ସର୍ଭେ ରିପୋର୍ଟ: ୟୁପିରେ ବିଜେପିକୁ ମାତ୍ର ୫ଟି ଆସନ

୨୦୧୪ ନିର୍ବାଚନରେ ବିଜେପି ଓ ତାର ସହଯୋଗୀ ଦଳମାନେ ବିରୋଧିଦଳର ଯେଉଁ ସ୍ଥିତି କରିଥିଲେ ସେହି ସ୍ଥିତି ବିରୋଧିଦଳମାନେ ୨୦୧୯ରେ ବିଜେପିର କରିବେ ବୋଲି ଇଣ୍ଡିଆ ଟୁଡେ଼-କାର୍ବି ଇନସାଇଟ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟରେ କୁହାଯାଇଛି, ଆଗାମୀ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିକୁ ବହୁତ ବଡ଼ ଝଟକା ମିଳିବାର ଆଶଙ୍କା ରହିଛି। ଯାହା ଫଳରେ ବିଜେପି ମାତ୍ର ୫ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟକୁ ନେଇ ବିଜେପି ଶିବିରରେ ନୈରାଶ୍ୟ ଖେଳିଯାଇଛି।

ଜନମତ ରିପୋର୍ଟରେ ଦର୍ଶାଯାଇଛି, ଯଦି ଆଗାମୀ ନିର୍ବାଚନରେ ଉତ୍ତରପ୍ରଦେଶରେ ଏସପି-ବିଏସପି-ଆରଏଲଡ଼ି ମେଣ୍ଟ ସହିତ କଂଗ୍ରେସ ସାମିଲ ହୁଏ ତେବେ ବିଜେପି ଧୂଳି ଚାଟିବ। ଅର୍ଥାତ୍ ଏହି ମେଣ୍ଟ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରୁ ୭୫ଟିରେ ବିଜୟୀ ହୋଇପାରିବ। ଏହାହେଲେ ବିଜେପି ଓ ତାର ସହଯୋଗୀଙ୍କର ଆସନ ସଂଖ୍ୟା ୭୩ରୁ ମାତ୍ର ୫ଟିକୁ ଖସିଆସିବ।

କଂଗ୍ରେସ ଯଦି ଏସପି-ବିଏସପି-ଆରଏଲଡ଼ି ମେଣ୍ଟରେ ସାମିଲ ନହୁଏ ତେବେ ଏହି ମେଣ୍ଟ ୫୮ଟି ଆସନରେ ବିଜୟୀ ହେବ। କଂଗ୍ରସ ଦୁଇଟି ଆସନରେ ବିଜୟୀ ହେବ। ବିଜେପି ମଧ୍ୟ ବହୁତ କ୍ଷତି ହୋଇ ୧୮ଟି ଆସନକୁ ହ୍ରାସ ପାଇବ।

ଇଣ୍ଡିଆ ଟୁଡେ଼-କାର୍ବି ଇନସାଇଟ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଉତ୍ତରପ୍ରଦେଶର ୨୪୭୮ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଗତ ନିର୍ବାଚନରେ ବିଜେପି ଓ ତାର ସହଯୋଗୀଦଳମାନେ ୭୩ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା। ଏସପି ୫ଟି ଆସନରେ ସୀମିତ ରହିଥିଲା।

Leave a Reply

Your email address will not be published.