ଭୋଟ୍‍ ୨୦୧୯: ଭାଇକୁ ଦୂରେଇଲା ରାଜନୀତି

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଭାଇ ନିର୍ବାଚନ ଲଢ଼ୁଛନ୍ତି । ଜଣେ ବିଜେପିରୁ ଆଉ ଜଣେ କଂଗ୍ରେସରୁ । ଅବଶ୍ୟ ଏମାନେ ଗୋଟିଏ ମା’ ପେଟରୁ ଜନ୍ମ ନୁହନ୍ତି କିନ୍ତୁ ରକ୍ତ ସମ୍ପର୍କୀୟ । ଦାଦାପୁଅ-ବଡ଼ବାପା ପୁଅ ଭାଇ । ପରସ୍ପର ବିରୋଧୀ ଦଳରେ ଦୁଇ ଭାଇ ନିର୍ବାଚନ ଲଢ଼ିବା ରାଜ୍ୟରେ ଆଉ ନୂଆ କଥା ନୁହେଁ, ହେଲେ ଗତଥର ସେମାନେ ଏକାଠି ମିଶିକରି କଂଗ୍ରେସ ପାଇଁ ପ୍ରଚାର କରୁଥିଲେ ଏବଂ ଭୋଟ୍‍ ଭାଗୁଥିଲେ ହେଲେ ଏଥର ପରସ୍ପର ବିରୋଧରେ ଭୋଟ୍‍ ଲଢ଼ିବା କୌତୁହଳ ସୃଷ୍ଟି କରୁଛି । ଏ ଦୁଇ ଭାଇ କିଏ ଜାଣିଛନ୍ତି, ସେମାନେ ହେଉଛନ୍ତି ଦୋଳଗୋବିନ୍ଦ ନାୟକ ଏବଂ ଧରଣୀଧର ନାୟକ ।

ଏ ଦୁହିଁଙ୍କ ଘର ହେଉଛଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‍ କଣ୍ଟପଡ଼ା ଅଞ୍ଚଳର ବଡ଼ାଘର ଗାଁରେ । ଦୋଳଗୋବିନ୍ଦ ନାୟକ ପୂର୍ବରୁ କଂଗ୍ରେସ ଦଳରେ ଥିଲେ ଓ ସେ ଆଳିର ବିଧାନସଭା ଆସନରେ ବହୁଥର ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିଲେ ଓ ଆଳିର ବିଧାୟକ ଭାବେ ନିର୍ବାଚିତ ବି ହୋଇଥିଲେ । ଏବେ କିନ୍ତୁ ବିଜେପି ତାଙ୍କୁ ଗ୍ରହଣ କରିଛି । ସେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ।

ଆଉ ଧରଣୀଧର ନାୟକ ହେଉଛନ୍ତି ଜଣେ ଜଣାଶୁଣା ଆଇନଜୀବୀ । ୨୦୧୪ ନିର୍ବାଚନରେ ଧରଣୀଧର ନାୟକ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ସେତେବେଳେ ଧରଣୀଙ୍କ ପାଇଁ ଦୋଳ ଗୋବିନ୍ଦ ବୁଲି ବୁଲି ନିର୍ବାଚନ ପ୍ରଚାର କରୁଥିଲେ । କିନ୍ତୁ ଏଥର ରାଜନୈତିକ ପରିସ୍ଥିତି ବଦଳି ଯିବାରୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । କହୁଛନ୍ତି ଦଳ ପାଇଁ ଭାଇ ଏବେ ଭଗାରି ହୋଇଗଲାଣି!

ଏଇ ନିର୍ବାଚନରେ ଦୋଳବାବୁ କଂଗ୍ରେସ ମୋହ ତୁଟାଇ ବିଜେପିରେ ଯୋଗ ଦେଇ ବିଜେପିର ପ୍ରାର୍ଥୀ ଭାବେ ଆଳି ବିଧାନସଭା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଳି ଅଞ୍ଚଳର ଲୋକେ କଂଗ୍ରେସକୁ ହାତ ଚିହ୍ନରେ ଭୋଟ ନଦେଇ ପଦ୍ମ ଫୁଲରେ ଭୋଟ ଦେଇ ବିଜେପିକୁ ଜିତାଇବା ପାଇଁ ଦୋଳଗୋବିନ୍ଦ କହୁଥିବା ବେଳେ ବିଜେପିକୁ ଭୋଟ ନଦେଇ କଂଗ୍ରେସ ଦଳକୁ ହାତ ଚିହ୍ନରେ ଭୋଟ ଦେବାକୁ ଧରଣୀଧର ନାୟକ ଲୋକଙ୍କୁ କହୁଛନ୍ତି ।

Leave a Reply

Your email address will not be published.