ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ
ଚଳିତ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପି ଡ଼ା ସମ୍ୱିତ ପାତ୍ରଙ୍କୁ ପ୍ରାର୍ଥୀ କରି ଯେଉଁ ବ୍ରାହ୍ମଣ ଓ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି ତାର ଉପଯୁକ୍ତ ମୁକାବିଲ୍ଳା କରିବା ପାଇଁ ଶାସକ ବିଜୁ ଜନତା ତାର ପୁରୁଣା ସାଂସଦ ପିନାକୀ ମିଶ୍ରଙ୍କ ଉପରେ ଭରଷା କରିଛି। ସାଂସଦ ପିନାକୀ ମିଶ୍ରଙ୍କୁ ପୁରୀରୁ ଲଢ଼ିବା ପାଇଁ ଆଉ ଦଳୀୟ ଟିକଟ ମିଳିବ ନାହିଁ ବୋଲି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ତାହାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାରଜ କରି ପିନାକୀଙ୍କ ଉପରେ ଆସ୍ଥା ସ୍ଥାପନ କରି ତାଙ୍କୁ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି।

ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ଏହି ପୁରୀ ଲୋକସଭା କ୍ଷେତ୍ରରେ ଏବେ ହାଇଭୋଲଟେଜ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ୨୨ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ବଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବଳ କଷୁଛି । ଏପରିକି ସମ୍ବିତଙ୍କ ନାମ ଘୋଷଣା ପରେ ସମ୍ବିତ ମଧ୍ୟ ପୁରୀରେ ସଂସଦୀୟ କ୍ଷେତ୍ରରେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସମ୍ବିତ ବିଜେଡି ଗଡ଼କୁ ଦଖଲ କରିବା ପାଇଁ ମୋଦିଙ୍କ ଭିଜନ ନେଇ ପୁରୀ କ୍ଷେତ୍ର ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ବୁଲି ବୁଲି ପ୍ରାଣମୂର୍ଚ୍ଛା ପ୍ରଚାର ଉଦ୍ୟମରେ ଲାଗିପଡ଼ିଛନ୍ତି ।
ଉପକୂଳ ଓଡିଶାର ସମ୍ମାନଜନକ ଲୋକସଭା ଆସନ ମଧ୍ୟରେ ପୁରୀ ଅନ୍ୟତମ । ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି ଓ ନୟାଗଡ ଜିଲ୍ଲାର ରଣପୁର, ନୟାଗଡା, ଖୋର୍ଦ୍ଧା ଜିଲ୍ଲାର ଚିଲିକା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ପୁରୀ ଲୋକସଭା ଆସନରେ ଉଭୟ କଂଗ୍ରେସ ଓ ବିଜେଡି ନିଜର ଦବଦବା ଜାହିର କରି ଆସିଛନ୍ତି । ପୂର୍ବରୁ କଂଗ୍ରେସ ଏଠାରେ ୬ ଥର ବିଜୟ ହୋଇ ନିଜର ଦବଦବା ଜାହିର କରି ଆସିଛି । ଶେଷ ଥର ପାଇଁ କଂଗ୍ରେସ ୧୯୯୬ରେ ଏହି ଆସନ ଦଖଲ କରିଥିଲା । ସେତେବେଳେ କଂଗ୍ରେସକୁ ବିଜୟ ଦେଇଥିବା ପିନାକୀ ମିଶ୍ର ଏବେ ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇ କଂଗ୍ରେସକୁ ପରାଜୟର ବାଟ ଦେଖାଇଛନ୍ତି ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ବିଜେଡି ଜନ୍ମ ହେବା ପରଠାରୁ ପୁରୀ ମୈଦାନରେ ପରାକ୍ରମ ଦେଖାଇ ଆସିଛି । ୧୯୯୮, ୧୯୯୯ ଓ ୨୦୦୪ରେ ଏହି ଆସନରେ ବିଜେଡି ଟିକେଟରେ ବ୍ରଜ କିଶୋର ତ୍ରିପାଠୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ତେବେ ବିଜେଡିରୁ ବ୍ରଜ ବିଦା ହେବା ପରେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପିନାକୀ ମିଶ୍ର ଦଳବଦଳ କରି ବିଜେଡିରେ ମିଶିଥିଲେ । ୨୦୦୯ରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହେବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ ଦେଇ ବିଜେଡି ଗଡକୁ ବଞ୍ଚାଇଥିଲେ । ଏହାପରେ ୨୦୧୪ରେ ମଧ୍ୟ ପୁରୀରେ ବିଜେଡିର ବିଜୟ ରଥକୁ ଆଗକୁ ନେଇଥିଲେ । ଆଉ ୨୦୧୯ରେ ପିନାକୀ ଏହି ଧାରାକୁ ବଜାୟ ରଖିବା ସହ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ।
ଅନ୍ୟପଟେ ବିଜେଡି ଓ ବିଜେପି କାର୍ଡ଼ ଖୋଲିଥିବାବେଳେ କଂଗ୍ରେସ ଉଭୟଙ୍କୁ ଟକ୍କର ଦେବାକୁ ଉପଯୁକ୍ତ ସେନାପତିଙ୍କୁ ଖୋଜୁଛି । ପ୍ରତିଥର ପ୍ରାର୍ଥୀ ବଦଳାଉଥିଲେ ମଧ୍ୟ ଦଳକୁ ଏଯାଏଁ ସଫଳତା ମିଳିନି।