ବୌଦ୍ଧ ବିଧାନସଭା : ବିଜେଡି-ବିଜେପି କଡ଼ା ଟକ୍କର
ଏବେ ଚୈତ୍ର ମାସ ଟାଣ ଖରା। ଦିନ ବେଳା ଘରୁ ବାହାରିବା ବଡ ମୁସ୍କିଲ। ଦିନ ୧୧ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇପଡୁଛି। କିନ୍ତୁ ବର୍ତ୍ତମାନ ସାରା ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଖରା ତାତିକୁ ପଛରେ ପକାଇଛି ଏହି ନିବାର୍ଚନ ତାତି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତାମାନେ ଖରାକୁ ପଛରେ ପକାଇ ଭୋଟ ପ୍ରଚାରରେ ଲାଗି ପଡିଛନ୍ତି।
ନିର୍ବାଚନ ପାଇଁ ଏବେ ଗାଁ ଗାଁରେ ଭୋଜିଭାତର ଆସର ଜମିଛି। କର୍ମୀମାନେ ନିଜ ନେତାଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଗ୍ରାମବାସୀଙ୍କୁ ବିଭିନ୍ନ କୌଶଳରେ ମନାଇ ରଖିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।
ବୌଦ୍ଧ ନିର୍ବାଚନମଣ୍ଡଳୀ ରାଜ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନମଣ୍ଡଳୀ। ଦୀର୍ଘ ୧୮ ବର୍ଷ ହେଲା ଏହି ନିବାର୍ଚନମଣ୍ଡଳୀକୁ ଶାସକ ଦଳ ନିଜ ଅକ୍ତିଆରେ ରଖିଥିବା ବେଳେ ଏଥର ନିର୍ବାଚନ ସରଗରମ ହେବା ସହିତ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି।
ଶାସକ ଦଳ ବିଜେଡି ପକ୍ଷରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ନିବାର୍ଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ସୁଶାନ୍ତ କୁମାର ପ୍ରଧାନ ଓ ସିପିଆଇ ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବରେ ଯୁବ ନେତା ଅବକାଶ ସାହୁ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ଗାଁ ଗାଁରେ ସଭା ସମିତି, ରାଲି ଓ ଗୁପ୍ତ ବୈଠକ ଜାରି ରହିଛି।
ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ୧୯ ବର୍ଷରେ ଜିଲ୍ଲାରେ ଗମନାଗମନ, ପାନୀୟଜଳ, କୃଷି ପାଇଁ ଜଳସେଚନର ସୁବିଧା ଆଦି ବିକାଶର ବାର୍ତ୍ତାକୁ ନେଇ ପୁଣିଥରେ ଗଡ ରକ୍ଷା କରିବା ସହିତ କ୍ଷମତାକୁ ଫେରିବାକୁ ଆଶାବାଦୀ ରହିଛି। ବାଚସ୍ପତି ଶ୍ରୀ ଅମାତଙ୍କ ପାଇଁ ଏଥର ନିର୍ବାଚନ ସମ୍ମାନର ଲଢେଇ ହୋଇଥିବାବେଳେ ବୌଦ୍ଧ ମର୍ଜାକୁଦ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ, ମହାନଦୀ ଉପରେ ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ ଓ ସରକାରଙ୍କ ମିଶନ ଶକ୍ତି ଭଳି ସଫଳ କାର୍ଯ୍ୟକ୍ରମ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟ୍ରମ୍ପକାର୍ଡ ହେବ ବୋଲି ବିଚାର କରାଯାଉଛି।
ସେହିପରି ବିଜେପି ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କ ପାଇଁ ଏହି ନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଗତ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଏଥର ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିସାରିଥିବା ଶ୍ରୀ ପ୍ରଧାନ ଏଥର ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଉଛନ୍ତି।
ଏହାବ୍ୟତୀତ କେନ୍ଦ୍ରର ମୋଦୀ ସରକାରଙ୍କ କାର୍ଯ୍ୟକ୍ରମର ସଫଳତା ନେଇ ସେ ନିର୍ବାଚନ ବୈତରଣୀ ପାର ହେବାକୁ ଅଧିକ ଆଶାବାଦୀ ରହିଛନ୍ତି। ତେବେ କଂଗ୍ରେସ ଛାଡି ବିଜେପି ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ପୁରୁଣା କଂଗ୍ରେସ କର୍ମୀଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବା ଓ ଦୀର୍ଘ ଦିନ ଧରି ବିଜେପି ସଂଗଠନକୁ ଜିଲ୍ଲାରେ ବଞ୍ଚାଇ ରଖିଥିବା ନେତା ଓ କର୍ମୀଙ୍କୁ ଶ୍ରୀ ପ୍ରଧାନ ଅବହେଳା କରୁଥିବା ନେଇ ଦଳ ଭିତରେ ଅସନ୍ତୋଷ ତାଙ୍କ ପାଇଁ ନିର୍ବାଚନରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।
ଅନ୍ୟତମ ପ୍ରାର୍ଥୀ ଭାବରେ ଶ୍ରମିକ ନେତା ଅବକାଶ ସାହୁ କଂଗ୍ରେସ ଓ ସିପିଆଇର ମେଣ୍ଟ ପ୍ରାର୍ଥୀ ହୋଇଥିଲେ ମଧ୍ୟ କଂଗ୍ରେସର ପୁରୁଣା ନେତାମାନେ ତାଙ୍କୁ ଧରାଛୁଆଁ ଦେଉନଥିବା ଜଣାଯାଇଛି। ତେବେ ୯ ନଂ ଜିଲ୍ଲାପରିଷଦ ସଦସ୍ୟ ଭାବରେ ଶ୍ରୀ ସାହୁ ନିର୍ବାଚିତ ହୋଇଥିବାବେଳେ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ତାଙ୍କର ପ୍ରଭାବ ରହିଛି। ତେବେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ରହିଥିବାବେଳେ ଏଥର ବିଧାନସଭା ନିର୍ବାଚନରେ ବୌଦ୍ଧ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସର ଦଳୀୟ ଚିହ୍ନ ଇଭିଏମରେ ରହୁନଥିବାରୁ କଂଗ୍ରେସର ଭୋଟ ବ୍ୟାଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି।