୍ଧ୍ୟାବେଳେ କେନ୍ଦ୍ରୀୟ ବଜେଟ୍‌ ଉପରେ ନିଜର ପ୍ରତିକ୍ରିୟା ରଖି ସେ ବଜେଟ୍‌ର ବିଭିନ୍ନ ଅଙ୍ଗକୁ ଅନୁଧ୍ୟାନ କରିଛନ୍ତି। କାଳିଆ ଯୋଜନା ଭଳି କେନ୍ଦ୍ର ସରକାର କୃଷକମାନଙ୍କୁ ସାହାଯ୍ୟ ପ୍ରଦାନ ସକାଶେ ପ୍ରସ୍ତାବ କରିଥିବା ‘ପ୍ରଧାନମନ୍ତ୍ରୀ କିଶାନ୍‌ ସମ୍ମାନ ନିଧି’ କୁ ସ୍ଵାଗତ କରିଛନ୍ତି।

ସେକହିଛନ୍ତି ‘ ଯଦି ଏହି ଯୋଜନା ଅଧୀନରେ ଚାଷୀଙ୍କୁ କାଳିଆ ଯୋଜନା ପରିମାଣଠାରୁ ଅଧିକ ସହାୟତା ବ୍ୟବସ୍ଥା କରାଯାଇଥାଆନ୍ତା ତେବେ ତାହା ଚାଷୀଙ୍କୁ ଅଧିକ ଲାଭପ୍ରଦ ହୋଇ ଥାଆନ୍ତା। ଅତିକମ୍‌ରେ ଏହି ରାଶି ପରିମାଣ ୧୦ ହଜାର ଟଙ୍କା କରାଯାଇପାରିଥିଲେ ଭଲ ହୋଇଥାଆନ୍ତା’। ପୁଣି ଏହୀି ଯୋଜନରେ ଭୂମିହୀନ, ଭାଗଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

ଆୟକର ରିଆତି ସ୍ଵାଗତଯୋଗ୍ୟ

ମଧ୍ୟବିତ୍ତ ଓ ନିମ୍ନ ଆୟବର୍ଗଙ୍କ ପାଇଁ ଘୋଷଣା କରାଯାଇଥିବା ଆୟକର ରିହାତି ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରରୀ ସ୍ଵାଗତ କରିଛନ୍ତି। ସେହିପରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଘୋଷଣା ବି ଉତ୍ସାହ ଜନକ ବୋଲି କହିଛନ୍ତି। କିନ୍ତୁ ଏହା ଏହି କ୍ଷେତ୍ରରେ ନିୟୋଜନ ସୃଷ୍ଟି ପାଇଁ ସହାୟକ ହେବ ନାହିଁ ବୋଲି କହିଛନ୍ତି

ସାମାଜିକ ସୁରକ୍ଷା ପାଇଁ କିଛି ନାହିଁ

ବଜେଟ୍‌ରେ ସାମାଜିକ ସୁରକ୍ଷା ବିଷୟକୁ ଧ୍ୟାନ ଦିଆଯାଇ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି, ବାର୍ଦ୍ଧକ୍ୟଭତ୍ତା ଓ ଅନ୍ୟ ଭତ୍ତା ବ୍ୟବସ୍ଥାକୁ ଏଯାଏ ପୁନର୍ବିଚାର କରାଯାଇ ନାହିଁ। ରାଜ୍ୟ ସରକାର ୪୮ ଲକ୍ଷ ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ବ୍ୟବସ୍ଥା କରିଥିବାବେଳେ କେନ୍ଦ୍ର ସରକାରେ ମାତ୍ର ୨୦ ଲକ୍ଷ ହିତାଧିକାରୀଙ୍କୁ ୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି।

ଦଳିତ ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଏହି ବିଜେଟ୍‌ ଧ୍ୟାନ ଦେଇ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଅନେକଥର ଦଳିତବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତି ବ୍ୟବସ୍ଥାକୁ ପୁଣିଥରେ ପ୍ରଚଳନ ପାଇଁ ଦାବି କରୁଛୁ। କିନ୍ତୁ ତାହାକୁ ଅଣଦେଖା କରାଯାଇଛି।

ଏମ୍‌ଜିଏନ୍‌ଆରଇଜିଏ, ଗ୍ରାମୀଣ ଘର, ଯୋଗାଯୋଗ ପିଇବା ପଣି ବ୍ୟବସ୍ଥା ପାଇଁ ଦିଆଯାଉଥିବା ବଜେଟ୍‌କୁ ହ୍ରାସ କରାଯାଇଛି। ଏହା ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *