ଭୁବନେଶ୍ଵରରୁ ଉଠିଲା ଅବରୋଧ ଅଞ୍ଚଳ କଟକଣା, କୋହଳ ହୋଇପାରେ ଲକ୍‌ଡାଉନ୍‌

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜଧାନୀ ଭୁବନେଶ୍ଵରର ସମସ୍ତ ଅବରୋଧ ଅଞ୍ଚଳକୁ ଅବରୋଧ କଟକଣା ମୁକ୍ତ କରାଯାଇଛି। ମହାନଗର ନିଗମ ପକ୍ଷରୁ  ସତ୍ୟନଗର, ବମିଖାଲ ଏବଂ ସୂର୍ଯ୍ୟନଗର ଅଞ୍ଚଳରୁ ଅବରୋଧ କଟକଣା ଉଠାଇ ଦିଆଯାଇଛି। ଏହାଫଳରେ ଏବେ ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରେତାଙ୍କ ଯିବା ଆସିବା ସହଜ ହୋଇପାରିବ। ଲୋକେ ଚାହିଁଲେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଆସିପାରିବେ।

ଗଲା ୯ ଦିନ ହେଲା ଭୁବନେଶ୍ଵରରେ କୌଣସି ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ। ୧୪ ତାରିଖ ଦିନ ଶେଷ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହାଫଳରେ ଭୁବନେଶ୍ଵରରେ ସଂକ୍ରମଣ ଅବରୋଧ ହୋଇପାରିଥିବା ସମ୍ଭବନା ସୃଷ୍ଟି ହୋଇଛି। ଏହି ପରିସ୍ଥିତି ଲାଗି ରହିଷଲ ରାଜଧାନୀ ସହରରେ ଖୁବ୍‌ ଶୀଘ୍ର ସାଧାରଣ ବ୍ୟବସାୟିକ ଓ ଅର୍ଥନୀତିକ କାରବାର ଆରମ୍ଭ ହୋଇପାରିବ ବୋଲି ଆଶା କରାଯାଇଛି।

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପର୍ଯ୍ୟାୟ କ୍ରମେ ଭୁବନେଶ୍ବରର ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ଏପ୍ରିଲ୍ ୨ ତାରିଖରେ ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା` ପରେ ୧୪ ତାରିଖ ଦିନ ପୁଣିଥରେ ସୂର୍ଯ୍ୟନଗରରେ ଅବରୋଧ ଅଞ୍ଚଳ କଟକଣା ଲାଗୁ କରାଯାଇଥିଲା। ଏପ୍ରିଲ୍‌ ୩ ତାରିଖରେ ବମିଖାଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ବେଳେ  ଏପ୍ରିଲ୭ ତାରିଖରେ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରାଯାଇଥିଲା।

ବୁଧବାର ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ତିନି ଅଞ୍ଚଳରୁ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଥିବା ସୂଚନା ଦିଆଯାଇଛି। ତେବେ ଏହି ଅଞ୍ଚଳଗୁଡ଼ିକରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସର୍ଭିଲାନ୍ସ ଜାରି ରହିବ ବୋଲି କୁହାଯାଇଛି। ଏହା ପୂର୍ବରୁ ରାଜଧାନୀର ଦୁଇ ସୀମାରେ ଥିବା ସୁନ୍ଦରପଦା ଓ ଯଦୁପୁରରୁ ଭୁବନେଶ୍ବର ମହାନଗର ନିଗମ କଣ୍ଟେନମେଣ୍ଟ୍ ହଟାଇ ଦିଆଯାଇଥିଲା।

Leave a Reply

Your email address will not be published.