ନିୟମ ମାନିଲେ, ମାସ୍କ ପିନ୍ଧି ବିବାହ କଲେ

ନୂଆଦିଲ୍ଲୀ (ଓଟି): କରୋନା ମହାମାରୀ ଆତଙ୍କରୁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁ କାର୍ଯ୍ୟକ୍ରମ ବନ୍ଦ। ତେବେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍‌ ୧୪ ପରେ ଉଠିଯିବ ବୋଲି ଅନେକ ଭାବି ନେଇଥିଲେ। ତେଣୁ ସେହି ଅନୁସାରେ କିଛି ଜରୁରୀ କାର୍ଯ୍ୟକ୍ରମ ପାଇଁ ସ୍ଥିର କରିଥିଲେ। ବିଶେଷକରି ବିବାହ କାର୍ଯ୍ୟ ପାଇଁ ଏପ୍ରିଲ ୧୫ ପରଠୁ ଅନେକ ସ୍ଥିର କରିଥିଲେ। କିନ୍ତୁ କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବଢ଼ାଇବା ପରେ ବିବାହ କାର୍ଯ୍ୟ ପାଇଁ ମନ ବଳାଇଥିବା ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ସହ ବିଶେଷ ଲୋକ ସମାଗମ ନକରି କେତେକ ସ୍ଥାନରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ମଧ୍ୟ ଏଭଳି ଏକ ବିବାହ କାର୍ଯ୍ୟ କରାଯାଇଛି।

ସୂଚନା ଅନୁସାରେ ହୋଶଙ୍ଗାବାଦ ଅନ୍ତର୍ଗତ ସେୱନି ମାଲୱା ତହସିଲର ଝକଲାୟରେ ଏକ ବିବାହ କାର୍ଯ୍ୟ ହୋଇଯାଇଛି। ଏଥିରେ ବର-କନ୍ୟାଙ୍କ ସମେତ ଉଭୟ ପକ୍ଷ ଲୋକେ ସରକାର ଜାରି କରିଥିବା ସମସ୍ତ ନିୟମ ପାଳନ କରିଥିଲେ। ୪ ଜଣ ବରଯାତ୍ରୀ ନେଇ କନ୍ୟାଘରେ ପହଞ୍ଚିଥିଲେ ବର। ଏଥିସହ ମାସ୍କ ଲଗାଇ ଓ ସାମାଜିକ ଦୂରତାକୁ ଅନୁପାଳନ କରି ବର-କନ୍ୟା ସାତଫେରା ନେଇଥିଲେ। ପଡ଼ିଥିଲା ହାତଗଣ୍ଠି। ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ହେମନ୍ତ ଓ ବ୍ରଜେଶ୍ଵରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published.