ସଲମାନ୍ ଭାଇଜାନ ପାଳିଲେ ଗୁରୁଦିବସ
ଗୁରୁଦିବସ ପାଇଁ ବଲିଉଡ୍ ତାରକାମାନେ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଗୁରୁମାନଙ୍କୁ ମନେ ପକାଇଛନ୍ତି । ୬ଜଣ ବଲିଉଡ୍ ତାରକାଙ୍କ ସହିତ ମିଡିଆର ସାକ୍ଷାତକାର ସମ୍ଭବ ହୋଇପାରଥିଲା । ସେମାନେ ତାଙ୍କ ପ୍ରିୟ ଗୁରୁଙ୍କ ସମ୍ପର୍କରେ ଅନୁଭବ ସେୟାର୍ କରିଥିଲେ । ଆସନ୍ତୁ ଜାଣିବା –
୧- ସଲମାନ୍ ଖାନ୍
ସ୍କୁଲରେ ତାଙ୍କର ସବୁଠାରୁ ପ୍ରିୟ ଶିକ୍ଷକ ଥିଲେ ଫାଦର୍ ଆଲିଓ । ଦଶମ ପାସ୍ କରିବା ପରେ ଆଲିଓ ସଲମାନଙ୍କୁ ତାଙ୍କର ଆଗାମୀ ପାଠପଢ଼ା ସମ୍ପର୍କରେ ପଚାରିଥିଲେ । ସଲମାନ୍ କହିଥିଲେ ସେ ଆର୍ଟସ୍ ପଢ଼ିବାକୁ ଚାହୁଁଛନ୍ତି । କିନ୍ତୁ ସଲ୍ଲୁ ଜାଣିବାକୁ ପାଇଲେ ଯେ ସେହି ସମୟରେ ଆର୍ଟସ୍ ଷ୍ଟୁଡେଣ୍ଟକୁ ସମସ୍ତେ ହୀନ ଦୃଷ୍ଟିରେ ଦେଖୁଛନ୍ତି । ତେଣୁ ସେ ଆର୍ଟସ୍ ବଦଳରେ ସାଇନ୍ସରେ ନାମ ଲେଖାଇଥିଲେ । ଏହି କଥା ଜାଣିବା ପରେ ଆଲିଓ ସଲମାନଙ୍କୁ ଜୋରଦାର୍ ଚାପୁଡ଼ା ମାରିଥିଲେ । କାରଣ ତାଙ୍କର ମତ ଥିଲା ଯେ – ଆଗ୍ରହ ନଥିବା ବିଷୟ ପଢ଼ିବା ଅର୍ଥ ହେଉଛି ଜବରଦସ୍ତି କରିବା ଏବଂ ସେଥିରେ କେବେ ମଧ୍ୟ ଜଣେ ସଫଳ ହୋଇପାରିବ ନାହିଁ । ସଲ୍ଲୁ ଆଜି ମଧ୍ୟ ତାଙ୍କର ସେହି ମତବାଦକୁ ନେଇ ଆଗକୁ ବଢ଼ି ଚାଲିଛନ୍ତି ।
୨- ଶ୍ରଦ୍ଧା କପୁର୍
ଅଭିନୟର ପ୍ରଥମ ପାହାଚରେ ନିର୍ଦ୍ଦେଶକ ମୁକେଶ ଛାବଡ଼ା ମୋ ପାଇଁ ବେଷ୍ଟ୍ ଟିଚର୍ ଥିଲେ । ସେ ଜଣେ ଟଫ୍ ଟାକ୍ସ ମାଷ୍ଟର୍ । ବିଭିନ୍ନ ଦେଶ ଓ ଆଞ୍ଚଳିକ ସଂସ୍କୃତି ଓ ପରମ୍ପରା ମଧ୍ୟ ଜଣେ ଶିକ୍ଷକ ଭଳି ଅନେକ କିଛି ଶିକ୍ଷା ଦେଇଥାଏ । ଇନଷ୍ଟାଗ୍ରାମରେ ସେୟାର୍ ହେଉଥିବା ଅନେକ ପ୍ରେରଣାଦାୟକ ମେସେଜ୍ ସବୁଠାରୁ ଭଲ ଶିକ୍ଷକ ।
୩- ମନୀଷା କୋଇରାଲା
୩ ଜଣ ଶିକ୍ଷକ ମୋର ଜୀବନର ଉତ୍ତମ ପଥ ପ୍ରଦର୍ଶକ । ମୋର ପ୍ରଥମ ଗୁରୁ ହେଉଛନ୍ତି ବିଧୁ ବିନୋଦ ଚୋପ୍ରା । ‘୧୯୪୨ ଏ ଲଭଷ୍ଟୋରୀ’ ସମୟରେ ସେ ମୋତେ ଆକ୍ଟିଙ୍ଗର ପ୍ରକୃତ ଅର୍ଥ ବୁଝାଇଥିଲେ । ମୋର ଅଭିନୟ ଜୀବନର ସଫଳତା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଦ୍ୱିତୀୟ ଗୁରୁ ହେଉଛନ୍ତି ସଞ୍ଜୟ ଲୀଲା ବନସାଲି । ‘ଖାମୋସି’ ଫିଲ୍ମର ସୁଟିଂ ସମୟରେ ମୁଁ ତାଙ୍କଠାରୁ ଅଭିନୟର କିଛି ନିଆରା ଦିଗ ସମ୍ପର୍କରେ ଜାଣିବାକୁ ପାଇଥିଲି । ସେହି ସବୁ ଅନୁଭବ ମୋର ଦକ୍ଷ ଅଭିନୟର ପରିଚୟ ପାଲଟିଥିଲା । ତୃତୀୟ ଗୁରୁ ହେଉଛନ୍ତି ସୁଭାଷ ଘାଇ । ତାଙ୍କର ନିର୍ଦ୍ଦେଶନାରେ ଅଭିନୟ କରିବା ମୋତେ ସବୁଠାରୁ ଅଧିକ ଅନୁଭବି କରାଇଥିଲା ।
୪- ମନୋଜ୍ ବାଜପେୟି
୨ଜଣ ଗୁରୁଙ୍କ ପାଖରେ ମୁଁ ସବୁବେଳେ ନତମସ୍ତକ । ପ୍ରଥମ ଗୁରୁ ହେଉଛନ୍ତି ବୈରି ଜାନ୍, ଯିଏକି ମୋ ହାତ ଧରି ରଙ୍ଗମଞ୍ଜକୁ ଆଣିଥିଲେ । ମୁଁ ଆଜି ଯେଉଁ ସଫଳତା ହାସଲ କରିଛି, ସବୁ ଶ୍ରେୟର ଅଧିକାରୀ ହେଉଛନ୍ତି ବୈରି ଜାନ୍ । ଦ୍ୱିତୀୟ ଗୁରୁ ହେଉଛନ୍ତି ମୋର ଆଧ୍ୟାତ୍ମିକ ଗୁରୁ । ତାଙ୍କ ପାଇଁ ମୁଁ ଜୀବନର ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ଆସିଛି ।
୫- ରିଚା ଚଡ୍ଡା
ମୋର ମାତା-ପିତା ଦୁଇଜଣ ଟିଚର୍ । ସେମାନେ ହିଁ ମୋ ଜୀବନରେ ପ୍ରକୃତ ଶିକ୍ଷକ ଭାବେ ଉଚିତ୍ ଶିକ୍ଷା ଦେଇଛନ୍ତି । କିନ୍ତୁ ଅଭିନୟ କ୍ୟାରିୟରରେ ମୋର ଗୁରୁ ହେଉଛନ୍ତି ବୈରି ଜାନ୍ । ଇଂଲାଣ୍ଡର କଳାକାର ବୈରି ଜାନ୍ ନିଜ ଦେଶ ଛାଡ଼ି ଭାରତରେ ରହିବା ଏବଂ ତାଙ୍କର ଜୀବନର ଲକ୍ଷ୍ୟ ଭାବେ ଅନେକ କଳାକାରଙ୍କୁ ଶିକ୍ଷା ଦେବା ଜଣେ ଦକ୍ଷ ଗୁରୁଙ୍କ ପ୍ରକୃତ ପରିଚୟ । ଅଭିନୟ କ୍ଷେତ୍ରରେ ମୁଁ ଯାହା କିଛି ଶିଖିଛି କେବଳ ତାଙ୍କ ପାଇଁ । ସେ ମୋର ଚିର ନମସ୍ୟ ।
୬- ବିଦ୍ୟା ବାଲାନ୍
ବିଦ୍ୟାଙ୍କ ପ୍ରିୟ ଟିଚର୍ ହେଉଛନ୍ତି ତାଙ୍କର ହିନ୍ଦୀ ଟିଚର୍ ଉଷା ଟଣ୍ଡନ୍ । ସେ ବହୁତ ଭଲ ହିନ୍ଦୀ ପଢ଼ାନ୍ତି । ବିଦ୍ୟା କହିଛନ୍ତି ଯେ ସାଉଥ୍ ପୃଷ୍ଟଭୂମିରୁ ଆସିଥିଲେ ମଧ୍ୟ ଏବେ ବଲିଉଡରେ ମୋର ହିନ୍ଦୀ ସଂଳାପ ଦର୍ଶକଙ୍କୁ ପସନ୍ଦ ଆସୁଛି । ତେଣୁ ମୁଁ ଆଜି ଯେଉଁ ସ୍ପଷ୍ଟ ହିନ୍ଦି କହିପାରୁଛି, ତାହାର ସମ୍ପୂର୍ଣ୍ଣ ଶ୍ରେୟ ଯାଉଛି ଉଷା ମେଡମଙ୍କୁ । ଅଭିନୟ ଦୁନିଆରେ ମୋର ଗୁରୁ ହେଉଛନ୍ତି ପ୍ରଦୀପ ସରକାର ।











