ଆଗକୁ ବଜେଟ୍: ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ମୋଦୀ
ନୂଆଦିଲ୍ଲୀ: ଭାରତର ସାଂପ୍ରତିକ ଅର୍ଥନୀତିରେ ଅସ୍ଥିରତା ଦେଖାଯାଇଛି । ମାନ୍ଦାବସ୍ଥାକୁ ନେଇ ଶିଳ୍ପ କ୍ଷେତ୍ର ଠାରୁ ଆରମ୍ଭ କରି ସେବା ,ନିଯୁକ୍ତି, ରପ୍ତାନି ଏବଂ ଆମଦାନୀ କ୍ଷେତ୍ର ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା ବେଳେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ ହାର (ଜିଡିପି) ବିଗତ ୧୧ ବର୍ଷର ସର୍ବନିମ୍ନ ସ୍ତର ଛୁଇଁଛି । ତଥାପି ଭାରତର ବର୍ଦ୍ଧିତ ଅର୍ଥନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବାଦୀ ରହିଛନ୍ତି । ଭାରତୀୟ ଅର୍ଥନୀତିର ମୂଳଦୂଆ ସୁଦୃଢ ରହିଥିବାରୁ ସାଂପ୍ରତିକ ସ୍ଥିତିକୁ ମୁକାବିଲା କରାଯାଇ ଆଗାମୀ ଦିନରେ ଉଚ୍ଚ ଅଭିବୃଦ୍ଧି ହାସଲ କରାଯିବାର କ୍ଷମତା ଭାରତ ନିକଟରେ ରହିଛି ବୋଲି ମୋଦୀ କହିଛନ୍ତି ।
ଆସନ୍ତା େ‘ବୃଆରୀ ୧ ତାରିଖରେ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିତି ଆୟୋଗ ବୈଠକରେ ଅର୍ଥନୀତିଜ୍ଞ ଏବଂ ଶିଳ୍ପ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ବିଶେଷକରି ସାଂପ୍ରତିକ ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ଆଲୋଚନା କରିବା ସହିତ ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ସେ ଆଲୋଚନା କରିଛନ୍ତି । ଗୁରୁବାର ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥନୀତିଜ୍ଞ, ପୁଞ୍ଜି ନିବେଶକାରୀ, ଶିଳ୍ପପତି, ବ୍ୟବସାୟିକ ଅଂଶୀଦାର ଏବଂ ଋଣନୀତି ପ୍ରସ୍ତୁତକାରୀ ବିଶେଷଜ୍ଞମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି । ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାିବାକୁ ଯେଉଁ ସଂକଳ୍ପ ରହିଛି ତାହାକୁ ହାସଲ କରିବା ଦିଗରେ ପ୍ରତ୍ୟେକ ଅଂଶୀଦାରମାନଙ୍କ ଭୂମିକା ରହିଛି ବୋଲି ମୋଦୀ କହିଛନ୍ତି । ଏହି ମର୍ମରେ ସେ କହିଛନ୍ତି ଯେ, ସଂକଳ୍ପକୁ ପୁରା କରିବାକୁ ହେଲେ ସମସ୍ତେ ମିଳିତ ଭାବେ ଏବଂ ରାଷ୍ଟ୍ରର ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ । ୨୦୦୮-୦୯ରୁ ବିଶ୍ୱସ୍ତରରେ ଆରମ୍ଭ ହୋଇଥିବା ମାନ୍ଦାବସ୍ଥା ପ୍ରଭାବରେ ବର୍ତ୍ତମାନ ଭାରତର ଅଭିବୃଦ୍ଧି ପ୍ରକ୍ରିୟା ସଙ୍କୁଚିତ ହୋଇଛି । ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିଥିଲେ ହେଁ ଚଳିତ ଆର୍ଥିକ ବର୍ଷରେ ଏହା ୫ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଇଛି ।
ହେଲେ ଆଗାମୀ ଦିନରେ ସ୍ଥିତି ବଦଳିବ ଏବଂ ୨୦୨୪ ସୁଦ୍ଧା ଆମକୁ ଆମ ସଂକଳ୍ପରେ ପହଞ୍ଚିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି । ପର୍ଯ୍ୟଟନ, ସହରାଞ୍ଚଳ ବିକାଶ, ଭିତ୍ତିଭୂମି ଏବଂ କୃଷି ଆଧାରିତ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ଘଟିବାର ବିପୁଳ ସମ୍ଭାବନା ରହିଥିଲା ବେଳେ ଏଗୁଡିକରେ ନିବେଶ ବୃଦ୍ଧି ପାଇଲେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି ସହ ପରୋକ୍ଷରେ ଏହା ଅର୍ଥନୀତି ପାଇଁ ଅନୁକୂଳ ହେବ ବୋଲି ସେ କହିଛନ୍ତି । ପ୍ରାୟ ୨ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ବ୍ୟତୀତ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।
ପ୍ରକାଶଯୋଗ୍ୟ, ଆସନ୍ତା ୨୦୨୦-୨୧ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟ୍ ଚିଠା ପ୍ରସ୍ତୁତ କରାଯାଉଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା େ‘ବୃଆରୀ ୧ରେ ତାଙ୍କ ଦ୍ୱିତୀୟ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ତେଣୁ ଏ ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବିଶିଷ୍ଟ ଉଦ୍ୟୋଗପତିମାନଙ୍କ ସହିତ ଅର୍ଥବ୍ୟବସ୍ଥା ସ୍ଥିତି ଉପରେ ଆଲୋଚନା କରିଥିଲେ । ବୈଠକରେ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ନିଯୁକ୍ତି ବୃଦ୍ଧି କରିବା ଆଦି ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଛି ।