୨୪ରେ ଆସିବେ ବ୍ରାଜିଲ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସକୁ ମଝିରେ ଆଉ ୪ ଦିନ ରହିଲା। ଆସନ୍ତା ରବିବାର ସାରା ଦେଶରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ/ଗଣତନ୍ତ୍ର ଦିବସ ବା ରିପବ୍ଲିକ୍ ଡେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜଧାନୀ ଦିଲ୍ଲୀରେ ଯବାନଙ୍କ ସମେତ ବିଭିନ୍ନ ସୁରକ୍ଷାବଳ ପକ୍ଷରୁ ଚାଲିଛି ପରେଡ୍ ଅଭ୍ୟାସ। ସେହିପରି ଉକ୍ତ ଦିବସ ପାଇଁ ସରକାରୀସ୍ତରରେ ବହୁବିଧ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେହିକ୍ରମରେ ଚଳିତ ବର୍ଷର ମୁଖ୍ୟଅତିଥି ଭାବେ ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲ୍ସୋନାରୋ ଯୋଗଦେବେ ବୋଲି ଜଣାପଡ଼ିଛି। ୭୧ତମ ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଆସୁଥିବା ବ୍ରାଜିଲ ରାଷ୍ଟ୍ରପତି ଆସନ୍ତା ୨୪ରୁ ୨୭ ଯାଏ ଆମ ଦେଶରେ ରହିବେ। ଅନେକ କାର୍ଯ୍ୟକ୍ରମରେ ସେ ଯୋଗାଦେବେ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି।
ସୂଚନାଯୋଗ୍ୟ ପ୍ରତିବର୍ଷ ଜାନୁଆରୀ ୨୬ରେ ବିଦେଶ ଅତିଥିଙ୍କୁ ଆମନ୍ତ୍ରଣ କରାଯାଉଥିବାବେଳେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ସେ ୨୪ରେ ନିଜର ୭ ମନ୍ତ୍ରୀ ଏବଂ ପାଖାପାଖି ୧୫ ସରକାରୀ ଅଧିକାରୀଙ୍କ ସହ ଦିଲ୍ଲୀରେ ପହଞ୍ଚିବେ। ଏହା ପୂର୍ବରୁ ୧୯୯୬ ଓ ୨୦୦୪ରେ ବ୍ରାଜିଲର ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ଅତିଥି ହୋଇଥିଲେ।











