ବିରୋଧିଦଳ ହେବାକୁ ନିଜକୁ ଅଯୋଗ୍ୟ ପ୍ରମାଣିତ କଲା ବିଜେପି

କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ଭୋଟର ଭାରତୀୟ ଜନତା ପାର୍ଟିକୁ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ କରିବାକୁ ଜନାଦେଶ ଦେଇଛନ୍ତି। ଗତ ୧୦ବର୍ଷ ହେଲା ବିଜେପି କେବଳ ବିରୋଧୀଦଳ ଭୂମିକା ତୁଲାଇ ଆସୁଥିଲା। ମୁଖ୍ୟ ବିରୋଧୀଦଳ ଆସନରେ ଥିଲା କଂଗ୍ରେସ। ଏଥର ବ୍ୟାପକ ରାଜନୈତିକ ପରିବର୍ତ୍ତନ ଘଟିଛି। ଜନତା ବିଜେପି ଉପରେ ରାଜ୍ୟ ଶାସନ ଲାଗି ଆସ୍ଥା ପ୍ରକଟ କରିନାହାନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଣି ଥରେ ସରକାର ଲାଗି ଜନତା ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ, ସରକାରଙ୍କ ଦୋଷ ଦୁର୍ବଳତା ଉପରେ ବିରୋଧୀ ଦଳ ଆଉ କୌଣସି ପାଟି ଫିଟାଇବ ନାହିଁ।

ବିଜେପି ଗତ ୪ବର୍ଷ ଭିତରେ ଏକ ସମର୍ଥ ଓ ସକ୍ଷମ ବିରୋଧୀ ଦଳର ଭୂମିକା ତୁଲାଇ ଆସୁଥିଲା। କଂଗ୍ରେସ ତା’ର ଦାୟିତ୍ୱ ଭୁଲିଯିବାରୁ ଭୋଟର ଏହାକୁ ଶକ୍ତ ଦଣ୍ଡ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ହେବାକୁ କଂଗ୍ରେସ ଯୋଗ୍ୟତା ନାହିଁ ବୋଲି ଜନାଦେଶ ମାଧ୍ୟମରେ ରାୟ ଶୁଣାଇ ଦେଇଛନ୍ତି ଓଡ଼ିଶାର ଭୋଟର।

କିନ୍ତୁ ବିଜେପି ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ପାଇ ଚୁପ ହୋଇଯିବା ପଛର କାରଣ କ’ଣ? ଆଉ କେମିତି ପ୍ରସଙ୍ଗ ଥିଲେ ସ୍ୱର ଉଠାଇବାକୁ ନିଷ୍ପତ୍ତି ନିଅନ୍ତା ବିଜେପି? ମୁଖ୍ୟ ବିରୋଧୀ ଦଳ ହେବା ପରେ ପୂର୍ବାପେକ୍ଷା ବିଜେପିର ଦାୟିତ୍ୱ ବଢ଼ିଛି। ସଂରଚନାବାଦୀ ବିରୋଧୀ ଦଳ ଭାବେ ଦାୟିତ୍ୱ ତୁଲାଇବାକୁ ଜନତା ବାରଣ କରିଛନ୍ତି କି?

ରାଜ୍ୟରେ ସରକାର ଗଠନ କରିବା ସ୍ୱପ୍ନ ବିଜେପିର ଚୁରମାର ହୋଇଛି। କିନ୍ତୁ ଆଉ ଏକ ନୂତନ ଦାୟିତ୍ୱ ବିଜେପି ମୁଣ୍ଡରେ ଦେଇଛନ୍ତି ଜନତା। କିନ୍ତୁ ନିର୍ବାଚନୀ ଧକ୍କାରୁ ଏପର୍ଯ୍ୟନ୍ତ ରାଜ୍ୟ ବିଜେପି ନିଜକୁ ବାହାର କରିପାରୁ ନାହିଁ। କେନ୍ଦ୍ରରେ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ସରକାର ସତ୍ତ୍ୱ୍ୱେ ଓଡ଼ିଶାରେ ରାଜ୍ୟ ସଂଗଠନ ଏବେ ଯେ ଦ୍ୱନ୍ଦ୍ୱ ଓ ବିଭ୍ରାନ୍ତି ଭିତରେ ଅଛି, ଏଥିରେ ସନ୍ଦେହ ନାହିଁ।

ରାସ୍ତାକୁ ଓହ୍ଲାଇବା ପାଇଁ ରାଜନୈତିକ ଦଳକୁ କେତେ ପ୍ରସଙ୍ଗ ଆବଶ୍ୟକ ? ପାଟଣାଗଡ଼ର ଶାସକ ଦଳର ବିଧାୟକ ସରୋଜ ମେହେର ଜଣେ ଆଦିବାସୀ ଜେଇଙ୍କୁ ଶହଶହ ଜନତାଙ୍କ ଉପସ୍ଥିତିରେ ଅପମାନିତ କଲେ ଓ କଙ୍ଗାରୁ କୋର୍ଟ ପରି ଦଣ୍ଡିତ ମଧ୍ୟ କଲେ। ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମାରିବା ପାଇଁ ନିଦ୍ଦେର୍ଶ ଦେଲେ। ଏହି ଘଟଣା ୧୫ ଦିନ ବିତିଗଲାଣି। ଅଥଚ ସରୋଜ ଖାଲି ଦୁଃଖ ପ୍ରକାଶ କରି ଆଇନରୁ ରକ୍ଷା ପାଇଯାଇଛନ୍ତି।

ଜିଲା ପ୍ରଶାସନ ରିପୋର୍ଟ ବିଜୁ ଜନତା ଦଳ ବିଧାୟକଙ୍କ ବିରୋଧରେ ଯାଇଥିଲେ ମଧ୍ୟ ସରକାର ନିଦାବିଷ୍ଣୁ। ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ଏହି ସରକାରୀ ଦଳର ବିଧାୟକ। ଆଶ୍ଚର୍ଯ୍ୟର କଥା ଏହି ଆସନର ପୂର୍ବତନ ବିଧାୟକ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ। କିନ୍ତୁ ଏପର୍ଯ୍ୟନ୍ତ ବିଜେପି ବିଧାୟକଙ୍କ ଗିରଫ ଦାବିରେ ଆନ୍ଦୋଳନ ଆରମ୍ଭ କରିପାରିଲା ନାହିଁ। କରିଥିଲେ ହୁଏତ ଆଦିବାସୀ ସମାଜର ସମର୍ଥନ ବିଜେପି ଗୋଟେଇ ପାରିଥାନ୍ତା। କିନ୍ତୁ ଚୁପ କାହିଁକି ଏହି ନୂଆ ମୁଖ୍ୟ ବିରୋଧୀ ଦଳ?

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜଣେ ମହିଳାଙ୍କ ଅସଦାଚରଣ ଅଭିଯୋଗ ଆସିବାର ୬ଦିନ ହୋଇଗଲାଣି। ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି ଠିକ ଯେମିତି ପାଟଣାଗଡ଼ ମାମଲାରେ ଅପମାନିତ ଜେଇଙ୍କ ପତ୍ନୀ ଏକ ଏତଲା ଦେଇଥିଲେ। ଅନୁଭବଙ୍କ ବିରୋଧରେ ଅଭିଯୋଗ ସଂଗୀନ। ସତ୍ୟତା କେତେ ତାହା ପୁଲିସ ତଦନ୍ତ କରି ଜାଣିବା ଦରକାର।

ସିସି ଟିଭି ଫୁଟେଜରେ କେନ୍ଦ୍ରାପଡ଼ା ସାଂସଦଙ୍କ ଆଚରଣର ତଥ୍ୟ ଓ ପ୍ରମାଣ ଅଛି କି ନାହିଁ, ତାହା ଦେଖିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ଥିଲା। କିନ୍ତୁ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷନାହିଁ ଭଳି ଅନୁଭବ ଏବଂ ତାଙ୍କ ଭାଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁଲିସ। ଏଣେ ବିଜେପି ନେତାମାନେ ଲମ୍ୱା ଚଉଡ଼ା ବିବୃତ୍ତି ଦେଇ ଚୁପ ବସି ରହିଛନ୍ତି।

ପାଟଣାଗଡ଼ ବ୍ୟାପାରରେ ବଲାଙ୍ଗୀର ଜିଲାରେ ଆନ୍ଦୋଳନ କରିବାକୁ ବିଜେପିକୁ କିଏ ମନା କରିଛିକି? ଅନୁଭବଙ୍କ ପ୍ରସଙ୍ଗରେ ମଧ୍ୟ ସମାନ କଥା। କିନ୍ତୁ କାହିଁକି ଲୋକାଲ ପ୍ରସଙ୍ଗଗୁଡ଼ିକରେ ମୁଖ୍ୟ ବିରୋଧୀ ଦଳ ତା’ର ଦାୟିତ୍ୱ ନିର୍ବାହ କରିବାକୁ ଏତେ କୁଣ୍ଠିତ?

ଆଉ ଏକ ସାଂଘାତିକ ଘଟଣା ଘଟିଛି ନବରଙ୍ଗପୁର ଜିଲାରେ। କୋଡ଼ିଙ୍ଗାରେ ପୁଲିସ ଥାନାକୁ ଡାକି ନେଇ ମାଡ଼ ମାରିବା ଯୋଗୁଁ ଗୋବର୍ଦ୍ଧନ ବିନ୍ଧାଣିଙ୍କର ମୃତ୍ୟୁ ଘଟିଛି। ଏହି ହାଜତ ମୃତ୍ୟୁ ଅଭିଯୋଗ ଏକ ସାଙ୍ଘାତିକ ଘଟଣା। ଦୋଷ ଲୁଚାଇବାକୁ ମୃତ ଗୋବର୍ଦ୍ଧନକୁ ଭାଇଜାଗ ହସ୍ପିଟାଲକୁ ନିଆଯାଇଥିଲା। ଗୋବର୍ଦ୍ଧନଙ୍କ ସହିତ କମଳୁ ହରିଜନଙ୍କୁ ଏକ ସାମାନ୍ୟ ଅଭିଯୋଗରେ ଥାନାକୁ ଡାକି ନିର୍ଦ୍ଧୁମ ପିଟିଥିଲା ପୁଲିସ।

କମଳ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାକୁ କେନ୍ଦ୍ରକରି କୋଡ଼ିଙ୍ଗାରେ ବ୍ୟାପକ ଉେତ୍ତଜନା ପ୍ରକାଶ ପାଇଛି ଏବଂ ଥାନା ଉପରେ ଆକ୍ରମଣ କରିଛନ୍ତି ଲୋକେ। ପୁଲିସ ବି ଲୋକଙ୍କ ଉପରେ ଲାଠି ବର୍ଷାଇଛି।

ନବୀନ ସରକାରଙ୍କ ରେକର୍ଡ଼ରେ ହାଜତ ମୃତ୍ୟୁ ତାଲିକା ଲମ୍ୱା। କିନ୍ତୁ କୋଡ଼ିଙ୍ଗା ଘଟଣା ଘଟିବା ପରେ ଯେଉଁ ପ୍ରକାର ପ୍ରତିକ୍ରିୟା ବିରୋଧୀ ଦଳ ଆଡ଼ୁ ପ୍ରକାଶ ପାଇବା କଥା, ତାହାର କୌଣସି ଲକ୍ଷଣ ଦେଖିବାକୁ ମିଳିଲା ନାହିଁ।

କଂଗ୍ରେସ ଅବସ୍ଥା ଏତେ ଖରାପ ଯେ, ଏବେ ଏହି ଦଳ ନା ଘର କା, ନା ଦିଲ୍ଲୀକା। ଗତ ୧୫ବର୍ଷ ଭିତରେ କଂଗ୍ରେସକୁ ନବୀନ ସରକାରଙ୍କ ବିରୋଧରେ ବଡ଼ ଜନ ଆନ୍ଦୋଳନ କରିବା କେହି ଦେଖିନାହାନ୍ତି। ଏବେ ତ ଅବସ୍ଥା ଆହୁରି ଖରାପ। ନବଗ୍ରହ ବୋଲି କଂଗ୍ରେସ ବିଧାୟକମାନେ ନିଜ ନିଜର ପିଠି ଥାପୁଡ଼ାଉଛନ୍ତି। ଯେତେ ପ୍ରସଙ୍ଗ ଆସିଲେ କଂଗ୍ରେସ ଚେଇଁବାର ନାହିଁ।

ହେଲେ ଲୋକେ ତ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସାଇ ସାରିଛନ୍ତି। ମାତ୍ର ଏହି ଦଳ ଚୁପ ରହିବ କ’ଣ ପାଇଁ? ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକରେ ବିଜେପିର ଏଭଳି ଉଦାସୀନତା ଖୁବ ମହଙ୍ଗା ପଡ଼ିବ ଏହି ଦଳକୁ। ୨୦୨୪ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ନକଲେ, ପରବର୍ତ୍ତୀ ସମୟରେ ସରକାର ବିରୋଧରେ ଯେତେ ହାଲାବୋଲ କଲେ, କିଏ ଓ କାହିଁକି ଶୁଣିବ?

ଅଳ୍ପଦିନ ଭିତରେ ରାଜ୍ୟରେ ତିନିଟି ବଡ଼ ପ୍ରସଙ୍ଗ ଘଟିଗଲାଣି। କିନ୍ତୁ ବିଜେପି ବିଧାନସଭା ଧକ୍କାରୁ ବାହାରିବାକୁ ପ୍ରସ୍ତୁତ ନଥିବା ସଗ୍ଧେତ ଦେଉଛି। ମୋଦୀ ସରକାର ତାଙ୍କ ରଣନୀତି ସ୍ଥିର କରୁଛନ୍ତି। ରାଜ୍ୟ ରାଜନୀତିରେ ରାଜ୍ୟ ସଂଗଠନଗୁଡ଼ିକ ସେମାନଙ୍କ ରଣନୀତି ସ୍ଥିର କରିବା ଆବଶ୍ୟକ।

Leave a Reply

Your email address will not be published.