ମୋଦି ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି : ବିଜେପି
ମୁଖ୍ୟମନ୍ତ୍ରୀ ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିବା ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି । ଏ ସରକାର ରାଧୁଆ ମିଛୁଆ ସରକାରେ ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ପର ଧନରେ ମଙ୍ଗଳବାର ବ୍ରତ କରିବାର ଅଭ୍ୟାସ ନବୀନ ବାବୁଙ୍କର ରହିଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାରେ ନବୀନ ସରକାର ମାହିର । ନବୀନ ବାବୁଙ୍କ ରେକର୍ଡ କହୁଛି ସେ କେନ୍ଦ୍ରର ମୋଦି ସରକାରଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାର କରି ବାହାବା ସାଉଁଟିବାରେ ଲାଗିଛନ୍ତି । ଆଜି ଯେଉଁ ଏଲଇଡି ଯୋଜନା ଆରମ୍ଭ କରିଛନ୍ତି ସେ ଏହାର ଆଉ ଏକ ଅଂଶବିଶେଷ ।
କେନ୍ଦ୍ରରେ ମୋଦି ସରକାର ଆସିବା ଦିନଠାରୁ ଓଡିଶାକୁ ଅନୁଦାନ ଉପରେ ଅନୁଦାନ ମିଳୁଥିବା ବେଳେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରି ପାରୁନାହାନ୍ତି । ସରକାରଙ୍କ ସ୍ଥାଣୁତା ଓ ଅପାରଗତା ପାଇଁ ଆଜି ସାଧାରଣ ଓଡିଆ ନିଜର ହକ୍ ପାଇବାରୁ ବଂଚିତ ହେଉଛନ୍ତି । ୧୯ ବର୍ଷ ଶାସନରେ ରହିବା ପରେ ୨୪ ଘଂଟିଆ ବିଜୁଳି ସେବା ଦେଇ ପାରୁନଥିବା ବିଜେଡି ସରକାର ଇଲେକସନର ମାତ୍ର କେଇଦିନ ପୂର୍ବରୁ ଏଲଇଡି ଯୋଜନାରେ ଲୋକମାନଙ୍କୁ ଠକିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହା ଦିନରେ ଲଣ୍ଠନ ଦେଖାଇବା ସଦୃଶ । ବୃଦ୍ଧ ବ୍ୟାଘ୍ରର କଙ୍କଣ ଉପାଖ୍ୟାନ ପରି ଓଡିଶାବାସୀଙ୍କୁ ବୋକା ବନାଇବା ପାଇଁ ନବୀନ ସରକାରଙ୍କ ଏହା ଆଉ ଏକ ହୀନ ଉଦ୍ୟମ । ସରକାରଙ୍କ ଏହି ଅସଲମୁଖାକୁ ଓଡିଶାର ସାଢେ ୪ କୋଟି ଓଡିଆ ବୁଝି ସାରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାର ପାଇଁ ରାଜ୍ୟ ସରକାର ହୀନ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।