ଚିଠି ରାଜନୀତି: ‘ଆୟୁଷ୍ମାନ’ ଲାଗୁ ପାଇଁ ବିଜେପି ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର
ଭୁବନେଶ୍ୱର, (ଓଟି): ରାଜ୍ୟର ସ୍ଵାର୍ଥ ବା କୌଣସି ଯୋଜନା ବାବଦରେ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖା ପ୍ରକ୍ରିୟାକୁ ଚିଠି ଲେଖାରେ ଜବାବ ଦେବାକୁ ଚାହିଁଛନ୍ତି ବିଜେପିର ନିର୍ବାଚିତ ସାଂସଦମାନେ। ପ୍ରଥମ ଥର ପାଇଁ ସମସ୍ତ ସାଂସଦ ଏକାଠି ଗୋଟିଏ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶଞରେ ଲେଖିଛନ୍ତି। ଆଗ୍ରହ ଏହା ଯେ, ରାଜ୍ୟରେ “ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା” ଲାଗୁ କରାଯାଉ।
ଚିଠି ବାବଦରେ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଓଡିଶାର ୬୦ ଲକ୍ଷ ହିତାଧିକାରୀଙ୍କ ସମେତ ୫୦ କୋଟି ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଅନୁସାରେ ପ୍ରତି ପରିବାରକୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ତଥ୍ୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି । ଏହି ଯୋଜନାରେ ଶିଶୁ କନ୍ୟା, ମହିଳା ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ପୂର୍ବରୁ ହୋଇଥିବା ରୋଗର ଚିକିତ୍ସା ମଧ୍ୟ କରାଯିବ । ଏହି ଯୋଜନା ସଂପୂର୍ଣ୍ଣରୂପେ ନଗଦ ଅର୍ଥ ବିହୀନ ଓ କାଗଜ ବିହୀନ ପଂଜୀକରଣର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ସୁବିଧା ପାଇଁ ଆସୁଥିବା ରୋଗୀଙ୍କୁ କୌଣସି ନଗଦ ଅର୍ଥ ଦେବାର ଆବଶ୍ୟକତା ପଡିନଥାଏ । ବିଭିନ୍ନ ଘରୋଇ ହସ୍ପିଟାଲ ଗୁଡିକୁ ଏଥିରେ ସାମିଲ କରାଯାଇଛି । ଏହି ଯୋଜନା ରାଜ୍ୟରେ ଲାଗୁ ହେବା ଦ୍ୱାରା ଓଡିଶାର ଜନତା ଲାଭନ୍ୱିତ ହେବା ସହ ପ୍ରବାସୀ ଓଡିଆ ଶ୍ରମିକମାନେ ଅନ୍ୟ ରାଜ୍ୟରେ ରହି ମଧ୍ୟ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ।
ଗତ ୯ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଥର ଓଡିଶା ଗସ୍ତରେ ଆସି ସବୁ ସମୟରେ ଏହି ଯୁଗାନ୍ତକାରୀ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । ଗତ ଜୁନ୍ ୩ ତାରିଖରେ ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ମୁଖ୍ୟ ଡା. ଇନ୍ଦୁ ଭୂଷଣ ଓଡିଶା ଗସ୍ତରେ ଆସି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସହ ଆଲୋଚନା କରି ଏହି ଯୋଜନା ଲାଗୁ କରିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହି ଯୋଜନା ରାଜ୍ୟରେ ଲାଗୁ କରିବା କଲେ କେନ୍ଦ୍ର ସରକାର ସମସ୍ତ ପ୍ରକାର ଆର୍ଥୀକ ସହାୟତା ଯୋଗାଇଦେବ । ଏହା ସତ୍ୱେ ଏହି ଯୋଜନାକୁ ଲାଗୁ କରାଯାଇ ପାରି ନାହିଁ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଅଶ୍ୱିନ ବୈଷ୍ଣବ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ମୟୂରଭଞ୍ଜ ସାଂସଦ ବିଶେସ୍ୱର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତ ଷଢଙ୍ଗୀ ପ୍ରମୁଖ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ରାଜ୍ୟରେ ଲାଗୁ କରିବା ସହ ସୁସ୍ଥ ଭାରତ ଏବଂ ସୁସ୍ଥ ଓଡିଶା ବନେଇବା ପାଇଁ ଅନୁରୋଧ କରିଛନ୍ତି ।