ମେଡିକାଲ କଲେଜରେ ମାଗଣା ଚିକିତ୍ସା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ର ହିତାଧିକାରୀମାନେ ଆସନ୍ତା ଫେବୃୟାରୀ ପହିଲାରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ପୂର୍ବରୁ ବିଏସ୍କେୱାଇ ହିତାଧିକାରୀମାନେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆରମ୍ଭକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହି ସୁବିଧା ପାଇପାରୁଥିଲେ । ଆସନ୍ତା ପହିଲାରୁ ମେଡିକାଲ କଲେଜ ହସ୍ପିଟାଲ ଗୁଡିକୁ ଏହି ସେବା ସମ୍ପ୍ରସାରିତ ହେବ ।
ଉଭୟ ଏପିଏଲ୍ ଓ ବିପିଏଲ୍ ବର୍ଗର ସମସ୍ତ ରୋଗୀ ଏହି ଚିକିତ୍ସା ସୁବିଧା ପାଇବେ । ଏଥି ସହିତ ସବୁ ବର୍ଗର ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତଭଣ୍ଡାରରୁ ମାଗଣା ରକ୍ତ ଯୋଗାଇଦେବେ ।
ଉଲ୍ଲେଖନୀୟ ଯେ ଗତବର୍ଷ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଏସ୍କେୱାଇ ଆରମ୍ଭ ହୋଇଥିବାବେଳେ ୫ମାସ ମଧ୍ୟରେ ଏଥିରେ ୨.୨୫କୋଟି ମାଗଣା ସ୍ୱାସ୍ଥ୍ୟ ସହାୟତା ଲୋକମାନଙ୍କୁ ଯୋଗାଇ ଦିଆଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ବିଏସ୍କେୱାଇ ଯୋଜନାରେ ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମାଗଣାରେ ଉପଲବ୍ଧ ହେଉଥିଲା । ଆୟ, ବାସସ୍ଥାନ କିମ୍ବା ଅନ୍ୟ କୌଣସି କାଗଜପତ୍ର ଦେଖାଇପାରୁନଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି କ୍ୟାଶ୍ଲେସ୍ ଯୋଜନାରେ ସ୍ୱାସ୍ଥ୍ୟସେବା ଯୋଗାଯାଉଛି ।
ସରକାରୀ ଚିକିତ୍ସାଳୟରେ ଥିବା ସମସ୍ତ ମାଗଣା ଚିକିତ୍ସା ସେବା ଏପରିକି ଶଯ୍ୟା, ଅସ୍ତ୍ରୋପଚାର, ଆଇସିୟୁ ଆଦି ଯୋଗାଇ ଦିଆଯାଉଛି । ଏଥିପାଇଁ ରାଜ୍ୟ ସରକାର ବଜେଟ୍ରେ ୧୦୦ କୋଟି ଟଙ୍କାର ଅତିରିକ୍ତ ବରାଦ କରିଛନ୍ତି ।
ସେହିଭଳି ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟ ଗୁଡିକରେ ରାଜ୍ୟର ପ୍ରାୟ ୭୦ଲକ୍ଷ ବିଏସ୍କେୱାଇ ହିତାଧିକାରୀ ପରିବାର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ମହିଳାମାନଙ୍କ କ୍ଷେତ୍ରରେ ଏହା ୭ଲକ୍ଷ ଟଙ୍କା ରହିଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି ପୁଣି ବୃଦ୍ଧି ପାଇଛି। ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ଉଭୟ ବିପିଏଲ ଏବଂ ଏପିଏଲ ଶ୍ରେଣୀର ଲୋକ ଏଥିରୁ ଉପକୃତ ହୋଇପାରିବେ। ୨୦୧୯ ଫେବ୍ରୁଆରି ୧ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ସେହିଭଳି ବ୍ଲଡ ବ୍ୟାଙ୍କ ଗୁଡିକରେ ମଧ୍ୟ ବିନା କୈାଣସି ମୂଲ୍ୟରେ ସୁବିଧାରେ ଉଭୟ ଏପିଏଲ ଓ ବିପିଏଲ ଶ୍ରେଣୀର ଲୋକ ରକ୍ତ ପାଇ ପାରିବେ।
ପୂର୍ବରୁ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ସେବା ଗ୍ରାମାଞ୍ଚଳରେ ସବ ସେଣ୍ଟରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୧୦୦ କୋଟିର ବୋଝ ପଡିବ । ଅଗଷ୍ଟ ୧୫, ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନା ଆରମ୍ଭର ୫ ମାସ ମଧ୍ୟରେ ୨.୨୫ କୋଟି ଥର ସ୍ୱାସ୍ଥ୍ୟ ସେବା ସୁବିଧାର ଫାଇଦା ଲୋକେ ଉଠାଇଛନ୍ତି।
ସେହିଭଳି ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲରୁ ଆରମ୍ଭ କରି ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ ୭୦ ଲକ୍ଷ ପରିବାର ଯୋଜନା ଫଳରେ ଉପକୃତ ହେଉଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହାକୁ ୭ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।