ସ୍ଥିତି ବଦଳାଉଛି ନିଜାମୁଦ୍ଦିନ୍ ମରକାଜ୍, ଓଡ଼ିଶାରେ ବ୍ରହ୍ମ ବରଦା ହୋଇପାରେ ହଟ୍ସ୍ପଟ୍

ଭୁବନେଶ୍ଵର, (ଓଟି): ଭାରତରେ କରୋନା ସଂକ୍ରମଣ ଚିତ୍ରକୁ ରାତାରାତି ବଦଳାଇଛି ନିଜାମ୍ମୁଦିନ୍ ମର୍କାଜ୍। କିଛି ଘଣ୍ଟା ଭିତରେ ନିଜାମୁଦ୍ଦିନ ଅଞ୍ଚଳ ଦିଲ୍ଲୀର କରୋନା ହଟ୍ସ୍ପଟ୍ରେ ବଦଳିଯାଇଛି। ଏଠାରେ ଥିବା ତବ୍ଲିଗି ଜମାତ୍ର ଅନ୍ତେବାସୀଙ୍କଠାରେ କରୋନା ସଂକ୍ରମଣ ଆଶଙ୍କାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବାକୁ ଉଦ୍ୟମ ହୋଇଥିଲା। ପ୍ରାୟ ୩୬ ଘଣ୍ଟା ପରେ ସେଠାରେ ଥିବା ୨୩୬୧ ଶ୍ରଦ୍ଧାଳୁଙ୍କୁ ପୁଲିସ ଓ ପ୍ରଶାସନ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ଭିତରୁ ୯୩ଜଣଙ୍କ ଭିତରେ କରୋନା ଭୁତାଣୁ ଚିହ୍ନଟ କରାଯାଇଥିବା ବେଳେ ୬୧୭ଜଣଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବାରୁ ହସ୍ପିଟାଲ୍ରେ ରଖାଯାଇଥିବା ଜଣାପଡ଼ିଛି।
ଏହି ଧର୍ମସଭାରେ ଓଡ଼ିଶାରୁ ଅନେକ ଲୋକ ଯୋଗ ଦେଇଥିବା ଜଣାପଡ଼ିଛି। ସେମାନଙ୍କ ଅନୁସନ୍ଧାନ ପ୍ରଶାସନ ଜାରି ରଖିଛି। ଏହି ଧର୍ମ ସଭାର ସହ ଏକ ଗୁରୁତ୍ଵପୁଣ୍ଣ ସମ୍ପର୍କ ଯାଜପୁରର ବ୍ରହ୍ମ ବରଦା ରକ୍ଷା କରିଛି। କିଛିଦିନ ପୂର୍ବରୁ ଅର୍ଥାତ୍ ଫେବୃୟାରୀ୨୮ରୁ ମାର୍ଚ୨ ତାରିଖ ଯାଏ ଏଠାରେ ଏକ ବିଶାଳ ଧର୍ମ ସଭା ଆୟୋଜନ କରାଯାଇଥିଲା। ପୁଣି ଏହି ସଭାକୁ ନିଜାମ୍ମୁଦିନ ମରକାଜ୍ର ପ୍ରସ୍ତୁତି ପର୍ବ ବୋଲି କୁହାଯାଏ। ଯେଉଁଠାରେ ଭାରତର ବିଭିନ୍ନ ପ୍ରନ୍ତ ସହ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଦୃଷ୍ଟିରୁ ପୁଲିସ ଏଠାରେ କରୋନା ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ଚେଷ୍ଟା ଚଳାଇଛି। ପ୍ରତିଶେଧକମୂଳକ ପଦକ୍ଷେପ ସ୍ଵରୂପ ଏହା ଏକ ବିଶେଷ ଆବଶ୍ୟକତା ବୋଲି ଗ୍ରହଣ କରାଯାଉଛି। ଯଦି ଏଠାରେ ସଂକ୍ରମଣ ବ୍ୟାପେ ତେବେ ତାହା ଓଡ଼ିଶାର ପରିସ୍ଥିତିକୁ ବଦଳାଇଦେବ ବୋଲି ଆଶଙ୍କା କରାଯାଉଛି।
ଏବେ ଓଡ଼ିଶାରେ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୬୧୦ଟି ସାମ୍ପଲ୍ ପରୀକ୍ଷଣ କରାଯାଇଛି। ଆସନ୍ତା ୧୫ ଦିନକୁ ଓଡ଼ିଶା ସରକାର ସବୁଠାରୁ ଗୁରୁତ୍ଵପୂଣ୍ଣ ବୋଲି ଗ୍ରହଣ କରୁଛନ୍ତି। ଯଦି ସଂକ୍ରମଣ ବ୍ୟାପେ ତେବେ ଏହି ୧୫ ଦିନରେ ତାହା ଜଣାପଡ଼ିଯିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଶଙ୍କା କରିଛନ୍ତି। ଏଣୁ ଏହି ୧୫ ଦିନ ଲକ୍ଡାଉନ୍କୁ କଠୋର ଭାବେ ପାଳନ କରିବାକୁ ସରକାର ଅନୁରୋଧ କରିଛନ୍ତି।











