ଟ୍ୱିଟରରେ ମୋଦିଙ୍କ ସମେତ ବିଜେପି ନେତାଙ୍କ ନାମ ପରିବର୍ତ୍ତନ
ରୋଚକ ମୋଡ଼ରେ ଚୌକିଦାର ଲଢେଇ
କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ଚୌକିଦାର ଲଢେଇ ଏବେ ନୂଆ ମୋଡ ନେଇଛି। କଂଗ୍ରେସକୁ ଉପଯୁକ୍ତ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ନିଜ ନାମ ପରିବର୍ତ୍ତନ କରିଦେଇଛନ୍ତି। ସେ ଟ୍ୱିଟରରେ ନିଜ ନାମ ନରେନ୍ଦ୍ର ମୋଦିରୁ ‘ଚୌକିଦାର ନରେନ୍ଦ୍ର ମୋଦି’ କରିଦେଇଛନ୍ତି। ଏସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ‘ମୁଁ ବି ଚୌକିଦାର’ କ୍ୟାମ୍ପେନକୁ ଆହୁରି ଗତିଶୀଳ କରିବା ପାଇଁ ମୋଦି ଟ୍ୱିଟରରେ ନିଜ ନାମ ପାରିବର୍ତ୍ତନ କରିଛନ୍ତି।

ମୋଦିଙ୍କ ‘ମୁଁ ବି ଚୌକିଦାର’ ଅଭିଯାନକୁ ସମର୍ଥନ ତଥା ଆହୁରି ଶକ୍ତିଶାଳୀ କରିବା ପାଇଁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ଟ୍ୱିଟରରେ ନିଜ ନାମକୁ ମୋଦିଙ୍କ ଭଳି ବଦଳାଇଛନ୍ତି। ସେ ନିଜ ନାମ ଆଗରେ ଚୌକିଦାର ଶବ୍ଦକୁ ଯୋଡିଛନ୍ତି। ମୋଦି ଓ ଶାହଙ୍କ ନାମ ପୂର୍ବରୁ ଚୌକିଦାର ଶବ୍ଦ ଲାଗିବା ପରେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏପରି ନାମ ପରିବର୍ତ୍ତନ ଦୌଡରେ ସାମିଲ ହୋଇଗଲେଣି।
ଗତ କିଛି ମାସ ହେଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଚୌକିଦାର ଚୋର ହେ’ ସ୍ଲୋଗାନ ପ୍ରତି ନିର୍ବାଚନ ସଭାରେ ଦେବାରେ ଲାଗିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଚୋର ସ୍ଲୋଗାନକୁ ଜବାବ ଦେବା ପାଇଁ ବିଜେପି ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି।
୨୦୧୪ ନିର୍ବାଚନରେ ଯେପରି ବିଜେପି ଚା’ ବାଲା ଅଭିଯାନ ଆରମ୍ଭ କରିଥିଲା, ସେହିଭଳି ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନକୁ ନେଇ ବିଜେପି ପକ୍ଷରୁ ଏକ ଭିଡିଓ ମଧ୍ୟ ଛଡାଯାଇଛି। ଏହି ଭିଡିଓକୁ ଜନସାଧାରଣ ପସନ୍ଦ କରୁଥିବାର ରିପୋର୍ଟ ବିଜେପି ନେତାଙ୍କୁ ମିଳିବାରେ ଲାଗିଛି।
ବିଜେପି ପକ୍ଷରୁ ବଜାରରେ ଛଡାଯାଇଥିବା ଏହି ଭିଡିଓକୁ କଂଗ୍ରେସ ପକ୍ଷରୁ କଡା ସମାଲୋଚନା କରାଯାଇଛି। ଗତ ଶନିବାର ଦିନ ରାହୁଲ ଗାନ୍ଧୀ ଏକ ଫଟୋ ଛାଡିଛନ୍ତି। ଏହି ଫଟୋରେ ଲେଖାଯାଇଛି ‘ରକ୍ଷାତ୍ମକ ଟ୍ୱିଟ ମିଷ୍ଟର ମୋଦି। ଆଜି ଆପଣଙ୍କୁ ଅପରାଧ ବୋଧ ହେଉଛି।’ ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବ୍ୟାଙ୍କ ଅର୍ଥ ହଡପକରି ବିଦେଶ ପଳାଇଥିବା ନୀରବ ମୋଦୀ, ମେହୁଲ ଚୌକସି, ଅନିଲ ଅମ୍ୱାନୀ, ବିଜୟ ମାଲ୍ୟା, ଜୟ ଅମିତ୍ ଶାହ ଓ ଗୌତମ ଆଦାନୀଙ୍କ ଫଟୋ ରହିଛି।
ନାମ ପରିବର୍ତ୍ତନ କରିଥିବା ନେତା
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, ରେଳମନ୍ତ୍ରୀ ପିୟୁଷ ଗୋୟଲ, ବିଜେପି ଆଇଟି ସେଲ ପ୍ରମୁଖ ଅମିତ୍ ମାଲବିୟ ମଧ୍ୟ ଟ୍ୱିଟରରେ ନିଜ ନାମ ପରିବର୍ତ୍ତନ କରିଛନ୍ତି।