‘ବିଏସ୍‌ଏନ୍‌ଏଲ୍ ବନ୍ଦ ହେବ ଭାବିବା ଭୁଲ୍’

ନୂଆଦିଲ୍ଲୀ(ଓଟି): ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିଃ(ବିଏସ୍‌ଏନ୍‌ଏଲ୍‌)କୁ ବନ୍ଦ କରିବାକୁ ଦିଆଯିବନି। ଏପରି ଭାବିବା ଭୁଲ୍‌। ଏହାର ପୁନର୍ଗଠନ ପାଇଁ ଉଦ୍ୟମ ଚାଲିଛି ବୋଲି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ରିବଶଙ୍କର ପ୍ରସାଦ କହିଛନ୍ତି। ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ବିଏସ୍‌ଏନ୍‌ଏଲ୍ ବ୍ୟତୀତ ମହାନଗର ଟେଲିକମ୍ ନିଗମ ଲିଃ(ଏମ୍‌ଟିଏନ୍‌ଏଲ୍‌)ର ପୁନର୍ଗଠନ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଉଭୟ ସଂସ୍ଥାର ପୁନର୍ଗଠନ ପାଇଁ ଏଗୁଡିକର ସ୍ଥାୟୀ ସମ୍ପତ୍ତି ଏବଂ ଜମିକୁ ଉପଯୋଗ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ରବିଶଙ୍କର କହିଛନ୍ତି । ବିଏସ୍‌ଏନ୍‌ଏଲ୍ ଏବଂ ଏମ୍‌ଟିଏନ୍‌ଏଲ ଭଳି ରାଷ୍ଟ୍ରାୟତ୍ତ ଟେଲିକମ୍ ସଂସ୍ଥା ଦେଶର ପ୍ରମୁଖ ଉଦ୍ୟୋଗ ଭାବେ ବିଚାର କରାଯାଉଥିବା ବେଳେ ଦୁର୍ଦ୍ଦିନ ସମୟରେ ଏହସବୁ ସଂସ୍ଥା ଲୋକମାନଙ୍କୁ ଉଚିତ୍ ସେବା ଯୋଗାଇଦେଇଛନ୍ତି। କିନ୍ତୁ ସେଗୁଡିକର ସାମ୍ପ୍ରତିକ ଆର୍ଥିକ ବ୍ୟବସ୍ଥାକୁ ନେଇ ମଧ୍ୟ ବିଚାର କରାଯିବାର ଆବଶ୍ୟକ ରହିଛି। ଏହାସତ୍ତ୍ୱେ ଏହି ଦୁଇ ସଂସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ ବୋଲି ଭାବିବା ଅନୁଚିତ୍। କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଗୁଡିକର ପୁନର୍ଗଠନ ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଉଭୟ କମ୍ପାନୀଙ୍କ ନିକଟରେ ରହିଥିବା ଟାୱାର ଭିତ୍ତିଭୂମି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଟାୱାର ଶେୟାରିଂ ବ୍ୟବସ୍ଥା ମାଧ୍ୟମରେ ଅନ୍ୟାନ୍ୟ ଟେଲିକମ୍ ଅପରେଟରମାନଙ୍କ ସହ ରହିଥିବା କାରବାର ଉଭୟ କମ୍ପାନୀଙ୍କ ପାଇଁ ଯଥେଷ୍ଟ ସହାୟକ ହେବ। ସମ୍ପ୍ରତି ବିଏସ୍‌ଏନ୍‌ଏଲ୍‌ର ମୋଟ ୧୩,୧୪୬ଟି  ମୋବାଇଲ ଟାୱାର ରହିଥିବା ବେଳେ ଏଗୁଡିକ ମଧ୍ୟରୁ ୮୩୬୩ ରିଲାଏନ୍ସ ଜିଓ, ୨୭୭୯ ଭାରତୀ ଏୟାରଟେଲ ଏବଂ ୧୭୮୨ଟି ଟାୱାର ଭୋଡାଫୋନ୍ ଆଇଡିଆ ସହିତ ଶେୟାରିଂ କରାଯାଇଛି । ସେହିପରି ଏମ୍‌ଟିଏନ୍‌ଏଲ୍‌ର ୪୦୨ଟି ମୋବାଇଲ ଟାୱାର ମଧ୍ୟରୁ ୧୩୭ଟି ଟାୱାର ରିଲାଏନ୍ସ ଜିଓ, ୧୦୦ଟି ଭାରତୀ ଏୟାରଟେଲ ଏବଂ ୧୬୫ଟି ଟାୱାର ଭୋଡାଫୋନ୍ ଆଇଡିଆ ସହିତ ଶେୟାରିଂ କରାଯାଇଛି। ସେହିପରି ରିଲାଏନ୍ସ ଜିଓ ଉପରେ ବିଏସ୍‌ଏନ୍‌ଏଲ୍‌ର ୧୬୭.୯୭ କୋଟି ଟଙ୍କା ବକେୟା ପଡ଼ିଥିବା ବେଳେ ଏମ୍‌ଟିଏନ୍‌ଏଲ୍‌ର ୧୧.୬୨ କୋଟି ଟଙ୍କା ବକେୟା ରହିଛି। ଏହାପୂର୍ବରୁ  ଉଭୟ କମ୍ପାନୀର ପୁନର୍ଗଠନ  ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇସାରିଛି। ବିଏସ୍‌ଏନ୍‌ଏଲକୁ ବ୍ୟବସାୟ ଦୃଷ୍ଟିରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୁଖୀ କରିବା ଉଦ୍ଦେଶ୍ୟରେ ଗତ ଏପ୍ରିଲରୁ ୪ଜି ସ୍ପେକ୍‌ଟ୍ରମ୍ ଯୋଗାଇ ଦିଆଯାଇଛି। ଆଗାମୀ ୧୯ ମାସ ମଧ୍ୟରେ ବିଏସ୍‌ଏନ୍‌ଏଲ ୪ଜି ସେବା ଆରମ୍ଭ କରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *