କଂଗ୍ରେସକୁ ବିଏସପିର ସମର୍ଥନ ପ୍ରତ୍ୟାହାର ଧମକ
ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଏସପି ସହଯୋଗରେ ସରକାର ଗଢିଛି। ହେଲେ ଏବେ ବିଏସପି ନିଜର କିଛି ସର୍ତ୍ତ ପୂରଣ ନହେଲେ କଂଗ୍ରେସଠାରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି।
୨୦୧୮, ଏପ୍ରିଲ ୨ରେ ଭାରତ ବନ୍ଦ ବେଳେ ଏଥିରେ ଅଂଶଗ୍ରହଣ କରିଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଯେଉଁ ଏଫଆଇଆରମାନ ଦାୟର କରାଯାଇଥିଲା, ସେଗୁଡିକୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ବିଏସପି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଆଉ ଯଦି ସେମାନଙ୍କ ଦାବି ପୂରଣ ନହୁଏ, ତେବେ ବିଏସପି କଂଗ୍ରେସ ବାହାରୁ ସମର୍ଥନ ଦେବା ନେଇ ପୁନର୍ବିଚାର କରିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଥାଉ କି, ଗତ ଏପ୍ରିଲ ୨ରେ ବହୁ ଦଳିତ ସଂଗଠନ ସୁପ୍ରିମକୋର୍ଟଙ୍କ ଏସଟିଏସସି ଆଇନ ବିରୋଧରେ ରାୟକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରିଥିଲେ। ଏହି ଘଟଣାରେ ୧୦ ଜଣ ଲୋକ ପ୍ରାଣ ହରାଇଥିଲାବେଳେ ବହୁ ଲୋକ ଆହତ ହୋଇଥିଲେ। ଅନେକଙ୍କ ବିକ୍ଷୋଭକାରୀଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଥିଲା।