ପୁରୀ ପାଇଁ ଅଣ୍ଟା ଭିଡ଼ିଲେଣି ସମ୍ବିତ୍‌ ପାତ୍ର

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ତଥା ହିନ୍ଦୁତ୍ଵ ମୁଖା ସମ୍ବିତ୍‌ ପାତ୍ର ପୁରୀରୁ ପ୍ରାର୍ଥୀ ହେବା ନେଇ ବାତାବରଣ ସ୍ପଷ୍ଟ ହେଉଛି। ବିଜେଡି ଗଡ଼କୁ ଭାଙ୍ଗିବା ଲାଗି ତାଙ୍କ ଭଳି ଜଣେ ବକ୍ତାଙ୍କ ଆବଶ୍ୟକ ରହିଛି ବୋଲି ସଂଘ ଗୁଇନ୍ଦା ଦେବା ପରେ ତାଙ୍କ ବାଟ ଫିଟିଛି। ଏପରିକି ସେ ବି ନିଜର ପ୍ରାର୍ଥୀତ୍ଵ କଥାକୁ ଅସ୍ଵୀକାର କରୁ ନାହାନ୍ତି। ନିକଟରେ ମଞ୍ଚେଶ୍ଵରଠାରେ ସଂଘର ଏକ ଗୁରୁତ୍ଵପୂଣ୍ଣ ବୈଠକ ଶେଷରେ ସମ୍ବିତ ଏକଥାକୁ ନିଜ ପକ୍ଷରୁ ବି କହିଥିବା ସୂଚନା ମିଳିଛି।

ଉପକୂଳରେ ବିଜେଡି ଗଡ଼କୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ ଅବ୍ୟାହତ ରଖିଛି। ଏହିକ୍ରମରେ ପ୍ରଭାବଶାଳୀ ନେତାଙ୍କୁ ମଧ୍ୟ ଆପଣାଉଛି। ବୈଜୟନ୍ତଙ୍କ ପରେ ଡା. ଦାମୋଦର ରାଉତ, ଖାରବେଳ ସ୍ଵାଇଁ, ବ୍ରଜ କିଶୋର ତ୍ରିପାଠୀ ଏପରିକି ବିଜୟ ମହାପାତ୍ରଙ୍କୁ ଦଳ ଆପଣାଇବା ପାଇଁ ଆଲୋଚନା ଚାଲିଥିବା ସୂଚନା ମିଳିଛି। ପୁରୀ ଭଳି ଏକ ଧାର୍ମିକ ସହରରେ ବିଜୟ ଲାଭ କରି ନିଜର ହିନ୍ଦୁତ୍ଵ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା ଲାଗି ଦଳ ଯେଉଁ ଉଦ୍ୟମ କରୁଛି ସେଥିରେ ସମ୍ବିତ୍‌ ପସନ୍ଦିତ ପ୍ରାର୍ଥୀ ବୋଲି ଆଲୋଚନା ହେଉଛି। ଯଦିଓ ଦଳ ପକ୍ଷରୁ କିଛି ଘୋଷଣା ହୋଇ ନାହିଁ କିନ୍ତୁ ସମ୍ବିତ୍‌ ଏ ସମ୍ପର୍କରେ ଆବଶ୍ୟକ ସୂଚନା ପାଇ ସାରିଛନ୍ତି।

ଏହା ହେଲେ ବିଜେପିରେ ବ୍ରଜଙ୍କ ଭାଗ୍ୟ ଶଙ୍କା ଭିତରକୁ ଟାଣି ହୋଇଯିବ। ପୂର୍ବତନ ସାଂସଦ ତଥା ପୁରୀରେ ଜନତା ଦଳର ମୂଳଦଆକୁ ଶକ୍ତ କରିଥିବା ଶ୍ରୀ ତ୍ରିପାଠୀ ସାଂସଦ ପ୍ରାର୍ଥୀ ହେବାକୁ ଇଚ୍ଛୁକ। ଏହିକ୍ରମରେ ଯଦି ବିଜେପି ତାଙ୍କୁ ସହଯୋଗ କରେ ତେବେ ଆଗକୁ ତାଙ୍କ ବିଜୟ ଆକଳନ ଭିତରକୁ ଆସିପାରିବ ବୋଲି ରାଜନୀତିକ ପଣ୍ଡିତମାନେ ଆଶା କରିଛନ୍ତି। କିନ୍ତୁ ସମ୍ବିତ ଯଦି ପ୍ରାର୍ଥୀ ହେବେ ଏବଂ ବ୍ରଜ ଯଦି ବିଜେପି ଆସିବେ ତେବେ ତାଙ୍କ ଭୂମିକା ବିଧାନସଭା କ୍ଷେତ୍ରରେ ହିଁ ସୀମିତ ରହିପାରେ।

ସମ୍ବିତ୍‌ ପେସାରେ ଜଣେ ଡାକ୍ତର। ଝାଡ଼ଖଣ୍ଡର ଧାନବାଦରେ ତାଙ୍କ ଜନ୍ମ। ସେ ସେଠାର ଚିନ୍ମୟ ସ୍କୁଲ୍‌ରୁ ପାସ୍‌ କରିଛନ୍ତି। ମେଡିକାଲ୍‌ ପଢ଼ିବା ପରେ ତାଙ୍କୁ ଯଦିଓ ଚାକିରି କରିବାକୁ ସୁଯୋଗ ମିଳିଥିଲା କିନ୍ତୁ ସେ ଡାକ୍ତରୀ ଅପେକ୍ଷା ସାମାଜିକ କାର୍ଯ୍ୟ ଓ ରାଜନୀତିରେ ଅଧିକ ରୁଚି ପ୍ରଦର୍ଶନ କରିଥିଲେ। ୨୦୧୧ ମସିହାରୁ ସେ ବିଜେପିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଉଛନ୍ତି। ଓଡ଼ିଶା ସହ ସେମିତି ସମ୍ପର୍କ ନଥିଲେ ମଧ୍ୟ ସେ ବୁର୍ଲା ଭିଏସ୍‌ଏସ୍‌ ନଗରରେ ମେଡିକାଲ୍‌ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ । ଏହାପରେ କଟକରେ ପିଜି କରିଛନ୍ତି। ଯଦି ସେ ପୁରୀରୁ ପ୍ରତିନିଧିତ୍ଵ କରନ୍ତି ତେବେ ଏଥର ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି।

ବିଜେପିକୁ ଫେରିପାରନ୍ତି ବିଜୟ ଓ ଦିଲ୍ଲୀପ

Leave a Reply

Your email address will not be published. Required fields are marked *