ଏମ୍‌ପି ପରେ ରାଜସ୍ଥାନରେ ତେଜୁଛି କଂଗ୍ରେସ ବିବାଦ!

ନୂଆଦିଲ୍ଲୀ (ଓଟି): ମଧ୍ୟପ୍ରଦେଶ (ଏମ୍‌ପି)ରେ କଂଗ୍ରେସ ବିବାଦରୁ ବିଜେପି ଫାଇଦା ଉଠାଇବାକୁ ଉଦ୍ୟମ କରୁଛି। ଏଭଳି ସ୍ଥିତିରେ   ରାଜସ୍ଥାନ କଂଗ୍ରେସ ପାଇଁ ଗୋଷ୍ଠୀକନ୍ଦଳ ଭାରୀ ପଡ଼ିବ ବୋଲି କୁହାଯାଉଛି। ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ନିଜର ଦ୍ଵିତୀୟ ପ୍ରାର୍ଥୀ ଭାବେ ଓମକର ସିଂ ଲାଖବତ୍‌ଙ୍କ ନାମ ଘୋଷଣା କରିଛି।

ସୂଚନା ଅନୁସାରେ ଏମ୍‌ପିରେ କମଳନାଥ ସରକାରକୁ ସିନ୍ଧିଆ ବଡ଼ ଝଟକା ଦେଇଛନ୍ତି। ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କାର୍ଯ୍ୟକୁ ନେଇ କେତେକ ବିଧାୟକ ଅସନ୍ତୁଷ୍ଟ ରହିଛନ୍ତି। ଏଭଳି ସନ୍ଧିକ୍ଷଣରେ ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀ ରାଜ୍ୟସଭା ପାଇଁ କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ବିରୋଧ କରିବା ସହ ବିଜେପି ସହିତ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଇତିମଧ୍ୟରେ କଗ୍ରେଂସ ରାଜ୍ୟସଭା ନିର୍ବାଚନ ପାଇଁ ୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି। ସେ ମଧ୍ୟରେ କେସି ବେଣୁଗୋପାଳ କଂଗ୍ରେସ ସଂଗଠନର ମହାସଚିବ ଅଛନ୍ତି। ସେହିପରି ଦ୍ଵିତୀୟ ପ୍ରାର୍ଥୀ ନିରଜ ଡାଙ୍ଗିଙ୍କ ନାମ ଘୋଷଣାକୁ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚ୍ଚିନ ପାଇଲଟ ବିରୋଧର ସ୍ଵର ଉଠାଇଛନ୍ତି। ଏପରିକି ସଚ୍ଚିନ ଗୋଷ୍ଠୀର ବିଧାୟକ ବେଦ ପ୍ରକାଶ ସୋଲାଙ୍କି ଖୋଲାଖୋଲି ଭାବେ ପ୍ରାର୍ଥୀ ଚୟନକୁ ପ୍ରତିବାଦ କରିଛନ୍ତି। ତେବେ ନିରଜଙ୍କ ପ୍ରାର୍ଥିତ୍ଵ ବଜାୟ ରହିଛି। ଅନ୍ୟପକ୍ଷରେ ସେ କିନ୍ତୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ପରାଜୟ ହୋଇଛନ୍ତି। ତେବେ ଗେହଲଟଙ୍କ ପାଖ ଲୋକ ଭାବେ ରାଜ୍ୟସଭା ଟିକେଟ୍‌ ପାଇଥିବା ଚର୍ଚ୍ଚା ହେଉଥିବାବେଳେ ପାଇଲଟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ଠିକ୍‌ ଏଭଳି ମଉକାରେ ଫାଇଦା ଉଠାଇବାକୁ ବିଜେପି ଆଶା ରଖିଛି। ସେଥିପାଇଁ ଓମକର ସିଂ ଲାଖବତ୍‌ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା କୁହାଯାଉଛି। ପୂର୍ବରୁ ରାଜେନ୍ଦ୍ର ଗେହଲଟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି।

Leave a Reply

Your email address will not be published. Required fields are marked *