ଶିକ୍ଷା ପାଇଁ ୯୯,୩୦୦ କୋଟି
ନୂଆଦିଲ୍ଲୀ(ଓଟି): ବଜେଟରେ ଶିକ୍ଷାକୁ ଖୁବ୍ ଗୁରୁତ୍ଵ ଦିଆଯାଇଛି। ଏ କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ (ଏଫଡିଆଇ)କୁ ସରକାର ଅନୁମୋଦନ ଦେଇଛନ୍ତି। ସେହିପରି ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ଯୁବ ଇଞ୍ଜିନିୟରଙ୍କୁ ଅଧିକ ସୁଯୋଗ ମିଳିବାକୁ ଥିବାବେଳେ ଶିକ୍ଷାର୍ଥୀଙ୍କୁ ଅନ୍ଲାଇନ୍ରେ ଡିଗ୍ରୀ ପାଠ୍ୟକ୍ରମର ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଦକ୍ଷତା ବିକାଶ ପାଇଁ ମଧ୍ୟ ୩୦୦୦ କୋଟି ବ୍ୟୟବରାଦ କରାଯାଇଛି।
ଖାଲି ସେତିକି ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପୁଲିସ ବିଶ୍ଵବିଦ୍ୟାଳୟ ଏବଂ ଫୋରେନ୍ସିକ୍ ବିଶ୍ଵବିଦ୍ୟାଳୟ ଖୋଲିବ। ଡାକ୍ତରଙ୍କ ଅଭାବକୁ ଦୂର କରିବା ସହ ଲୋକଙ୍କୁ ଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଘରୋଇ ସହଭାଗିତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ମେଡିକାଲ୍ କଲେଜ ଖୋଲିବ।