କଂଗ୍ରେସର ଉଦାସୀନତାରୁ ବାଜି ଛଡ଼ାଇନେଲେ ମୋଦି
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ହାତରୁ ଏକ ବଡ଼ ସୁଯୋଗ ବିଜେପି ଛଡ଼ାଇ ନେଇଛି। ଆର୍ଥିକ ଅନଗ୍ରସର ବର୍ଗ ସକାଶେ ଆରକ୍ଷଣ ବ୍ୟବସ୍ଥାର ମୂଳ ସୂତ୍ରଧର ଥିଲା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର। କିନ୍ତୁ ସବୁ ପ୍ରକାରର ସଂଖ୍ୟା ଗରିଷ୍ଠତା ଥାଇ ସୁଦ୍ଧା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଆରକ୍ଷଣ ପ୍ରସ୍ତାବକୁ ଆଇନରେ ପରିଣତ କରିପାରିଲେ ନାହିଁ। ସେମାନଙ୍କ ପ୍ରସ୍ତାବଟିକୁ ଛଡେ଼ଇ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୃଢ଼ ଇଚ୍ଛାଶକ୍ତିର କେବଳ ପ୍ରମାଣ ଯେ ଦେଲେ ତାହା ନୁହେଁ, ବରଂ ନିର୍ବାଚନ ଆଗରୁ ଏକ ବଡ଼ ବାଜି ମାରିନେଲେ।
୨୦୦୬ରେ ପ୍ରଥମ ଉପା ସରକାର ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ପାଇଁ ମେଜର ଜେନେରାଲ ଏସଆର ସିନୋଙ୍କୁ କମିଶନ ଭାବେ ନିଯୁକ୍ତି ଦେଇଥିଲେ। ଏହା ଥିଲା ଏକ ବଡ଼ ପଦକ୍ଷେପ। ୨୦୦୯ ନିର୍ବାଚନ ବିଜୟ ପାଇଁ ଏହା ଏକ ଔଷଧୀ ଭାବେ କାର୍ଯ୍ୟ କରିଥିଲା। ୨୦୧୦ରେ ଇ.ବି.ସି. ବା ଇକୋନୋମିକ ବ୍ୟାକ ୱାର୍ଡ଼ କ୍ଲାସ ଲାଗି ୧୦ ପ୍ରତିଶତ ଆରକ୍ଷଣ ସୁବିଧା ଦେବାଲାଗି କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଥିଲେ। କିନ୍ତୁ ଏହାକୁ ଦ୍ୱିତୀୟ ୟୁପିଏ ସରକାର ଲାଗୁ ନକରି ଶୀତଳ ଭଣ୍ଡାରରେ ପକାଇ ରଖିଥିଲେ।
ଏହି ଇବିସି ରିପୋର୍ଟକୁ ଆଧାର କରି ମୋଦି ସରକାର ସାଧାରଣ ବର୍ଗର ଗରିବଙ୍କ ଲାଗି ଉଭୟ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କରିବା ଲାଗି ସମ୍ୱିଧାନ ସଂଶୋଧନ ସଂସଦରେ ଗୃହୀତ କରାଇ ନେଲେ। କଂଗ୍ରେସ ଏହାକୁ ବିରୋଧ କରିବା ପାଇଁ ସାହସ ଜୁଟାଇ ପାରିଲା ନାହିଁ। ତେବେ ଏହାକୁ ବିଳମ୍ୱ କରିବା ସକାଶେ ବିଲଟିକୁ ସିଲେo କମିଟିକୁ ପଠାଇବା ଲାଗି କଂଗ୍ରେସ ଜୋର ଦେଇଥିଲା।
କଂଗ୍ରେସ ନେତୃତ୍ୱ ଭଲ ଭାବେ ଜାଣି ଥିଲେ ଯେ, ଏହି ବିଲ ଆଇନରେ ପରିଣତ ହେବା ମାତ୍ରେ ବିଜେପିକୁ ବିରାଟ ରାଜନୈତିକ ଫାଇଦା ଦେବ। କିନ୍ତୁ ବିରୋଧ କଲେ ନିର୍ବାଚନରେ ସବର୍ଣ୍ଣ ଶ୍ରେଣୀ କଂଗ୍ରେସ ବିରୋଧରେ ଚାଲିଯିବେ। ୟୁପିଏ ସମୟର ରିପୋର୍ଟରେ ମୋଦି ସରକାର କେତେକ ପରିବର୍ତ୍ତନ ମଧ୍ୟ କରିଛନ୍ତି। ନୂଆ ଆରକ୍ଷଣ ବ୍ୟବସ୍ଥାରେ ଅନ୍ୟ ଜାତି ଓ ଧର୍ମକୁ ମଧ୍ୟ ସାମିଲ କରାଯାଇଛି। ଏହାକୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି।
କଂଗ୍ରେସ କେବଳ ଏହି ନୂତନ ଆରକ୍ଷଣ ଆଇନକୁ ନେଇ ଭୟଭୀତ ହୋଇପଡ଼ିଛି ତାହା ନୁହେଁ, ପୁଣି ଆଗକୁ ଆହୁରି କେତେକ ଚମତ୍କାରୀ ଘୋଷଣା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ହେବାକୁ ଯାଉଥିବା କଳ୍ପନାଜଳ୍ପନା ଭିତରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧିଦଳ କେଉଁ କାର୍ଡ଼ ଖେଳିବେ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।
କୃଷକଙ୍କ ପାଇଁ ହଠାତ ଅତି ଦରଦୀ ହୋଇପଡ଼ିଛି କଂଗ୍ରେସ। କଂଗ୍ରେସ ନେତାଙ୍କ ଧାରଣା ଯେ, ଚାଷୀ ଭୋଟ ଯୋଗୁଁ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ହାରିଗଲା। ଓଡ଼ିଶାର କଂଗ୍ରେସ ନେତାମାନେ ବାରମ୍ୱାର ସ୍ୱାମୀନାଥନ କମିଟି କଥା ଉଲ୍ଲେଖ କରିଆସୁଛନ୍ତି। କିନ୍ତୁ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ନହେବା ପାଇଁ କଂଗ୍ରେସ ହିଁ ଦାୟୀ। ପ୍ରକୃତରେ ୨୦୦୪ରେ ଉପା ସରକାର ହିଁ ସ୍ୱାମୀନାଥନ କମିଶନ ନିଯୁକ୍ତ କରିଥିଲେ। ବିଶିଷ୍ଟ କୃଷି ବିଶାରଦ ଏମ ଏସ ସ୍ୱାମୀନାଥନ ୨୦୦୬ରେ ତାଙ୍କ ରିପୋର୍ଟରେ ଚାଷୀ ଓ ଚାଷର ଉନ୍ନତି ଲାଗି ଅନେକଗୁଡ଼ିଏ ସୁପାରିସ କରିଥିଲେ।
କିନ୍ତୁ ଦୀର୍ଘ ୮ବର୍ଷ କାଳ ଏହି ରିପୋର୍ଟ ଉପରେ ଶୋଇରହିଲା କିନ୍ତୁ ମୋଦି ସରକାର ଆସିବା ପରେ ଏହି ରିପୋର୍ଟକୁ ଆଂଶିକ କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧିଦଳ ସ୍ୱାମୀନାଥନ ସ୍ୱାମୀନାଥନ ବୋଲି ଚିତ୍କାର କରିଆସୁଛନ୍ତି। ଏଥିରୁ କଂଗ୍ରେସ ସମେତ ଅନ୍ୟ ବିରୋଧିଦଳର ଚାଷୀଙ୍କ ପ୍ରତିଥିବା ପ୍ରକୃତ ଦରଦ ପଦାରେ ପଡ଼ିଯାଇଛି।