ରାଜ୍ୟ ବିଜେପିର ଆତ୍ମଘାତୀ ଗୋଲ‌୍‍

ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ସାଧାରଣ ନିର୍ବାଚନ ସମୟରେ ଯେଭଳି ସମାଲୋଚନା କରୁଥିଲେ ନିର୍ବାଚନ ପରେ ଆଉ ତାହା ପରିଲକ୍ଷିତ ହୋଇନାହିଁ। ଏପରିକି ରାଜ୍ୟସଭାରେ ନିଜ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସମର୍ଥନ ହାସଲ କରିବାକୁ ବିଜେପି ଯେପରି ପଦକ୍ଷେପ ନେଇଛି ତାହା ଦଳ ପାଇଁ ଆତ୍ମଘାତୀ ଗୋଲ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ରାଜ୍ୟସଭା ନିର୍ବାଚନରେ ବିଜେପି ତାହାର ପ୍ରାଥିର୍ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ବିଜେଡ଼ିର ସମର୍ଥନ ଲୋଡିବା ପରେ ରାଜ୍ୟ ବିଜେପି ନେତାମାନେ ଆଉ ବିଜେଡି ସରକାର ବିରୁଦ୍ଧରେ ବିଷୋଦ‍୍‌ଗାର କରିବାକୁ ଭରସି ପାରୁନାହାନ୍ତି। ଏପରିକି ନିକଟରେ ହେବାକୁ ଥିବା ପାଟକୁରା ଓ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି କାହା ବିରୁଦ୍ଧରେ ଲଢ଼ିବ ବୋଲି ପ୍ରଶ୍ନ ଉଠିଲାଣି।

ଫନି ସମୟରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଏଯାବତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାର ତଥା ବିଜେପିର କେନ୍ଦ୍ରୀୟ ନେତାମାନେ ଦରଦ ଦେଖାଇ ଆସୁଛନ୍ତି। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃତ୍ୱ ଗୁରୁତ୍ୱ ଦେଉନାହାନ୍ତି। ଏହି ଘଟଣା ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟସଭା ଲାଗି ଓଡିଶାରେ ଖାଲି ହୋଇଥିବା ୪ଟି ଆସନରୁ ତିନିଟି ପାଇଁ ନିର୍ବାଚନ ହେଉଛି। ବିଧାନସଭାରେ ବିଜେଡିର ୧୧୧ ଜଣ ବିଧାୟକ ଥିବା ପରିପ୍ରେକ୍ଷୀରେ ତିନିଟି ଯାକ ଆସନ ବିଜେଡି ଦଖଲ କରିବା ସ୍ଥିତିରେ ଅଛି। ତେବେ ନବୀନ କୂଟନୀତି ପୂର୍ବକ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାଥିର୍ଙ୍କୁ ସମର୍ଥନ ଉଦ୍ଦେଶ୍ୟରେ ମୋଦି ଓ ଶାହାଙ୍କ ନମ୍ର ଅନୁରୋଧକୁ ରକ୍ଷାକରି ରାଜ୍ୟରେ ବିଜେପିର ଯେତିକି ଲୋକପ୍ରିୟତା ରହିଛି ତାହାକୁ ମାଟିରେ ମିଶାଇ ଦେବାପାଇଁ ଭରପୂର ପ୍ରୟାସ କରିଛନ୍ତି। ଗୋଟିଏ ହେଲେ ରାଜ୍ୟସଭା ଆସନ ଜିଣିବାପାଇଁ ବିଜେପି ପାଖରେ ଓଡିଶାରେ ସଂଖ୍ୟା ନଥିବାବେଳେ ନବୀନଙ୍କ ଅନୁଗ୍ରହରୁ ଏହି ଦଳ ରାଜ୍ୟରେ ରାଜ୍ୟସଭା ପାଇଁ ଖାତା ଖୋଲିବାକୁ ଯାଉଛି।

ଫନି ପରବର୍ତ୍ତୀ କେନ୍ଦ୍ରୀୟ ସହାୟତା ଠାରୁ ଆରମ୍ଭକରି ନବୀନ ଯେତେସବୁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ଉଠାଉଛନ୍ତି ତାହାକୁ କେନ୍ଦ୍ର ନେତୃତ୍ୱ ବି ଗୁରୁତ୍ୱ ଦେଉଛି। ଫନି ସମସ୍ୟା ମୁକାବିଲାରେ ଓଡିଶା ସରକାର ବ୍ୟର୍ଥ ହୋଇଛନ୍ତି ବୋଲି ପ୍ରଥମରୁ ରାଜ୍ୟ ବିଜେପିର କେତେକ କୁହାଳିଆ ନେତା ବିବୃତି ଦେଇ ଆସୁଥିବାବେଳେ କେନ୍ଦ୍ର ସରକାର ପଠାଉଥିବା ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧିଦଳ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ରାଜ୍ୟର ପ୍ରତିଟି ଦାବି ଉପରେ କେନ୍ଦ୍ର ସକରାତ୍ମକ ଭୂମିକା ଗ୍ରହଣ କରିବ ବୋଲି ବିବୃତ୍ତି ଦେଇ ଚାଲିଛନ୍ତି।

ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେଡି ଉପରେ ପଡି ବିଜେପି ପ୍ରାଥିର୍ଙ୍କୁ ସମର୍ଥନ ଦେଇଛି। ଅତୀତରେ ମଧ୍ୟ ଜିଏସ‍୍‌ଟିଠାରୁ ଆରମ୍ଭକରି ବିଭିନ୍ନ ପ୍ରସଙ୍ଗରେ ସଂସଦରେ ବିଜେଡି କେନ୍ଦ୍ରର ବିଜେପି ସରକାରକୁ ସମର୍ଥନ ଦେଇ ଆସିଛି। ଏବେ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ନିଜ ଦଳର ନେତାଙ୍କୁ ପ୍ରାଥିର୍ ନକରି ବିଜେପି ପ୍ରାଥିର୍ଙ୍କୁ ସମର୍ଥନ କରିବା ଘଟଣା ଅନେକ ରାଜନୀତିକ ଦିଗପ୍ରତି ଅଙ୍ଗୁଳି ନିଦ୍ଦେର୍ଶ କରୁଛି। ଆଗାମୀ ଦିନରେ ବିଜେଡ଼ି କେନ୍ଦ୍ରର ବିଜେପି ସରକାରଙ୍କଠାରୁ ନିଜର ଦାବି ହାସଲ କରି ନିର୍ବାଚନ ସମୟର ପ୍ରତିଶ୍ରୁତିକୁ ସହଜରେ ପୂରଣ କରିବ ବୋଲି ବିଜେଡ଼ି ନେତାମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *