ଆମ ବଜେଟ୍‌କୁ ନେଇ ଆମେରିକାରେ ଖୁସି

ନୂଆଦିଲ୍ଲୀ(ଓଟି): ଆମ ବଜେଟ୍‌… ହଁ ଆମ ଦେଶର ଆମ୍‌ ବଜେଟ୍‌ ବା ସାଧାରଣ ବଜେଟ୍‌। ଇତିମଧ୍ୟରେ ଗତ ପହିଲାରୁ ସଂସଦରେ ଉପସ୍ଥାପିତ ହୋଇସାରିଛି। ତବେ ଏହି ବଜେଟ୍‌ ଫଳରେ ଆମେରିକାରେ ଦେଖାଦେଇଛି ଖୁସି। ଆମେରିକୀୟ ଶିଳ୍ପୋଦ୍ୟୋଗୀ ମହଲରେ ଉତ୍ସାହ ଦେଖାଦେଇଛି। ସେମାନେ ଭାରତର ବଜେଟକୁ ସମ୍ପୂର୍ଣ୍ଣ ଭାବେ ସ୍ଵାଗତ ଓ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ  ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ବଜେଟ୍‌ରେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଅଧିକ ହାରରେ ଟିକସଜନିତ ରିହାତି ବ୍ୟବସ୍ଥା କରାଯାଇଛି। ବିଶେଷକରି ଯେଉଁମାନେ ସରକାରୀ ଫଣ୍ଡରେ ବିନିଯୋଗ କରାଗଲେ ଦିଆଯାଇଥିବା ସୁବିଧା ତଥା ବ୍ୟବସ୍ଥାକୁ ଆମେରିକାର ଶିଳ୍ପପତିମାନେ ସ୍ୱାଗତ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସମ୍ପ୍ରତି ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବା ସହ ସାଧାରଣରେ ଚାହିଦା ହ୍ରାସ ପାଇବା ଏବଂ ସାଧାରଣ ଲୋକଙ୍କ କ୍ରୟ କ୍ଷମତା କମିବା ଭାରତୀୟ ଅର୍ଥନୀତି ପାଇଁ ଆଦୌ ଶୁଭପ୍ରଦ ନୁହେଁ। ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ହେଲେ ସାଧାରଣରେ ଚାହିଦା ବୃଦ୍ଧି କରିବାକୁ ହେବ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶର ଆବଶ୍ୟକ ରହିଥିଲାବେଳେ ୨୦୧୯ରେ ନିବେଶ ପ୍ରକ୍ରିୟା ମଧ୍ୟ ପୂର୍ବ ତୁଳନାରେ ହ୍ରାସ ପାଇଛି। ଏଭଳି ସ୍ଥିତିରେ ୨୦୨୦-୨୧ରେ ପର୍ଯ୍ୟାପ୍ତ ନିବେଶ ପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଭାରତ ପାଇଁ ଅନୁକୂଳ ସାବ୍ୟସ୍ତ ହେବ ବୋଲି ଆମେରିକୀୟ ଶିଳ୍ପପତି ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦-୨୧ ବଜେଟ୍‌ରେ ଦେଶର ପୁଞ୍ଜି ବ୍ୟବସ୍ଥାରେ ସର୍ବାଧିକ ଉନ୍ନତି ଆଣିବା ସହ ସାମର୍ଥ ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି। ବିଶେଷକରି ସାଧାରଣ ଲୋକଙ୍କ ଆୟ ବୃଦ୍ଧି ଏବଂ କ୍ରୟ କ୍ଷମତା ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କ୍ଷେତ୍ରରେ ନିବେଶ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣ ରଖାଯାଇପାରିବ ବୋଲି କୁହାଯାଇଥିଲା ବେଳେ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହୋଇପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି।

Leave a Reply

Your email address will not be published.