ବଜେଟ୍: ଋଣଭାର କମିଛି, ଜିଏସଟିକୁ ସରଳ କରାଯାଉଛି
ନୂଆଦିଲ୍ଲୀ(ଓଟି): ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ବିତ୍ତମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି ଯେ ସରକାରଙ୍କ ଋଣଭାର କମିଛି। ସେହିପରି ଜିଏସଟିକୁ ଆହୁରି ସରଳୀକରଣ କରାଯାଉଛି।
ଆଜି ପୂର୍ବାହ୍ଣ ୧୧ଟା ୧ରେ ମନ୍ତ୍ରୀ ସୀତାରାମଣ ବଜେଟରେ ଥିବା ବ୍ୟବସ୍ଥା ପଢ଼ିବା ଆରମ୍ଭ କରିଥିଲେ। ତେବେ ପ୍ରଥମରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତାର କଥା କହିଥିଲେ। ଦେଶର ସାଧାରଣ ଜନତାଙ୍କ ମୋଦୀ ସରକାରଙ୍କ ପ୍ରତି ଯଥେଷ୍ଟ ଆଶା-ଭରସା ଓ ବିଶ୍ଵାସ ରହିଛି ବୋଲି ସେ ସୂଚାଇ ଥିଲେ। ତେବେ ସେ ପ୍ରକାଶ କରିଛନ୍ତି ଯେ ଦେଶର ଅର୍ଥ ବ୍ୟବସ୍ଥାରେ ଜିଏସଟି ଏକ ବଡ଼ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଏହି ଜିଏସଟି ଆଦାୟ ୧ ଲକ୍ଷ କୋଟି ଛୁଇଁପାରିଛି। ପ୍ରଥମ ପର୍ଯ୍ୟାୟରେ ଏହା ବହୁ ବାଧାବିଘ୍ନକୁ ସାମ୍ନା କରିଥିଲେ ମଧ୍ୟ ଗତ ଆର୍ଥିକ ବର୍ଷରେ ୪୦ କୋଟିର ରିଟର୍ଣ୍ଣ ଫାଇଲ ହୋଇଛି। ସେହିପରି ୮୦୦ କୋଟି ଇନଭଏସ ଅପଲୋଡ୍ ହୋଇଥିବାବେଳେ ୧୦୫ କୋଟି ଇ-ୱେ ବିଲ୍ ତିଆରି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆସନ୍ତା ଏପ୍ରିଲରୁ ଟିକସ ଦାଖଲ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବା ସହ ନୂଆ ବ୍ୟବସ୍ଥା ଲାଗୁ କରାହେବ। ସେହିପରି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିବାବେଳେ ସରକାରଙ୍କ ଋଣଭାର ୨୦୧୪ ମାର୍ଚ୍ଚରେ ୫୨.୨% ରହିଥିବାବେଳେ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୪୮.୭% ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।