#କୋଭିଡ୍-୧୯: ଭଲ ହୋଇଗଲେ ବଣ୍ଡ ଗର୍ଲ
ନୂଆଦିଲ୍ଲୀ (ଓଟି): ଜେମ୍ସ ବଣ୍ଡ ଅଭିନେତ୍ରୀ ଓଲଗା କୁରିଲେଙ୍କୋ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ୪୧ ବର୍ଷୀୟା ଏହି ସୁନ୍ଦରୀ ଅଭିନେତ୍ରୀ ମହାମାରୀ କରୋନା ସହ ସଂଘର୍ଷ କରି ବିଜୟିନୀ ହୋଇଛନ୍ତି। ସେ ସୁସ୍ଥ ଥିବା ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଫଳରେ ତାଙ୍କ ପ୍ରଶଂସକ ମହଲରେ ଖୁସି ପ୍ରକାଶ ପାଇଛି।
ଓଲଗା ଗତ ୧୫ରେ ସୋସିଆଲ ମିଡିଆରେ କରୋନା ସଂକ୍ରମିତ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ସେ କହିଛନ୍ତି ଯେ ପୀଡ଼ିତ ହେବାପରଠୁ ହସ୍ପିଟାଲ୍ ଯାଇନଥିବାବଳେ ଆଇସୋଲେସନରେ ରହୁଥିଲେ ଏବଂ ନିଜ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଉଥିଲେ। ଓଲଗା ଦେଇଥିବା ସୂଚନା ଅନୁସାରେ କରୋନାରେ ପୀଡ଼ିତ ଥିବାବେଳେ ତାଙ୍କର ଅଧିକାଂଶ ସମୟ ବିଛଣାରେ କଟୁଥିଲା। ଖୁବ୍ ଜର ସହ ମୁଣ୍ଡବ୍ୟଥା ହେଉଥିଲା। ଥକ୍କାପଣ ସହ ଛାତିରେ କଫ ଥିଲା। ତେବେ ସେ ଯାହାହେଉ ଦ୍ଵିତୀୟ ସପ୍ତାହ ଶେଷ ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ଏବଂ ସେ ତାଙ୍କ ପୁଅ ସହ ସମୟ ବିତାଉଛନ୍ତି। ଏଭଳି ସୂଚନା ଦେବା ସହ ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଲଗା।
ସୁସ୍ଥ ହେଲେ ସଂକ୍ରମିତ ମହିଳା
ଓଲଗାଙ୍କ ଭଳି ଗୁଜରାଟର ଅହମ୍ମଦାବାଦରେ ଜଣେ ମହିଳା କରୋନା କବଳରୁ ସୁସ୍ଥ ହୋଇଯାଇଛନ୍ତି। ୩୪ ବର୍ଷୀୟା ମହିଳା ଜଣଙ୍କ ଅହମ୍ମଦାବାଦ ଏସଭିପି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ୧୦ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବାବେଳେ ୨୪ଘଣ୍ଟାରେ ୨ଥର ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା।