ଚୋରକୁ ଗୋଡ଼ାଇ ଧରିଲେ ମହିଳା କଣ୍ଡକ୍ଟର

ଏକ ଗ୍ୟାସ୍‌ ବୋଝେଇ ଅଟୋରୁ ସିଲିଣ୍ଡର ଚୋରି କରୁଥିବା ବେଳେ ମୋ’ ବସ୍‌ର ମହିଳା କଣ୍ଡକ୍ଟର ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଛନ୍ତି । ତାକୁ ନିସ୍ତୁକ ମାଡ଼ମାରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛନ୍ତି । ଧରା ପଡ଼ିଥିବା ଚୋରର ନାମ ମୋହନ ଦାସ(୨୪) । ଘର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ରାଉତସାହି । ବସ୍‌ରୁ ଓହ୍ଲାଇ ଚୋରକୁ ସାବାଡ୍‌ କରିଥିବା ମହିଳା କଣ୍ଡକ୍ଟର ସବିତା ପ୍ରଧାନଙ୍କୁ ଲୋକେ ସାବାସୀ ଜଣାଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସାଲିଆସାହି ଏକାମ୍ରବିହାରର ଅର୍ଜୁନ ସାହୁ ଜଣେ ଗ୍ୟାସ୍‌ ବିତରକ । ସେ ଆଜି ଅଟୋରେ ହୋମ୍‌ ଡେଲିଭରି ଦେବାକୁ ଯାଉଥିଲେ । କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଅର୍ଜୁନ ଅଟୋ ଥୋଇ ଜଣେ ଗ୍ରାହକଙ୍କ ଘରକୁ ଯାଇଥିଲେ । ମୋହନ ଉକ୍ତ ଅଟୋ ପଛପଟରୁ ଏକ ଗ୍ୟାସ୍‌ ସିଲିଣ୍ଡର ଟେକି ନେଇ ପଳାଉଥିଲା । ଏହି ସମୟରେ ଏକ ମୋ ବସ୍‌ ସେଠାରେ ଲାଗିଥିଲା । ବସ୍‌ର ମହିଳା କଣ୍ଡକ୍ଟର ସବିତା ସିଲିଣ୍ଡର ଚୋରି ହେଉଥିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ବସ୍‌ରୁ ଡେଇଁପଡ଼ି ମୋହନକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ।

କିଛି ସମୟ ପାଇଁ ମୋହନ ସହ ସବିତାଙ୍କର ଧସ୍ତାଧସ୍ତି ହୋଇଥିଲା । ହେଲେ ସାହସର ସହ ସବିତା ମୋହନକୁ କାବୁ କରିଥିଲେ । ଏହା ଦେଖି ସେଠାରେ ଲୋକ ଜମା ହୋଇ ଯାଇଥିଲେ । ସବିତାଙ୍କ ସହ ସମସ୍ତେ ମିଶି ମୋହନକୁ ନିସ୍ତୁକ ମାଡ଼ ମାରିଥିଲେ । ଖବରପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ସବିତା ମୋହନକୁ ପୁଲିସ ଜିମା ଦେଇଥିଲେ । ସବିତାଙ୍କ ଏଭଳି ସାହସିକତା ଦେଖି ସେଠାରେ ଲୋକେ ଓ ପୁଲିସ ସାବାସୀ ଜଣାଇଥିଲେ ।
ଗ୍ୟାସ୍‌ ବିତରକ ଅର୍ଜୁନଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ମୋହନକୁ ଗିରଫ କରିଥିଲା । ଅପରାହ୍ଣରେ ମୋହନକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published.